ରାଜଧାନୀରେ ଘନ କୁହୁଡ଼ି : ୧୭ ବିମାନ ଉଡ଼ାଣରେ ବିଳମ୍ବ

ଭୁବନେଶ୍ୱର: ରାଜଧାନୀରେ ପ୍ରାୟ ୧୦ଘଣ୍ଟା ଘନ କୁହୁଡ଼ି ଚାଦର ରହିବାରୁ ବିମାନ ସେବା ପ୍ରଭାବିତ ହୋଇଛି। ଶୁକ୍ରବାର ରାତି ୧୧ଟାରୁ ଶନିବାର ସକାଳ ୯ଟା ପର୍ଯ୍ୟନ୍ତ ରାଜଧାନୀ ଘନକୁହୁଡ଼ି ଭିତରେ ଲୁଚି ଯାଇଥିଲା। ଏପରିକି ଦି’ ହାତ ଦୂରରେ କିଏ ଯାଉଛି ଦେଖିବା କଷ୍ଟକର ହୋଇପଡ଼ିଥିଲା। ବିମାନବନ୍ଦରରେ ଭିଜିବିଲିଟି ୫୦ମିଟରକୁ ଖସିଯିବା ଦ୍ୱାରା ଏହି ସମୟରେ ଗୋଟିଏ ବିମାନ ଉଡ଼ାଣ ବାତିଲ୍‌ ହେବା ସହ ୧୭ଟି ବିମାନ ବିଳମ୍ବରେ ଉଡ଼ାଣ କରିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଶୁକ୍ରବାର ରାତି ୧୦ଟା ପର ଠାରୁ ବିମାନବନ୍ଦର ଅଞ୍ଚଳରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଥିଲା। କିନ୍ତୁ ରାତି ୧୧ଟା ପରେ ଏହା ସାଂଘାତିକ ରୂପ ନେଇଥିଲା। ଭିଜିବିଲିଟି ଦୀର୍ଘ ସମୟ ପର୍ଯ୍ୟନ୍ତ ୫୦ମିଟର ରହିବା ଦ୍ୱାରା ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଆଜି ଯେପରି ଘନ କୁହୁଡ଼ି ସୃଷ୍ଟି ହୋଇଛି ଏହିପରି କୁହୁଡ଼ି ଆଉ ଦୁଇ ଦିନ ରହିବ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, କ୍ୱାଲାଲମ୍ପୁରରୁ ଆସୁଥିବା ଏୟାର ଏସିଆ ବିମାନ ରାତି ୧୧ଟା ୩୦ରେ ଅବତରଣ କରିବାର ଥିଲେ ହେଁ କରିପାରିନଥିଲା। ଅବତରଣ ପାଇଁ ଏଟିସି ସିଗନାଲ୍‌ ନ ମିଳିବାରୁ ବିମାନଟି ହାଇଦ୍ରାବାଦ ଅଭିମୁଖେ ପଳାଇଥିଲା। ସେଠାରେ ଯାତ୍ରୀ ରାତ୍ରିଯାପନ କରିଥିଲେ। ବିମାନଟି ଆଜି ଅପରାହ୍ନ ୧ଟାରେ ଭୁବନେଶ୍ୱରରେ ଅବତରଣ କରିଥିଲା। ସେହିପରି ଶୁକ୍ରବାର ନୂଆଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ରାତି ୧୦ଟା ୩୦ରେ ଆସିବାକୁ ଥିବା ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ୍‌ ହୋଇଯାଇଛି। ଏହି ବିମାନର ଯାତ୍ରୀଙ୍କୁ ଆଜି ସକାଳୁ ଅନ୍ୟ ଇଣ୍ଡିଗୋ ବିମାନରେ ଭୁବନେଶ୍ୱର ପଠାଯାଇଥିଲା।

ଆଜି ନୂଆଦିଲ୍ଲୀରୁ ଆସୁଥିବା ସମସ୍ତ ବିମାନ ବିଳମ୍ବରେ ଆସିବାରୁ ଏଠାରୁ ବିଳମ୍ବରେ ଉଡ଼ାଣ କରିଛି। ଏହାବାଦ୍‌ ବେଙ୍ଗାଲୁରୁ, ବିଶାଖାପାଟଣା ଓ ହାଇଦ୍ରାବାଦରୁ ଆସୁଥିବା ସମସ୍ତ ବିମାନ କୁହୁଡ଼ି ଦ୍ୱାରା ପ୍ରଭାବିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଶୁକ୍ରବାର ରାତିରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଥିଲା। କିନ୍ତୁ ଶନିବାର ଯେଉଁ ବିମାନ ବିଳମ୍ବରେ ଆସିଛି ସେଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ କିଛି ସମସ୍ୟା ନଥିଲା। ଦେଶରେ ଅନ୍ୟ ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ସେଠାରୁ ବିଳମ୍ବରେ ବିମାନ ଉଡ଼ାଣ କରୁଛି। ଏହାଦ୍ୱାରା ଭୁବନେଶ୍ୱର ବିମାନବନ୍ଦର ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର