ଭୁବନେଶ୍ୱର: ନୋଡାଲ ସେଣ୍ଟରରୁ ଚୋରି ହୋଇଛି ଆଇନ (୩ ବର୍ଷିଆ ଲ’) ଛାତ୍ରଛାତ୍ରୀଙ୍କ ଖାତା। ସେଣ୍ଟରର ଝରକା ତଡ଼ା ଯାଇନି, କବାଟ କିମ୍ବା ତାଲା ମଧ୍ୟ ଭଙ୍ଗା ଯାଇନି। ହେଲେ ସେଣ୍ଟରୁ ଉଭାନ ହୋଇଯାଇଛି ୨ଶହ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା। ଘଟଣା ଘଟିଛି କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରେ। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ମଧୁସୂଦନ ଲ’ କଲେଜ୍‌ର ଖାତା ହିଁ ହଜିଛି। ଏଥିରେ କଲେଜ୍‌ର କିଛି କର୍ମଚାରୀ କିମ୍ବା ଛାତ୍ର ସାମିଲ ଥିବା ପୁଲିସ ସନ୍ଦେହ କରୁଛି। ଅପରପକ୍ଷରେ ଘଟଣାକୁ ୧୦ ଦିନରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଚୋରିର ସୁରାକ ମିଳୁନି। କର୍ତ୍ତୃପକ୍ଷ ମାଲଗୋଦାମ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରୁ ସିସିଟିଭି କ୍ୟାମେରାରୁ ଫୁଟେଜ୍‌ ଆଣି ଯାଞ୍ଚ କରିଛି।

Advertisment

ଏତଲା ଦେଇ ନୋଡାଲ ସେଣ୍ଟର କର୍ତ୍ତୃପକ୍ଷ ଚୁପ୍‌ ବସିଥିବା ବେଳେ ହରଡ଼ଘଣାରେ ପଡ଼ିଛି ଉତ୍କଳ ବିଶ୍ବବିଦ୍ୟାଳୟ। ଅନ୍ୟ ବିଷୟରେ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ଦେଖି ଚୋରି ହୋଇଥିବା ଖାତାରେ ‘ଆଭ୍‌ରେଜ୍‌ ମାର୍କ’ ଦେବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। କିନ୍ତୁ ଅଧିକ ମାର୍କ ପାଇବା ପାଇଁ ଆଶା କରୁଥିବା ଛାତ୍ରଛାତ୍ରୀ ଏଭଳି ନିଷ୍ପତ୍ତି ବିରୋଧରେ କୋର୍ଟକୁ ଯିବ‌ା ଆଶଙ୍କା ରହିଛି। ଏ ନେଇ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି କହିଛନ୍ତି, ଖାତା ଦେଖା ପାଇଁ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ନୋ‌ଡାଲ ସେଣ୍ଟର କରା ଯାଇଥିଲା। ଖାତା ଦେଖା ଆରମ୍ଭ ହେବା ପୂର୍ବରୁ ଏଠାରୁ ଖାତା ଚୋରି ହୋଇଥିବା ଜଣା ପଡ଼ିଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁସନ୍ଧାନ କରାଯିବା ପରେ ଜଣା ପଡ଼ିଥିଲା କି ୪ର୍ଥ ସେମିଷ୍ଟରର ୩ଟି ପେପର ଚୋରି ହୋଇଛି। ଏହା ଉପରେ ବିଚାର ବିମର୍ଷ ଚାଲିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମାଝି କହିଛନ୍ତି। ଗତ ଜୁଲାଇ ମାସରେ ଏହି ପରୀକ୍ଷା ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୧୫ କଲେଜ୍‌ର ୨ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କ ଖାତା ଏହି ନୋଡାଲ ସେଣ୍ଟରକୁ ମୂଲ୍ୟାୟନ ପାଇଁ ଯାଇଥିଲା।