ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ମୃତ୍ୟୁ ମାମଲା: ହାଇକୋର୍ଟରେ ଅଭିଯୁକ୍ତର ଜାମିନ ଖାରଜ

ଭୁବନେଶ୍ବର: ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ଘଟଣାରେ ଜେଲ୍‌ରେ ଥିବା ପୁରୁଷ ବନ୍ଧୁ ବିକ୍ରମ ମିଶ୍ରର ଜାମିନ ଆବେଦନ ଖାରଜ ହୋଇଛି। ହାଇକୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ୨୧ ତାରିଖରେ ଲିଙ୍ଗିପୁରସ୍ଥିତ ଭଡ଼ା ଘରେ ଦୀପାଳି ଆତ୍ମହତ୍ୟା କରିଥିଲେ। ଏହାର କିଛି ସମୟ ପୂର୍ବରୁ ପୁରୁଷ ବନ୍ଧୁ ବିକ୍ରମ ଦୀପାଳିଙ୍କ ଘରକୁ ଯାଇଥିଲା। ଦୀପାଳିଙ୍କ ମୃତ୍ୟୁ ପାଇଁ ବିକ୍ରମ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ। ପୁଲିସ ଏ ସଂକ୍ରାନ୍ତରେ ଆଇପିସି ଦଫା-୩୦୬, ୪୯୩, ୫୦୬ ଏବଂ ୩ ଏସସି/ଏସଟି ଆଇନରେ ମାମଲା ରୁଜୁ କରିଥିଲା। ଗତ ଜାନୁଆରୀ ୨୮ ତାରିଖରେ ଅଭିଯୁକ୍ତ ବିକ୍ରମ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାକୁ ଜେଲ୍ ପଠାଇ ଦିଆଯାଇଥିଲା। ଧଉଳି ଥାନା ପୁଲିସ ଜେଲକୁ ଯାଇ ବିକ୍ରମକୁ ଜେରା କରିବା ସହ ତାଙ୍କ ବୟାନ ରେକର୍ଡ କରିଥିଲା। ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଜାମିନ ଖାରଜ କରିଥିଲେ। ଦୀପାଳିଙ୍କ ମାମଲାର ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ ଓ ଲକ୍ଷ୍ମୀନାରାୟଣ ପଟେଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର