ଭୁବନେଶ୍ବର : ଶେଷରେ ଆଇନଜୀବୀ ବି ସାଇବର ଜାଲରେ ଫସିଗଲେ। ବ୍ୟବସାୟ ବାହାନାରେ ସାଇବର ଠକ ଆଇନଜୀବୀଙ୍କଠାରୁ ୩୫ ଲକ୍ଷ ଟଙ୍କା ଲୁଟି ନେଇଛି। ଏନେଇ ସାଇବର ସେଲ୍ରେ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି। ଟଙ୍କା ଯାଇଥିବା ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ଚିହ୍ନଟ କରାଯାଇଛି। ଠକ ଗ୍ୟାଙ୍ଗ୍ରେ କିଛି ବ୍ୟବସାୟୀ ଥିବା ଜଣାପଡ଼ିଛି। ଠକେଇର ଶିକାର ବ୍ୟକ୍ତି ହେଉଛନ୍ତି କଟକ ସିଡିଏ କଲୋନା ସେକ୍ଟର-ବିର ନଗେନ୍ କୁମାର ବାରିକ। ସେ ପେସାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ଅଗ୍ରୁଟ୍ ନଟ୍ ଫାର୍ମାସ୍ୟୁଟିକାଲ୍ ସିଡ୍ସର ସପ୍ଲାୟର୍ସ ଅଟନ୍ତି।
ଗତ କିଛି ଦିନ ପୂର୍ବେ ବ୍ରିଟାନିଆ ଫାର୍ମାସ୍ୟୁଟିକାଲ୍ସ ବିଜିନେସ୍ ଡେଭେଲପ୍ମେଣ୍ଟ ମ୍ୟାନେଜର ଡକ୍ଟର ସାଇମନ୍ସ କଲିନ୍ସ ଓ ନିର୍ଦ୍ଦେଶକ ଡକ୍ଚର ରବର୍ଟ ଉଡ୍ଙ୍କ ମେଲ୍ରୁ ନଗେନଙ୍କ ପାଖକୁ ଏକ ମେଲ୍ ଆସିଥିଲା। ଅଗ୍ରୁଟ୍ ନଟ୍ସର ଏକ ସାଚେଟ୍କୁ ସେମାନେ ୨୮୦୦ ଡଲାରରେ ବିକ୍ରି କରିବା ପାଇଁ ଆଗ୍ରହୀ ବୋଲି କହିଥିଲେ। କିନ୍ତୁ ଉକ୍ତ ମେଲ୍ ନକଲି ଆଇଡିରୁ ଆସିଥିଲା ବୋଲି ନଗେନ୍ ବୁଝିପାରିନଥିଲେ। କିଛି ଦିନ ପରେ ବ୍ରିଟାନିଆ କମ୍ପାନିର ଲଣ୍ଡନସ୍ଥିତ ଅଫିସରୁ ଆସିଷ୍ଟାଣ୍ଟ ପର୍ଚେଜ୍ ମ୍ୟାନେଜର ମିସ୍ ହାନହା ଓ ମ୍ୟାନେଜର ଜେମସ୍ ଲୋଗାନ୍ଙ୍କ ପରିଚୟ ଦେଇ ଠକ ଗ୍ୟାଙ୍ଗ୍ର ସଦସ୍ୟା ନଗେନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଉନ୍ନତମାନର ମଞ୍ଜି ଯୋଗାଇ ଦେବାକୁ କହିଥିଲେ। କୋଲକାତା ନଦିଆର ଶ୍ରୀସାଇ ଏଣ୍ଟରପ୍ରାଇଜେସ୍ ଆକାଉଣ୍ଟକୁ ଦୁଇଟି ପର୍ଯ୍ୟାୟରେ ୫୮ ହଜାର ଟଙ୍କା ଲେଖାଁଏ ପଠାଇଥିଲେ। ଏହା ପରେ ୪ଟି କାର୍ଯ୍ୟ ଦିବସରେ ୧୫୦ ବସ୍ତା ଅଗ୍ରୁଟ୍ ପହଞ୍ଚିବ ବୋଲି କହିଥିଲେ। ଏ ବାବଦରେ ସେମାନେ ୨୦ ଲକ୍ଷ ଟଙ୍କା ନେଇ ଯାଇଥିଲେ।
ସେହିପରି ସହଯୋଗୀ ପାର୍ଟନର ଏମ. ପ୍ରବୀଣ କୁମାରଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି। ଏମାନଙ୍କ ଠାରୁ ମୋଟ ୩୪ ଲକ୍ଷ ୯୯ ହଜାର ୨୪୦ ଟଙ୍କା ଠକେଇ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଟଙ୍କା ଯାଇଥିବା ଶ୍ରୀ ସାଇ ଏଣ୍ଟରପ୍ରାଇଜେସର ଶିବାନୀ ପାଟିଲ, ରତନ ଏଣ୍ଟରପ୍ରାଇଜେସର ରତନ ଦାସ, ବିନ୍ଧାନ ଏଣ୍ଟରପ୍ରାଇଜେସ୍ର ବିନ୍ଧାନ ଭଟ୍ଟାଚାର୍ଯ୍ୟ, ମହେଶ କୁମାର, ଅଉଦେଶ କୁମାର, ପଙ୍କଜ ଦୟା ଠାକୁର, ରାଜବୀର ଓ ମୋରସିଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସି ଧାରା- ୪୧୯, ୪୨୦, ୪୬୫, ୪୬୮, ୪୭୧, ୧୨୦ (ବି), ୩୪ ଏବଂ ଆଇଟି ଆଇନର ଧାରା- ୬୬ (ସି), ୬୬ (ଡି)ରେ ମାମଲା ରୁଜୁ ହୋଇଛି।