ଭୁବନେଶ୍ବର ବାର୍‌ରେ‌ ଆଇନଜୀବୀ ଦିବସ: ‘ମଧୁବାବୁଙ୍କ ପାଇଁ ଭାରତରତ୍ନ ବି କମ୍‌ ପଡ଼ିବ’

ଭୁବନେଶ୍ୱର: ଓଡ଼ିଶାକୁ ବାଦ୍‌ ଦେଇ ଭାରତ କଥା ଚିନ୍ତା କରାଯାଇପାରିବ ନାହିଁ। ଭାରତକୁ ବାଦ୍‌ ଦେଇ ବିଶ୍ବର ପରିକଳ୍ପନା କରାଯାଇ ପାରିବ ନାହିଁ। ମଧୁବାବୁ ଏଭଳି ଆଦର୍ଶରେ ବିଶ୍ବ ଭାତୃତ୍ବର ଆହ୍ବାନ ନେଇ ସଂଗ୍ରାମ କରୁଥିଲେ। ସୈନିକ ଭଳି ସାହସ ଏବଂ ବୁଲେଟ୍‌ ଭଳି ଥିଲା ତାଙ୍କ କଥା। ପ୍ରତ୍ୟେକ ଓଡ଼ିଆକୁ ଜାଗ୍ରତ କରାଇବାର କଳା ତାଙ୍କ ପାଖରେ ଥିଲା। ଚୈତନ୍ୟଙ୍କ ଦୂରଦୃଷ୍ଟି, ବୁଦ୍ଧଙ୍କ ଏକାଗ୍ରତା, ରାମାନନ୍ଦଙ୍କ ଆଦର୍ଶକୁ ନେଇ ଆସିଥିଲେ ମଧୁବାବୁ। ଭାରତରତ୍ନ ଦିଆଗଲେ ବି ତାଙ୍କ ପାଇଁ କମ୍‌ ହେବ। ମଧୁବାବୁଙ୍କ ୧୭୧ ତମ ଜୟନ୍ତୀ ଅବସରରେ ଭୁବନେଶ୍ବର ବାର୍‌ ଆସୋସିଏସନ ପରିସରରେ ଆୟୋଜିତ ଆଇନଜୀବୀ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି।

ଅନ୍ୟତମ ଅତିଥି ଭା‌ବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କଳ୍ପେଶ ସତ୍ୟେନ୍ଦ୍ର ଝାବେରୀ ଯୋଗଦେଇ କହିଥିଲେ, ମଧୁବାବୁଙ୍କ ଉଦ୍ୟମ ବଳରେ ଓଡ଼ିଶାରେ ହାଇକୋର୍ଟ ହୋଇପାରିଛି। ଜଣେ ଆଇନଜୀବୀ ଭାବରେ ନୁହେଁ, ବରଂ ଜଣେ ସଂଗଠକ ଭାବେ ସେ ଅନେକଙ୍କର ପଥ ପ୍ରଦର୍ଶକ ‌ହୋଇଛନ୍ତି। ଜଣେ ସାମ୍ବାଦିକ, ଶିଳ୍ପପତି, ସଂଗଠକ ଭାବରେ ଭାରତବର୍ଷ ତାଙ୍କୁ ମନେ ରଖିବ। ଆଧୁନିକ ଓଡ଼ିଶାର ସ୍ରଷ୍ଟା ଭାବରେ ସେ ଅଗ୍ରଗଣ୍ୟ। ତାଙ୍କର ଆଦର୍ଶ ପ୍ରତ୍ୟେକଙ୍କର ପାଥେୟ ହେଉ ବୋଲି ସେ କହିଛନ୍ତି। ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ‘ମଧୁ ସମ୍ମାନ’ରେ ସମ୍ମାନିତ କରିଥିଲେ। ଭୁବନେଶ୍ବର ଓକିଲ ସଂଘ ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ ସଭା ପରିଚାଳନା କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିବା ଅବସରରେ ଓକିଲ ସଂଘ ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି କହିଥିଲେ, ୧୯୬୧ ମସିହାରେ ୫ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଭୁବନେଶ୍ବର ବାର୍‌ରେ ଆଜି ୫ ହଜାର ସଦସ୍ୟ ହେଲେଣି। ବିଭିନ୍ନ ଜାଗାରେ ଖେଳେଇ ହୋଇ ୩୦କୋର୍ଟ ରହିଥିବାରୁ ସମସ୍ୟା ହେଉଛି। ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣାଧୀନ ରହିଛି, ଶେଷ ହୋଇପାରିନାହିଁ। କାମ ତୁରନ୍ତ ସାରିବା ଜରୁରୀ ହୋଇଛି। ବାର୍‌ର ବୟସ ୫୯ ଛୁଇଁଥିଲେ ମଧ୍ୟ ଏହାର ପରିସରକୁ ସ୍ଥାୟୀ ବିଦ୍ୟୁତ ସଂଯୋଗ ନାହିଁ। ଫଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଘଟିଲେ କୋର୍ଟ ପରିସରରେ ମାମଲା ପରିଚାଳନା ସମୟରେ ସମସ୍ୟା ଉପୁଜୁଛି। ‌ସେହିଭଳି ବିଭିନ୍ନ କୋର୍ଟରେ ୮୦ ହଜାରରୁ ଅଧିକ ମାଜିଷ୍ଟେରିଆଲ ଏବଂ ୧୦ ହଜାରରୁ ଅଧିକ ସିଭିଲ ମାମଲା ପଡ଼ି ରହିଛି।ଏହାର ତ୍ବରିତ ବିଚାର ପାଇଁ ଅଧିକ ଜଜ୍‌ଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଓକିଲ ସଂଘ ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ କହିଥିଲେ, ମଧୁବାବୁଙ୍କ ଆଦର୍ଶ ନେଇ ପ୍ରତ୍ୟେକ କାମ କଲେ ଏକ ନୂଆ ଓଡ଼ିଶା ଗଠନ ସମ୍ଭବ ହେବ। ସେ ଯେତିକି ଆମ ପାଇଁ କରିଛନ୍ତି, ଆମେ ତାଙ୍କ ପାଇଁ କିଛି କରିନାହେଁ। ତାଙ୍କୁ ଭାରତରତ୍ନ ଦେବା ପାଇଁ ରାଜ୍ୟପାଳ ତାଙ୍କ ନାମକୁ ସୁପାରିସ୍‌ କରନ୍ତୁ ବୋଲି ସେ କହିଥିଲେ। ଏହି ଅବସରରେ ‘କାକର’ ଉନ୍ମୋଚିତ କରାଯିବା ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓ ଦୌରାଜଜ୍‌ ସତ୍ୟନାରାୟଣ ମିଶ୍ର, ଅନ୍ୟ ସ୍ବତନ୍ତ୍ର ଜଜ୍‌, ଅତିରିକ୍ତ ଜଜ୍‌ଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ଥିଲେ। ଅତିଥିମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ବିପିନ୍‌ ବଳିୟାରସିଂହ ମଞ୍ଚାସୀନ ଥିବା ବେଳେ କୋଷାଧ୍ୟକ୍ଷ ସଞ୍ଜୀବ ଦାସ, ସହ ସମ୍ପାଦିକା ଅମୂଲ୍ୟା ମହାନ୍ତି, ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌ ପ୍ରବୀର ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ଅନୁରାଗ ମହାପାତ୍ର ଓ ସ୍ବାଗତ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର