ଭୁବନେଶ୍ବର: ରାଜ୍ୟ ତଥା ଦେଶକୁ ସ୍ବଚ୍ଛତା କ୍ଷେତ୍ରରେ ଆଗକୁ ନେବାର ଲକ୍ଷ୍ୟ ନେଇ କେନ୍ଦ୍ର ଗୃହନିର୍ମାଣ ଓ ନଗର ମନ୍ତ୍ରାଳୟ ପକ୍ଷରୁ ଆଜି ସ୍ବଚ୍ଛ ଭାରତ ମିସନ୍‌(ସହରାଞ୍ଚଳ) ଅଧୀନରେ ‘ସ୍ବଚ୍ଛ ସେହେର ଯୋଡ଼ି’(ଏସଏସଜେ) ଅଭିଯାନର ଶୁଭାରମ୍ଭ କରାଯାଇଛି। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ୍‌ ଭର୍ଚୁଆଲ୍‌ ବୈଠକରେ ଏହାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ମହାନଗର ନିଗମ ବି ‘ସ୍ବଚ୍ଛ ସେହେର ଯୋଡ଼ି’ ଅଭିଯାନରେ ସାମିଲ୍‌ ହୋଇଛି। ରାଜ୍ୟର ୫ ସହର କେନ୍ଦ୍ରାପଡ଼ା, ଦେଓଗଡ଼, ଯୋଡ଼ା, ପଟ୍ଟାମୁଣ୍ଡାଇ ଓ ବରଗଡ଼ର ମେଣ୍ଟର୍‌ ଭାବେ ବିଏମ୍‌ସିକୁ ଚୟନ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଭର୍ଚୁଆଲ୍‌ ଉପସ୍ଥିତିରେ ଆଜି ଏ ନେଇ ୫ ସହରର ପୌରାଧିକାରୀଙ୍କ ସହ ବିଏମ୍‌ସିର ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଆଗକୁ ଏହି ୫ ସହରକୁ ସ୍ବଚ୍ଛତା, ଆବର୍ଜନା ପରିଚାଳନା ଆଦି କ୍ଷେତ୍ରରେ ଭୁବନେଶ୍ବର ମହାନଗର ନିଗମ ଜ୍ଞାନ ଦେବ ଓ ସ୍ବଚ୍ଛ ସର୍ବେକ୍ଷଣରେ ଏହି ସହରମାନେ କିଭଳି ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବେ ସେ ଦିଗରେ ପ୍ରଚେଷ୍ଟା କରିବ। ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂହ, ମେୟର ସୁଲୋଚନା ଦାସ, କମିସନର୍‌ ଚଞ୍ଚଳ ରାଣା ଓ ଅନ୍ୟ ଅଧିକାରୀ, କର୍ପୋରେଟର୍‌ମାନେ ଉପସ୍ଥିତ ଥିଲେ।

Advertisment

ମେୟର ଶ୍ରୀମତୀ ଦାସ କହିଛନ୍ତି, ସ୍ବଚ୍ଛ ସର୍ବେକ୍ଷଣରେ ଯେଉଁମାନେ ଭଲ ପ୍ରଦର୍ଶନ କରି ଆଗରେ ରହିଛନ୍ତି, ସେମାନେ ଆଜି ଗୌରବ ଅନୁଭବ କରୁଛନ୍ତି କି ସେମାନଙ୍କୁ ମେଣ୍ଟର୍‌ ହିସାବରେ କେନ୍ଦ୍ର ସରକାର ଚୟନ କରିଛନ୍ତି। ସ୍ବଚ୍ଛ ସର୍ବେକ୍ଷଣରେ କିଛି ସହର ବହୁ ଭଲ ପ୍ରଦର୍ଶନ କରୁଛନ୍ତି ଓ ଅନ୍ୟ କିଛି ସହର ଏଥିରେ ବହୁ ତଳେ ରହିଛନ୍ତି। ଯେଉଁ ସହର ଆଗରେ ରହୁଛନ୍ତି, ସେମାନଙ୍କ ପାଇଁ ଗୌରବର ବିଷୟ। କିନ୍ତୁ ଅନ୍ୟମାନେ ବି ଏହି ପ୍ରତିଯୋଗିତାରେ ଆଗକୁ ଯିବାର ସମୟ ଓ ସୁଯୋଗ ସୃଷ୍ଟି ହୋଇଛି। ଇନ୍ଦୋର ସ୍ବଚ୍ଛତାରେ ୬ ଥର ପାଇଁ ୧ ନମ୍ବରରେ ରହିଛି। ଏହା ନିଶ୍ଚିତପକ୍ଷେ ସେମାନଙ୍କ ନିଷ୍ଠାପର ଉଦ୍ୟମର ପରିଚୟ। ଭୁବନେଶ୍ବର ମଧ୍ୟ ପୂର୍ବରୁ ସ୍ବଚ୍ଛତାରେ ବହୁ ପଛରେ ରହିଥିଲା। ୨୦୨୨ ମସିହାରେ ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ବରର ରୢାଙ୍କିଙ୍ଗ୍‌ ୮୪ ଥିଲା। ପରେ ୫୪ ଓ ଏବେ ନବମ ସ୍ଥାନକୁ ଆସିଛୁ। କେନ୍ଦ୍ର ସରକାର ବିଏମ୍‌ସିକୁ ଆଜି କେନ୍ଦ୍ରାପଡ଼ା, ଯୋଡ଼ା, ଦେଓଗଡ଼, ପଟ୍ଟାମୁଣ୍ଡାଇ ଓ ବରଗଡ଼ ସହରର ମେଣ୍ଟର ଭାବେ ବାଛିଛନ୍ତି। ଘରକୁ ଘର ଆବର୍ଜନା ସଂଗ୍ରହ, ଆବର୍ଜନା ପରିଚାଳନା, ଜନ ସହଯୋଗିତା ଆଦି କ୍ଷେତ୍ରରେ ଏହି ସହରମାନେ କିଭଳି ଆଗକୁ ଯିବେ ଓ ସ୍ବଚ୍ଛ ସର୍ବେକ୍ଷଣରେ ଭାଗ ନେଇପାରିବେ, ସେ ଦିଗରେ ଆମେ ଏହି ସହରଗୁଡ଼ିକୁ  ସହଯୋଗ କରି ଆଗକୁ ନେବାକୁ ‌ଚେଷ୍ଟା କରିବୁ। କମିସନର୍‌ ଶ୍ରୀ ରାଣା କହିଛନ୍ତି, କେବଳ ବିଏମ୍‌ସି ନୁହେଁ, ରାଜ୍ୟର ଅନ୍ୟ ସହର ପାଇଁ ଆସିକା ଓ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବି ମେଣ୍ଟର୍‌ ଭାବେ ବଛାଯାଇଛି ବୋଲି ଶ୍ରୀ ରାଣା ଆହ୍ବାନ ଦେଇଥିଲେ।