ଭୁବନେଶ୍ବର : କମିସନରେଟ୍ ପୁଲିସକୁ ବେଖାତିର କଲେଣି ରାଜଧାନୀର ଅସାମାଜିକ ତତ୍ତ୍ବ। କଥା କଥାକେ ମୁଣ୍ଡ ଗଡ଼ାଇବାକୁ ପଛାଉ ନାହାନ୍ତି। ସାମାନ୍ୟ ବଚସାରୁ ବାହାରୁଛି ମାରଣାସ୍ତ୍ର। ବନ୍ଧୁକ, ଖଣ୍ଡା, ଭୁଜାଲି, ଛୁରି ଭଳି ମାରଣାସ୍ତ୍ର ଧରି ବେଧଡ଼କ ବୁଲୁଛନ୍ତି ଅପରାଧୀମାନେ। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କ ସମ୍ମୁଖରେ ରାଜଧାନୀରେ ଘଟୁଛି ହତ୍ୟାକାଣ୍ଡ। ରାଜରାସ୍ତା ଭିଜୁଛି ରକ୍ତରେ। ଏଠି ଅପରାଧୀଙ୍କ ପାଇଁ ରାତି ଦିନ ସବୁ ସମାନ। ଦିନ ବେଳା ଘରେ ପଶି ଯାଉଛନ୍ତି ଅପରାଧୀ। ଲୁଟ୍ ଛିନ୍ତାଇର ହିସାବ ନାହିଁ। ସବୁଆଡ଼େ ଖେଳାଇ ହୋଇ ରହିଛନ୍ତି ଲୁଟେରା। ଡକାୟତି ସିନ୍ଧିଚୋରି ବି କିଛି କମ୍ ନୁହେଁ। ଘର ଛାଡ଼ି ସହର ବାହାରକୁ ଗଲେ, କଳାକନା ବୁଲିଯାଉଛି। ରାଜପଥ ଉପରେ ବ୍ୟାଙ୍କ ଏଟିଏମ୍, ସୁନାଗହଣା ଦୋକାନ କିଛି ସିନ୍ଧିଚୋରଙ୍କ ନଜରରୁ ବର୍ତ୍ତିପାରୁନି। ଏଠି ଆଇନଶୃଙ୍ଖଳା ବୋଲି କିଛି ଅଛି କି ନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ‘ୱି କେୟାର, ୱି ଡେୟାର’ ନାରା କୋଉ କାମକୁ ବୋଲି ଲୋକେ ସମାଲୋଚନା କରୁଛନ୍ତି। ଏମିତିକି ଏବେ ଏଠି ଘରୁ ଗୋଡ଼ କାଢ଼ିବା ପରେ ପାଦେ ପାଦେ ବିପଦ ବୋଲି ଅନେକ ଲୋକ କହିଲେଣି। ଗତ କିଛି ଦିନ ଭିତରେ ରାଜଧାନୀରେ ଘଟିଥିବା ହତ୍ୟାକାଣ୍ଡର ତାଲିକା ଉପରେ ନଜର ପକାଇଲେ, କମିସନରେଟ୍ ପୁଲିସକୁ ଅପରାଧୀଙ୍କ ଫୁ’ ଜଳଜଳ ହୋଇ ଦେଖାଯାଉଛି। ଶନିବାର ସନ୍ଧ୍ୟାରେ ଗଜପତିନଗର ପ୍ରେସ୍ ଛକରେ ଘଟିଛି ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ। ଛୁରିରେ ଭୁସି ଗାଡ଼କଣର ଚିଣ୍ଟୁ ପରିଡ଼ାଙ୍କୁ ହତ୍ୟା କରାଯାଇଛି।
/sambad/media/post_attachments/wp-content/uploads/2022/01/murder-presschhak-aaa-1.jpg)
୨୦୨୧ ସେପ୍ଟେମ୍ବର: ଦିନ ପ୍ରାୟ ୧୨ଟା। ଫାୟାର୍ଷ୍ଟେସନ ଛକରେ ସ୍ବିଗି ବୟ ସୌମ୍ୟଙ୍କୁ ହୋଇଥିଲା ପ୍ରାଣାନ୍ତକ ଆକ୍ରମଣ। ଏକ ଫାଇନାନ୍ସ କମ୍ପାନିର କର୍ମଚାରୀ ପରିଚୟ ଦେଉଥିବା ଦୁର୍ବୃତ୍ତମାନେ ସୌମ୍ୟ ଓ ତାଙ୍କ ଭାଇକୁ ଖଣ୍ଡାରେ ହାଣି ପକାଇଥିଲେ। ଖଣ୍ଡା ଚୋଟରେ ଖପୁରି ୨ ଖଣ୍ଡ ହୋଇଯାଇଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା।
୨୦୨୧ ଅଗଷ୍ଟ: ରାତି ପ୍ରାୟ ୧୦ଟା। ଡୁମୁଡୁମା ରଘୁନାଥନଗର ଅଞ୍ଚଳର ମୋବାଇଲ୍ ଦୋକାନୀ ସନାତନ ଘରକୁ ଫେରୁଥିବା ବେଳେ ପୂର୍ବରୁ ଛକିଥିବା କିଛି ଯୁବକ ଓ ମହିଳା ତାଙ୍କୁ ଆକ୍ରମଣ କରିଥିଲେ। ମହିଳାମାନେ ସନାତନଙ୍କ ହାତକୁ ଜାବୁଡ଼ି ଧରିବା ବେଳେ ରାଜା ନାମକ ଜଣେ ନିଶାମାଫିଆ ତାଙ୍କ ପେଟ ଓ ଛାତିକୁ ଛୁରିରେ ଭୁସି ପକାଇଥିଲା। ରାସ୍ତା ଉପରେ ସନା ଟଳିପଡ଼ିଥିଲେ।
୨୦୨୧ ଡିସେମ୍ବର: ରସୁଲଗଡ଼ ଛକରେ ସନ୍ଧ୍ୟାବେଳଟାରେ ସୁନ୍ଦରପଦାର ସନ୍ତୋଷ ରାଉତଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। କେହି ଜଣେ ମୁଖାପିନ୍ଧା ଯୁବକ ଅତର୍କିତ ଭାବେ ସନ୍ତୋଷଙ୍କୁ ଏତେ ଲୋକଙ୍କ ସମ୍ମୁଖରେ ଛୁରି ଭୁସି ଫେରାର୍ ହୋଇଗଲା। ଏହି ମାମଲାରେ ପୁଲିସ ଏବେ ବି ହତ୍ୟାକାରୀର ପତ୍ତା ପାଇପାରିନାହିଁ।
୨୦୨୧ ମାର୍ଚ୍ଚ: ନୂଆପଲ୍ଲୀ ଏନ୍-୧ ଅଞ୍ଚଳରେ ରାସ୍ତା ଉପରେ ୨ ଭାଇ ସାଲିଆସାହିର ଜଟିଆ ନାମକ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରିଥିଲେ। ଦିନ ଦି’ପହରରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅବଶ୍ୟ ଲୋକେ ହତ୍ୟାକାରୀ ୨ ଭାଈଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।
୨୦୨୧ ଡିସେମ୍ବର: ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ତେବେ ସୁନ୍ଦରପଦାର ଦୀପକ ରାଉତରାୟ କୌଣସି ଗୋଷ୍ଠୀର ସଦସ୍ୟ ହୋଇନଥିଲେ ମଧ୍ୟ କପିଳପ୍ରସାଦର ୫ ଜଣ ତାଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/murder_uttejana-press-chhak-1-1.jpg)