ରାଜଧାନୀରେ ବିଗିଡ଼ିଗଲାଣି ଆଇନଶୃଙ୍ଖଳା ସ୍ଥିତି

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। କେତେବେଳେ ରାଜଧାନୀ ଛାତି ଉପରେ ଥାନା ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ ହେଉଛି ତ କେତେବେଳେ ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି। କେବଳ ଏତିକି ନୁହେଁ ସବୁଠାରୁ ହାଇସିକ୍ୟୁରିଟି ଜୋନ୍‌ କୁହାଯାଉଥିବା ରାଜଭବନରେ ଚନ୍ଦନ କାଠ ମାଫିଆ ପଶିଗଲେଣି। ପୁଲିସ ଓ ଗୁଇନ୍ଦାକୁ ଚକ୍‌ମା ଦେଇ ଆନ୍ଦୋଳନକାରୀ ବିଧାନସଭା ସମ୍ମୁଖରେ ଡରାଇଲେଣି। ଲୁଟେରା ରାସ୍ତାଘାଟରେ ଲୁଟ୍‌ପାଟ କରି ଆତଙ୍କ ସୃଷ୍ଟି କଲେଣି। କିଏ ପୁଣି ବନ୍ଧୁକ ମୁନରେ ଦାଦାବଟି ଆଦାୟ କଲାଣି। ଲୁଟେରାଙ୍କ ଦୌରାତ୍ମ୍ୟ କଥା ନ କହିବା ଭଲ। ରାଜଧାନୀ ଗଳିକନ୍ଦି ଠାରୁ ଆରମ୍ଭ କରି ରାଜରାସ୍ତାରେ ଲୁଟେରା ମାତିଛନ୍ତି। ସେମାନଙ୍କ ଆତଙ୍କରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି। ବିଶେଷକରି ମହିଳା, ଯୁବତୀ ଅସୁରକ୍ଷିତ ହୋଇପଡ଼ିଛନ୍ତି।

ପୁଲିସକୁ ଚ୍ୟାଲେଞ୍ଜ୍‌ କରି ଅପରାଧୀ ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଇ ଚାଲିଛନ୍ତି। ପୁଲିସ ଆଖିରୁ ନିଦ ହଜାଇଦେଲେଣି। ଅପରାଧୀ ଓ ଅପରାଧ କ୍ରମାଗତ ଭାବେ ବଢ଼ି ଚାଲିବା କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପୁଲିସ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଇନ୍‌ଶୃଙ୍ଖଳା ପୁଲିସ ନିୟନ୍ତ୍ରଣରେ ଅଛି ତ?

ରାଜଭବନରୁ ଚନ୍ଦନଗଛ ଚୋରି

ରାଜ୍ୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ କୁହାଯାଉଥିବା ରାଜଭବନକୁ ସୁରକ୍ଷା ଦେଇପାରୁନି କମିସନରେଟ୍‌ ପୁଲିସ। ରାଜଭବନ ପରିସରରୁ ଲକ୍ଷାଧିକ ଟଙ୍କାର ଚନ୍ଦନଗଛ ଚୋରି ହୋଇଯାଇଛି। ରାଜଭବନ ପକ୍ଷରୁ ବିଧିବଦ୍ଧ ଭାବରେ ଏତଲା ଦିଆଯିବା ପରେ କ୍ୟାପିଟାଲ୍‌ ଥାନା ପୁଲିସ ମାମଲା ରୁଜୁ କରିଛି। ଘଟଣାକୁ ସପ୍ତାହେ ବିତିବାକୁ ବସିଲାଣି। ହେଲେ ପୁଲିସ ଅପରାଧୀଙ୍କ ଟେର୍‌ ପାଉନାହିଁ। ଉଦ୍‌ବେଗର କଥା ଯେ, ରାଜଭବନକୁ ସୁଉଚ୍ଚ ପାଚେରି ଘେରି ରହିଥିବା ବେଳେ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି। ମୁଖ୍ୟ ଫାଟକରେ ୨୪ ଘଣ୍ଟିଆ‌ ସୁରକ୍ଷା କର୍ମୀ ନିୟୋଜିତ ହେବା ସହ ସ୍ବତନ୍ତ୍ର ପୁଲିସ ଅଫିସର ମଧ୍ୟ ସୁରକ୍ଷା ଦାୟିତ୍ବରେ ଅଛନ୍ତି। ବିନା ଅନୁମତିରେ ରାଜଭବନ ଭିତରକୁ ପଶିବା ଅସମ୍ଭବ। ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମାଫିଆ ଚନ୍ଦନ ଗଛ କାଟି ନେଉଛନ୍ତି। ଅଥଚ ପୁଲିସ ଚନ୍ଦନ କାଠ ମାଫିଆଙ୍କ ପାଖରେ ପହଞ୍ଚିପାରି ନାହିଁ। ସବୁଠୁ ହାଇସିକ୍ୟୁରିଟି ଜୋନ୍‌ରେ ଥିବା ରାଜଭବନରେ ଯଦି ମାଫିଆ ପଶିପାରୁଛନ୍ତି, ତେବେ ଏଥିରୁ ରାଜଧାନୀର ସୁରକ୍ଷା ଅନୁମେୟ କରାଯାଇପାରେ।

ଥାନା ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ

ଗତ ନଭେମ୍ବର ୧ ତାରିଖ ରାତିରେ ଖାରବେଳନଗର ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଗଲା। ଚିତ୍କାର କରି ଡାକିଲେ ବି‌ କେହି ଶୁଣିବାକୁ ନଥିଲେ କି ପୁଲିସ ବି ପହଞ୍ଚିପାରି ନଥିଲା। ମହିଳା ଜଣଙ୍କ କଳେବଳେ କୌଶଳେ ଯୌନ ପିପାସୁଙ୍କ ପଞ୍ଝାରୁ ଖସି ଲୁଚିବା ପାଇଁ ରାତିସାରା ଏ ଗଳି ସେ ଗଳି ବୁଲିଲେ। ଖୋଜି ଖୋଜି ଶେଷରେ ଥାନାରେ ହାଜର ହୋଇ କୋହଭରା କଣ୍ଠରେ ‌କାଳ ରାତିର ଭୟଙ୍କର କଥାକୁ କହିଥିଲେ। ଘଟଣାରେ ପୁଲିସ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଥିଲା। ଉଦ୍‌ବେଗର କଥା‌ ଯେ, ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ଏକ ବ୍ୟାଙ୍କ ଚଟାଣରେ ମହିଳାଙ୍କୁ ଦୁଷ୍କର୍ମ କରାଯାଉଥିଲେ ବି ପୁଲିସ ଜାଣିପାରିନଥିଲା। କମିସନରେଟ୍‌ ପୁଲିସର ରାତ୍ରୀ ସୁରକ୍ଷା ବ୍ୟବସ୍ଥା, ପିସିଆର୍‌ ପାଟ୍ରୋଲିଂ କେତେ କଡ଼ାକଡ଼ି ସ୍ପଷ୍ଟ ବାରି ହେଉଛି।

ଫେଲ୍‌ ମାରିଲା ଗୁଇନ୍ଦା, ହାତ ଟେକିଦେଲା ପୁଲିସ

ଗତ ଏପ୍ରିଲ୍‌ ୧୮ ତାରିଖରେ ଡ୍ରାଇଭର ମହାସଂଘ ବିଧାନସଭା ଘେରାଉ କରି ପୁଲିସ ଓ ଗୁଇନ୍ଦାକୁ ଚକ୍‌ମାଦେଇଥିଲା। ନା ପୁଲିସ ନା ଗୁଇନ୍ଦା କେହି କିଛି ବୁଝିପାରିନଥିଲେ। ରାତିସାରା କମିସନରେଟ୍‌ ପୁଲିସ ରସୁଲଗଡ଼, କଳ୍ପନା, ଖଣ୍ଡଗିରି ଓ ନନ୍ଦନକାନନ ୪ ପ୍ରବେଶ ପଥରେ ପହରା ମାରିଥିଲେ ବି ଚାଳକଙ୍କ ଗତିବିଧି ବିଷୟରେ ଜାଣିପାରି ନଥିଲା। ରାତି ଦୁଇଟା ବେଳକୁ ଚାଳକମାନେ ସବୁ ସୁରକ୍ଷା ବଳୟକୁ ଭେଦ କରି ପୂରା ରାଜଧାନୀରେ ଛାଇଯାଇଥିଲେ। ସେମାନେ ଖାଲି ହାତରେ ଆସିନଥିଲେ; ବରଂ ଗାଡ଼ିରେ ଭର୍ତ୍ତି ହୋଇ ଆସିଥିଲା ଠେଙ୍ଗା। ସକାଳ ହେଉ ହେଉ ଠେଙ୍ଗା ଧରି ହଜାର ହଜାର ଡ୍ରାଇଭର ମାଷ୍ଟର କ୍ୟାଣ୍ଟିନ୍‌ରୁ ଗାନ୍ଧୀମାର୍ଗକୁ ନିଜ କବ୍‌ଜାକୁ ନେଇଗଲେ। ଗାନ୍ଧୀମାର୍ଗରୁ ଆରମ୍ଭ ହୋଇଥିବା ହିଂସା ଚାହୁଁ ଚାହୁଁ ସାରା ସହରକୁ ମାଡ଼ି ଯାଇଥିଲା। ଦଳ ଦଳ ହୋଇ ସେମାନେ ସହରର ଗଳିକନ୍ଦି ଖେଦି ଯାଇ ହଙ୍ଗାମା କରିଥିଲେ। କେଉଁଠି ଗାଡ଼ି ଭାଙ୍ଗିଲେ, କେଉଁଠି ଲୋକଙ୍କୁ ପିଟିଲେ। କେଉଁଠି ରାସ୍ତା ଉପରେ ଧାରଣା ଦେଇ ଚକ ଅଖ ଜାମ୍‌ କରିଦେଲେ। ଚାରି ଆଡ଼ୁ ଏମିତି ସଣ୍ଢୁଆଶି ଆକ୍ରମଣ କଲେ ଯେ, ପୁଲିସ ଜଳକା ପାଲଟିଗଲା। ଏମିତିକି ବିଧାନସଭା ସାମ୍ନାକୁ ଯାଇ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ଅଧିକାରୀମାନେ ଯେମିତି ସେମାନଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ନିକଟ ଅତୀତରେ ରାଜଧାନୀରେ ଏପରି ଘଟଣା ଘଟି ନ ଥିଲା।

ଡିସିପି କାର୍ଯ୍ୟାଳୟ ଆଗରେ ହାଣି ହତ୍ୟା କଲେ

ଗତ ସେପ୍ଟେମ୍ବର ୧ ତାରିଖ ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟିଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ। ମେଟ୍ରୋ ଟାୱାର୍‌ ନିକଟରେ ପାନ ଦୋକାନ କରିଥିବା ସହିଦନଗର ଥାନା ପଥରବନ୍ଧ ବସ୍ତିର ସୌମ୍ୟରଞ୍ଜନ କୁଣ୍ଡୁ(୨୯)ଙ୍କୁ ସେହି ବସ୍ତିର ଦୁଇ ଯୁବକ ଗୋଡ଼ାଇ ଗୋଡ଼ାଇ କଟୁରିରେ ହାଣି ହତ୍ୟା କରିଥିଲେ। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ଦୁଇ ଅଭିଯୁକ୍ତ ଅଶୋକ ଦାସ ଓରଫ୍ କାବୁ(୩୫) ଓ ମଞ୍ଚେଶ୍ବର ଥାନା ଧିରିକୁଟି ବସ୍ତିରେ ରହୁଥିବା ଯାଜପୁର ମଙ୍ଗଳପୁର ଅଞ୍ଚଳର ମନୋଜ ଦାସ ଓରଫ୍ ପପୁନି(୩୦)କୁ ଗିରଫ କରିଥିଲା। ସବୁଠୁ ଉଦ୍‌ବେଗର କଥା ଯେ, ଅପରାଧୀ ଚୋରି କି ଛିନ୍‌ତାଇ ନୁହେଁ; ଖୋଦ ଡିସିପିଙ୍କ ଅଫିସଠାରୁ ମାତ୍ର କେଇ ମିଟର ଦୂରରେ ହତ୍ୟା କରିବାକୁ ବି ପଛାଉନାହାଁନ୍ତି।

ସମ୍ବନ୍ଧିତ ଖବର