ସ୍ୟାଟ୍ କେସ୍‌ ରେକର୍ଡ ସ୍ଥାନାନ୍ତରଣକୁ ବିରୋଧ : ଧାରଣାରେ ବସିଲେ ଆଇନଜୀବୀ

ପୁରୁଣା ଭୁବନେଶ୍ବର : ‌ଓଡ଼ିଶା ପ୍ରଶାସନିକ ନ୍ୟାୟଧିକରଣ(ସ୍ୟାଟ୍‌)ର ସମସ୍ତ କେସ୍‌ ରେକର୍ଡକୁ ସରକାର କଟକ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ସ୍ୟାଟ୍‌ ଉଚ୍ଛେଦ ମାମଲା ଏବେ ବି ଉଚ୍ଚ ନ୍ୟାୟାଳୟରେ ଚାଲିଥିବାରୁ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ତୀବ୍ର ପ୍ରତିବାଦ ଆରମ୍ଭ ହୋଇଛି। ଆଜି ଆଇନଜୀବୀମାନେ କେସ୍ ରେକର୍ଡ ସ୍ଥାନାନ୍ତରକୁ ଜୋର୍‌ଦାର ବିରୋଧ କରି ସ୍ୟାଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଉଚ୍ଚ ନ୍ୟାୟାଳୟରେ ମାମଲା ଫଇସଲା ନ ହେବା ପର୍ଯ୍ୟନ୍ତ କେସ୍ ରେକର୍ଡ ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ଜିଦ୍‌ ଧରିଥିଲେ। ସରକାର ଏହି ନିଷ୍ପତ୍ତିରୁ ନ ଓହରିଲେ ଆଗକୁ ଆନ୍ଦୋଳନ ଆହୁରି ଭୟଙ୍କର ହେବ ବୋଲି ବି‌କ୍ଷୋଭକାରୀ ଆଇନଜୀବୀମାନେ ଚେତବାନୀ ଦେଇଥିଲେ।

ବିକ୍ଷୋଭକାରୀ ଆଇନଜୀବୀମାନଙ୍କ କହିବା କଥା ୧୯୮୬ ମସିହା ଜୁଲାଇ ୪ରେ ସ୍ୟାଟ୍‌ ପ୍ରତିଷ୍ଠା ହୋଇଥିଲା। ରାଜଧାନୀରେ ମୁଖ୍ୟ ନ୍ୟାୟଧିକରଣଙ୍କ କୋର୍ଟ ଥିବା ବେଳେ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ବିଭିନ୍ନ ବେଞ୍ଚ ପ୍ରତିଷ୍ଠା କରାଯାଇଥିଲା। ଏବେ ବି ସରକାରୀ କର୍ମଚାରୀଙ୍କ ୭୨ ହଜାରରୁ ଉର୍ଦ୍ଧ୍ବ ମାମଲା ବିଭିନ୍ନ ବେଞ୍ଚରେ ପଡ଼ିରହିଛି। ରାଜଧାନୀର କୋର୍ଟ ଓ ଅନ୍ୟ ସହରର ବେଞ୍ଚ ପାଇଁ ସବୁ ବର୍ଗର ସରକାରୀ ଚାକିରିଆମାନେ ସହଜରେ ନ୍ୟାୟାଳୟର ଦ୍ବାରସ୍ଥ ହୋଇପାରୁଥିଲେ। ଏହି କୋର୍ଟ ଯୋଗୁଁ ରାଜଧାନୀରେ ଅନେକ ଆଇନଜୀବୀ, ମୋହରିର, ଷ୍ଟାମ୍ପ ଭେଣ୍ଡର, ପୁସ୍ତକ ବିକ୍ରେତା ଓ କର୍ମଚାରୀମାନେ ଉପକୃତ ହେଉଥିଲେ। ଏବେ ଏହା ବନ୍ଦ ହୋଇଯିବାରୁ ହଜାର ହଜାର ଲୋକ ହଇରାଣ ହେଉଛନ୍ତି। ତେଣୁ ଏହି ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଛେଦ ନିଷ୍ପତ୍ତିକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲିଛି ଓ ବିଚାରାଧିନ ରହିଛି। ଏହାର ପୂର୍ଣାଙ୍ଗ ଶୁଣାଣି ଆସନ୍ତା ୨୨ ତାରିଖରେ ରହିଛି। ତେଣୁ ଏହି ଘଡ଼ିସନ୍ଧି ସମୟରେ ହଠାତ୍ ସରକାର କେସ୍‌ ରେକର୍ଡ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେବା ଘୋର ପରିତାପର ବିଷୟ। ତେଣୁ ଆଜି ଏହାର ପ୍ରତିବାଦରେ ଭୁବନେଶ୍ବର ସ୍ୟାଟ୍‌ ବାର୍‌ ଆସୋସିଏସନ୍‌ର ସଦସ୍ୟମାନେ ଧାରଣାରେ ବସିଥିଲେ। କେସ୍ ରେକର୍ଡ ସ୍ଥାନାନ୍ତରଣ ସହିତ ସ୍ୟାଟ୍ ବିଲ୍‌ଡିଂକୁ ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ମଧ୍ୟ ଓକିଲ ସଂଘ ତୀବ୍ର ବିରୋଧ କରିଛି। ବିଭିନ୍ନ ସମୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି ହୋଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରିନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଭୁବନେଶ୍ବର ଆସୋସିଏସନ୍‌ର ସଭାପତି ସଂଘମିତ୍ରା ରାଜଗୁରୁ, ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ସମ୍ପାଦକ ରଣଜିତ୍ ମହାନ୍ତି, ଜିନୁ କର, କାର୍ଯ୍ୟକାରୀ ସଭ୍ୟ ବରିଷ୍ଠ ଆଇନଜୀବୀ ନିରୋଜ ମହାପାତ୍ର, କୁଳଦାନନ୍ଦ ଦାସ, ସୁଧାଂଶୁ ମୋହନ ମିଶ୍ର ଓ ବହୁ ଆଇନଜୀବୀ ଏହି ଧାରଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର