ଭୁବନେଶ୍ୱର: ଚଳଚ୍ଚିତ୍ର ‘କ୍ରାନ୍ତି’ର ସେଇ କାଳଜୟୀ ଗୀତ ‘ଜିନ୍ଦେଗୀ କେ ନା ଟୁଟେ ଲଡି, ପ୍ୟାର୍‌ କର୍‌ଲେ ଘଡ଼ି ଦୋ ଘଡ଼ି’ ଆଜି ଦର୍ଶକମାନଙ୍କୁ ରବୀନ୍ଦ୍ର ମଣ୍ଡପରେ ବେଶ୍ ରୋମାଞ୍ଚିତ କରିଥିଲା। କଣ୍ଠଶିଳ୍ପୀ ଲୋଭା ବିଶ୍ବାଳ ଓ ବରଦା ପଟ୍ଟନାୟକଙ୍କ ଏହି ଯୁଗଳବନ୍ଦୀ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ସେହିଭଳି ପ୍ରସିଦ୍ଧ ଚଳଚ୍ଚିତ୍ର କୁଦ୍‌ରତ୍‌’ର ବହୁ ଲୋକପ୍ରିୟ ତଥା ଚିରସବୁଜ ଗୀତ ‘ତୁନେ ଓ ରଙ୍ଗିଲେ କୈସା ଯାଦୁ କିୟା...’ର ଭାଓଲିନ୍‌ ତାଳ ଦର୍ଶକମାନଙ୍କୁ ଝୁମାଇଥିଲା। ରାକେଶ ବିଶ୍ବାଳ ଏହି ଗୀତରେ ଭାଓଲିନ୍‌ ବଜାଇ ଦର୍ଶକମାନଙ୍କ ଆକର୍ଷଣ ପାଲଟିଥିଲେ। କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନଙ୍କ କଣ୍ଠରୁ ‘ତୁଝ୍‌ସେ ନାରାଜ ନେହିଁ ହୈ ଜିନ୍ଦେଗୀ’ ଶ୍ରୋତାମାନଙ୍କ ମନକୁ ଛୁଇଁ ଯାଇଥିଲା। ବଲିଉଡ୍‌ର ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ଏଭଳି କାଳଜୟୀ ମନଛୁଆଁ ଗୀତ ଆଜି ରବୀନ୍ଦ୍ର ମଣ୍ଡପରେ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଅବସର ଥିଲା, ଲତା ମଙ୍ଗେସ୍‌କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଲତା ନାଇଟ୍‌ ୨୦୨୩। ଓଡ଼ିଶା ସିନେକ୍ରିଟିକ୍‌ ଆସୋସିଏସନ୍‌ ଏବଂ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆଜି ବାସନ୍ତୀ ସନ୍ଧ୍ୟାରେ ଦର୍ଶକଙ୍କୁ ବେଶ୍ ରୋମାଞ୍ଚିତ କରିଥିଲା।

Advertisment

ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ‘କାଦମ୍ୱିନୀ’ର ସମ୍ପାଦିକା ଇତି ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବକ୍ତାମାନେ କୋକିଳକଣ୍ଠୀ ଲତାଙ୍କ ସ୍ମୃତିଚାରଣ କରିଥିଲେ। ଲତା କେବଳ ଭାରତର ନୁହନ୍ତି, ସମଗ୍ର ବିଶ୍ବର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ ଥିଲେ ବୋଲି ବକ୍ତାମାନେ କହିଥିଲେ। ବାଦ୍ୟଗୁରୁ ଅବନ୍ତୀକାନ୍ତ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସଂଗୀତ ସଂଧ୍ୟାରେ କଣ୍ଠଶିଳ୍ପୀ ଲୋଭା ବିଶ୍ୱାଳ, ଛନ୍ଦା ମିଶ୍ର, ପ୍ରତିଭା ପ୍ରଧାନ, ସୀମା ମହାନ୍ତି, ରୀତିକା ରିମ୍‌ଝିମ, ସୌରଭ ନାୟକ, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ଆଶିଷ ଦତ୍ତ ପ୍ରମୁଖ ଲତାଙ୍କ ଲୋକପ୍ରିୟ ସଂଗୀତ ପରିବେଷଣ କରିଥିଲେ। ଉତ୍ସବରେ ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ। ଗୁଲସନ୍‌ ନଦିମ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଲୁଟୁ ମହାନ୍ତି, ରବୀନ୍ଦ୍ର ବିଶ୍ୱାଳ, ଶ୍ରୀଧର ମାର୍ଥା, ଜ୍ଞାନରଞ୍ଜନ ପ୍ରିୟଦର୍ଶନ, ଅତୀଶ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।