ଭୁବନେଶ୍ୱର : ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ପୁଲିସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଅପରାଧ। ବିଧାନସଭା ଅଧିବେଶନ ସମୟରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ରହିଥିବା ବେଳେ ଅପରାଧୀଙ୍କ କାର୍ଯ୍ୟକଳାପ ଆଇନଶୃଙ୍ଖଳା ବ୍ୟବସ୍ଥାରେ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ଦିନ ଦି’ପହରେ ସାମନ୍ତରାପୁର ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ହତ୍ୟାକାରୀମାନେ ପ୍ରାୟ ୧୦ ମିନିଟ ଧରି ବ୍ୟବସାୟୀ ପ୍ରଭାକର ସାହୁ ଓରଫ ଜମ୍ବୁଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଥିଲେ। ଆଖି ଆଗ‌ରେ ହତ୍ୟାକାଣ୍ଡ ଦେଖି ଶହ ଶହ ଲୋକ ଭୟଭୀତ ହୋଇପଡ଼ିଥିଲେ। ପୂରା ତେଲୁଗୁ ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି ହତ୍ୟାକାଣ୍ଡ ରାଜଧାନୀରେ ଆତଙ୍କ ଖେଳାଇ ଦେଇଛି। ତିନିଦିନ ତଳେ ବିଧାନସଭା ସାମ୍ନାରେ ନୟାଗଡ଼ ଦଶପଲ୍ଲାର ଜଣେ ଯୁବକ ତାଙ୍କ ମା’ଙ୍କ ବେକରେ ଛୁରି ଲଗାଇ ଉନ୍ମତ୍ତ କାଣ୍ଡ ଘଟାଇବା ଆଲୋଡ଼ନ ସୃଷ୍ଟି କରିଥିଲା। କେବଳ ଏହି ଦୁଇଟି ଘଟଣା ନୁହେଁ, ମାସକ ଭିତରେ ଏକାଧିକ ଘଟଣା କମିସନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Advertisment

publive-image haribhoomi.com

ପ୍ରାଣାନ୍ତକ ଆକ୍ରମଣ କରି ବୃଦ୍ଧାଙ୍କୁ ଲୁଟ୍
୨୭ ଜୁଲାଇ: ନୂଆପଲ୍ଲୀ ଏନ୍-୪ରେ ବରିଷ୍ଠ ନାଗରିକ ତୁଳସୀ ଦେଈଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟ୍ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଗୁରୁତର ତୁଳସୀ ଶେଷରେ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଘଟଣାକୁ ଦୁଇ ମାସରୁ ଅଧିକ ଦିନ ବିତି ଯାଇଥିଲେ ବି ଏଯାଏଁ ଦୁର୍ବୃତ୍ତଙ୍କ ଟେର୍ ପାଇ ପାରି ନାହିଁ ପୁଲିସ।

ସ୍ପଷ୍ଟ ଦିବାଲୋକରେ ଦୁଇ ବ୍ୟାଙ୍କ ଲୁଟ୍
ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଦୁଇ ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣା କମିସନ‌ରେଟ୍‌ ପୁଲିସ ପାଇଁ ଆଉ ଏକ ବଡ଼ ଚାଲେଞ୍ଜ ହୋଇ ଛିଡ଼ା ହୋଇଛି। ସବୁଠୁ ବଡ଼ କଥା ହେଲା, ଜଣେ ଲୁଟେରା ସବୁ ବ୍ୟବସ୍ଥାକୁ ଚାଲେଞ୍ଜ ଦେଇ ଏହି ଲୁଟ୍ ଘଟାଇବା କମିସନରେଟ ପୁଲିସର ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ପ୍ରଥମ ଘଟଣାଟି ଘଟିଥିଲା, ସେପ୍ଟେମ୍ବର ୭ ତାରିଖରେ। ଇନଫୋସିଟି ଥାନା ନନ୍ଦନବିହାରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଜଣେ ବନ୍ଧୁକଧାରୀ ଦୁର୍ବୃତ୍ତ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୨ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିଲା। ଏହି ଘଟଣାର ପର୍ଦାଫାସ୍ ନ ହେଉଣୁ ପୁଣି ଆଉ ଏକ ବ୍ୟାଙ୍କ ଲୁଟ୍ ଚିନ୍ତାର କାରଣ ସାଜିଛି। ସେପ୍ଟେମ୍ବର ୨୮ ତାରିଖରେ ମଞ୍ଚେଶ୍ବର ଥାନା ବରିମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ବନ୍ଧୁକଧାରୀ ଦୁର୍ବୃତ୍ତ ୯ ଲକ୍ଷ ୫୦ ହଜାର ଟଙ୍କା ଲୁଟିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି ସେପ୍ଟେମ୍ବର ୮ ତାରିଖରେ ପାହାଳ ନିକଟରୁ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଜଣେ ମହିଳାଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ୍ ମାମଲାରେ ମଧ୍ୟ ପୁଲିସ କୌଣସି ସଫଳତା ପାଇନାହିଁ।

publive-image DNA India

ବିଚ୍ ରାସ୍ତାରେ ମାମୁ ଭଣଜାଙ୍କୁ ହାଣିଲେ
ଦୀର୍ଘ ଦିନ ଧରି ଗୌତମନଗର ଅଞ୍ଚଳରେ ଆତଙ୍କ ଖେଳାଉଥିବା ୩୦ରୁ ଅଧିକ ମାମଲାରେ ସମ୍ପୃକ୍ତ କୁଖ୍ୟାତ ଅପରାଧୀ ରାମାରାଓ ଏବଂ ତା’ର ସହଯୋଗୀ ଦାଦାବଟି ପାଇଁ ସେପ୍ଟେମ୍ବର ୭ ତାରିଖ ରାତିରେ ମାମୁ ମଣ୍ଟୁ ମହାନ୍ତି ଓ ତାଙ୍କ ଭଣଜା ରାଜକିଶୋର ରାୟଙ୍କୁ ହାଣିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମୃତ୍ୟୁମୁଖରୁ ମାମୁ-ଭଣଜା ଅଳ୍ପକେ ବର୍ତି ଯାଇଥିଲେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଡିସିପିଙ୍କୁ ଫେରାଦ ହୋଇଥିଲେ। ଏହାପରେ ପୁଲିସ ତତ୍ପରତା ଦେଖାଇଥିଲା।

publive-image

ହତ୍ୟା ଅଭିଯୁକ୍ତଙ୍କ ଶୋଭାଯାତ୍ରା
ବହୁଚର୍ଚ୍ଚିତ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଗତବର୍ଷ ଦୀପାବଳିରେ ଅମରେଶ ନାୟକ ହତ୍ୟା ମାମଲାର ୪ ଅଭିଯୁକ୍ତ ଜାମିନରେ ଜେଲରୁ ମୁକୁଳିବା ପରେ ରାସ୍ତାରେ ବିରାଟ ଶୋଭାଯାତ୍ରାରେ ଯାଇଥିଲେ। ସବୁ ନିୟମକାନୁନ, କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରି ୫ଟି ଥାନାର ସୀମା ଡେଇଁ ଶହ ଶହ ସମର୍ଥକଙ୍କ ସହ ଯାଇଥିଲେ। ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର ଶହେ ମିଟର ଦୂର, ଏୟାରଫିଲ୍ଡ ଥାନା ଦୁଆର ମୁହଁ ଦେଇ ଯାଇଥିଲେ ମଧ୍ୟ ପୁଲିସ ଜାଣି ପାରି ନ ଥିଲା। ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସ ଜଣେ ଅଭିଯୁକ୍ତ ଓ ଶୋଭାଯାତ୍ରାରେ ସାମିଲ ହୋଇଥିବା ୧୦ରୁ ଅଧିକ ଯୁବକଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ରାଜଧାନୀ ଆଇନଶୃଙ୍ଖଳା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

ନାବାଳକ ହତ୍ୟାକୁ ନେଇ ଭରତପୁରରେ ତୁମୁଳକାଣ୍ଡ
ସେପ୍ଟେମ୍ବର ୮ତାରିଖରେ ଖଣ୍ଡଗିରି ଭରତପୁରରେ ନାବାଳକ ହତ୍ୟାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ଆକ୍ରମଣ ପରଠାରୁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁ ନ ଥିବା ପ୍ରତିବାଦରେ ସ୍ଥାନୀୟ ଲୋକ ଏକ ଦୋକାନ ପୋଡ଼ିଦେବା ସହ ଖଣ୍ଡଗିରି ଥାନା ଘେରାଉ କରିଥିଲେ। ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ୪ଜଣଙ୍କୁ ଗିରଫ କରିଥିଲା।

publive-image

ଗଳିକନ୍ଦିରେ ପୁଲିସ ଚେକିଂ
କରୋନା କଟକଣା ସନ୍ତୋଷଜନକ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଏବେ ଅତିରିକ୍ତ ପୁଲିସ ସହାୟତାରେ ଆରମ୍ଭ ହୋଇଛି ଜୋରଦାର କାର୍ଯ୍ୟାନୁଷ୍ଠାନ। ରାଜଧାନୀରେ ବିଭିନ୍ନ ଛକ, ଗଳିକନ୍ଦରେ ପୁଲିସ ଚେକିଂ ଚାଲିଛି। କିନ୍ତୁ ଏହି ସମୟ ଭିତରେ ବ୍ୟାଙ୍କ ଲୁଟ୍, ରାହାଜାନି, ହତ୍ୟାକାଣ୍ଡ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପୁଲିସ ପାଇଁ କ’ଣ ରହିଛି ଚାଲେଞ୍ଜ?
ରାଜଧାନୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ୬୫୦ରୁ ଅଧିକ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଲେଣି। ମଞ୍ଚେଶ୍ବର, ଖାରବେଳନଗର, ବଡ଼ଗଡ଼, ତମାଣ୍ଡୋ, କ୍ୟାପିଟାଲ ଥାନା ଥାନାରେ ପ୍ରାୟ ୮୦ ପ୍ରତିଶତରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଥିଲେ। କିଛି କର୍ମଚାରୀ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ମୁକାବିଲା ଓ ଆଇନଶୃଙ୍ଖଳା ପୁଲିସ ପାଇଁ ଚାଲେଞ୍ଜିଂ ହୋଇଛି।