୧୨ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ପୁରୁଣା ଭୁବନେଶ୍ୱର: ୧୨ତାରିଖରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ। ଚଳିତ ବର୍ଷ ସଭାପତି ପଦ ପାଇଁ ଦୁର୍ଗା ମାଧବ ମିଶ୍ର ଓ ରବି ନାରାୟଣ ସାମନ୍ତରାୟ ନିର୍ବାଚନ ଲଢ଼ୁଥିବା ବେଳେ ଉପସଭାପତି ପାଇଁ ଅଶୋକ କୁମାର ବେହେରା ଓ ଦେବୀଦତ୍ତ ବାରିକ୍‌ ଲଢ଼ୁଛନ୍ତି। ସମ୍ପାଦକ ପଦ ପାଇଁ ଅଞ୍ଜନ କୁମାର ସାମନ୍ତରାୟ ଓ ଲକ୍ଷ୍ମୀଧର ମହାପାତ୍ର ମଇଦାନକୁ ଓହ୍ଲାଇଛନ୍ତି। ସେହିପରି କୋଷାଧ୍ୟକ୍ଷ ପାଇଁ ୩ଜଣ, ଯୁଗ୍ମ ସମ୍ପାଦକ ପାଇଁ ୩ଜଣ, ସହ-ସମ୍ପାଦକ ପାଇଁ ୨ଜଣ, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ପୁରୁଷ ୧୨ ଓ ୩ ମହିଳା ମଇଦାନ୍‌କୁ ଓହ୍ଲାଇଛନ୍ତି। ସେଦିନ ସକାଳ ୮ଟାରୁ ଅପରାହ୍ଣ ୨ଟା ମଧ୍ୟରେ ନିର୍ବାଚହ୍ନ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ସଂଘର ସଭ୍ୟମାନଙ୍କ ପରିଚୟପତ୍ର କଡ଼ା କଡ଼ି ଯାଞ୍ଚ ହେବ ବୋଲି ନିର୍ବାଚନ ଅଧିକାରୀଙ୍କଠୁ ସୂଚନା ମିଳିଛି। ୧୧ରେ ଆସିବେ ମୁଖ୍ୟ ବିଚାରପତି: ଭୁବନେଶ୍ୱର ଓକିଲ ସଂଘର ବାର୍ଷିକ ଉତ୍ସବ ଓ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ୍‌ର ଭୂମି ପୂଜନ ୧୧ରେ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ସୁପ୍ରିମ୍‌ କୋର୍ଟର ମୁଖ ବିଚାରପତି ଦୀପକ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭୀନିତ ସରନ୍‌ ଯୋଗଦେବେ। ଆଜି କୋର୍ଟ ପରିସରରେ ଥିବା ୭ଟି ଅସ୍ଥାୟୀ ହୋଟେଲ ଓ ୧୨ଟି ଚା’ ଦୋକନର ଜବର ଦଖଲକୁ ଉଚ୍ଛେଦ କରାଯାଇଛି। ଶନିବାର ଅନ୍ୟ ସମସ୍ତ ଉଠା ଦୋକନକୁ ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ନୋଟିସ୍‌ କରାଯାଇଛି।

ସମ୍ବନ୍ଧିତ ଖବର