ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଯୋଗଦେଇ କହିଲେ ବିକଶିତ କୃଷି ସଂକଳ୍ପ ଅଭିଯାନ ଜାତୀୟ ସ୍ତରର ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଏହା ମାଧ୍ୟମରେ ଭାରତୀୟ କୃଷିର ଦୃଶ୍ୟପଟ ପରିବର୍ତ୍ତିତ ହେବ। ବୈଜ୍ଞାନିକଙ୍କ ଦ୍ୱାରା ବୈଷୟିକ ଜ୍ଞାନ କୌଶଳ ଚାଷୀ ଭାଇମାନଙ୍କ ପାଖରେ ସିଧା ସଳଖ ପହଞ୍ଚିବାକୁ  ସୁନିଶ୍ଚିତ କରିବା ସହ ଆମ କୃଷକମାନଙ୍କୁ ସମୃଦ୍ଧ, ସ୍ବାବଲମ୍ବୀ କରାଇବାରେ ଏହି ଅଭିଯାନ ସହାୟକ ହେବ। ଆମର ଚାଷୀ ଭାଇମାନେ ପ୍ରତିକୂଳ ପରିସ୍ଥିତିରୁ ଆଗକୁ ଯାଇ ନିଜର ନୂଆ ପଦକ୍ଷେପ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ମନୋଭାବ ମାଧ୍ୟମରେ ଖାଦ୍ୟ ନିରାପତ୍ତା ଓ ଗ୍ରାମୀଣ ବିକାଶରେ ନିଜର ବଳିଷ୍ଠ ଅବଦାନ ରଖିପାରିଛନ୍ତି। ଓୟୁଏଟି ଓ ଆଇସିଏଆର୍‌ ଭଳି ଅନୁଷ୍ଠାନଗୁଡ଼ିକୁ ଏହି ପରିବର୍ତ୍ତନର ନେତୃତ୍ବ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଆଜିଠାରୁ ସାରା ଦେଶରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଦେଶର ୨୧୭୦ଟି ସ୍ଥାନରେ କୃଷି ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚାଷୀଙ୍କ ସହ ମତବିନିମୟ କରୁଛନ୍ତି। ସେ ଆହୁରି କହିଥିଲେ, ଚାଷୀଙ୍କ ଉତ୍ପାଦନ ବଢ଼ାଇବା ସହିତ ଖର୍ଚ୍ଚ କମାଇବା ଲାଗି ମଧ୍ୟ ପଦକ୍ଷେପ ନିଆଯିବା ଜରୁରୀ। ସେଥିପାଇଁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡ ଜରିଆରେ କୃଷି ଋଣ ଉପରେ ୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରିହାତି ଦେଉଛନ୍ତି । ରାଜ୍ୟ ସରକାରଙ୍କ ଭାଗ ମିଶିଲେ ଏହି ରିହାତି ଶୂନ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଓଡ଼ିଶା  ସରକାର ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଯୋଜନା ପ୍ରସ୍ତୁତ କରିବା ସ୍ୱାଗତଯୋଗ୍ୟ। ଓଡ଼ିଶାରେ ଧାନ, ଆମ୍ବ, ଜୈବିକ ଚାଉଳ, ହଳଦୀ ଆଦିର ଗୁଣବତ୍ତାକୁ ସେ ପ୍ରଂଶସା କରିଥିଲେ। 

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଲେ, ଏକ ବିକଶିତ ଭାରତ ପାଇଁ, ଭାରତୀୟ କୃଷିକୁ ମଧ୍ୟ ବିକାଶ କରିବାକୁ ପଡିବ। ଭାରତୀୟ କୃଷି ଭାରତର ପ୍ରତ୍ୟେକ ଗାଁର ଆତ୍ମାରେ ରହିଛି। ଏହି ଅଭିଯାନ ଦ୍ୱାରା ନିକଟ ଭବିଷ୍ୟତରେ କୃଷି କ୍ଷେତ୍ରରେ, ଆମ ରାଜ୍ୟରେ ନିଶ୍ଚିତ ରୂପେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିବ। ଏହି ଅବସରରରେ ଅତିଥିମାନଙ୍କ ଦ୍ବାରା ‘କୃଷି ପରାମର୍ଶ’ ପୁସ୍ତିକା ଉନ୍ମୋଚନ ହୋଇଥିଲା। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଭାଗ ନିର୍ଦ୍ଦେଶକ ଶୁଭମ ସାକ୍‌ସେନା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ସଚିବ ଦେବେଶ ଚତୁର୍ବେଦୀ, ଓୟୁଏଟିର କୁଳପତି ପ୍ରଫେସର୍ ପ୍ରଭାତ କୁମାର ରାଉଳ, ଡେପୁଟି ଡାଇରେକ୍ଟର ଜେନେରାଲ୍ ରାଜବୀର ସିଂ, ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ମଙ୍ଗୀଲାଲ୍ ଜାଟ୍ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆଜି ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ଏକ ଆମ୍ବ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ଥିଲେ।