ସେ ଥିଲେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ

ଲକ୍ଷ୍ମଣ ମଲ୍ଲିକଙ୍କ ସ୍ମୃତି ସମାରୋହ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକ ଜଣେ ଦରଦୀ, ପରୋପକାରୀ ଜନନେତା ଥିଲେ। ଆଜିକାଲିର ନେତାଙ୍କ ପରି ସେ କ୍ଷମତା ଲୋଭୀ ନଥିଲେ। ନେତୃତ୍ୱକୁ ସମ୍ମାନ ଦେଉଥିଲେ, ନେତୃତ୍ୱ ବିରୋଧରେ ତାଙ୍କୁ ସ୍ୱର ଉତ୍ତୋଳନ କରିବାର କେବେ ଦେଖାଯାଇନାହିଁ। ନିଜ ଜନ୍ମଭୂମିକୁ ସେ ଖୁବ୍‌ ଭଲ ପାଉଥିଲେ। ଏକ ସାଧାରଣ ଦଳିତ ପରିବାରରୁ ଆସି ସେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଥିଲେ। ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକ ତୃତୀୟ ସ୍ମୃତିଚାରଣ ସଭାରେ ଅତିଥିମାନେ ଏପରି ମତପ୍ରକାଶ କରିଛନ୍ତି।

ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୂର୍ବତନ ପିିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଲେ, ଲକ୍ଷ୍ମଣ ବାବୁ ଏକ ଅତ୍ୟନ୍ତ ସଂସ୍କାରୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସାଧାରଣ ଲୋକର ଦୁଃଖ ଦୂର ପାଇଁ ସେ ସର୍ବଦା ଯତ୍ନବାନ ଥିଲେ। ଭୁବନେଶ୍ୱର କଂଗ୍ରେସ ଭବନ ଯେତେଦିନ ଥିବ ରାଜ୍ୟର ଅଗଣିତ କଂଗ୍ରେସ କର୍ମୀ ତାଙ୍କୁ ସେତେଦିନ ମନେରଖିବେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର ମିଶ୍ର କହିଲେ, ସ୍ୱର୍ଗତ ମଲ୍ଲିକ ଜଣେ ମାଟିର ମଣିଷ ଥିଲେ। ନିଜ ଜନ୍ମଭୂମି ସହ ରାଜ୍ୟ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ସମ୍ମାନିତ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି କହିଲେ, ସେ ଜଣେ ପରୋପକାରୀ ଜନନେତା ଥିଲେ, କାହାକୁ ଆଘାତ ଦେଲାଭଳି କଥା ସେ କେବେ କହୁନଥିଲେ। ଅନ୍ୟତମ ଅତିଥି ସ୍ୱାମୀ ବୈରାଗ୍ୟାନନ୍ଦ ସ୍ୱର୍ଗତ ମଲ୍ଲିକଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ୱର୍ଗତ ମଲ୍ଲିକ କହିଲେ, ସେ ଜଣେ ବିକାଶର ପୁରୁଷ ଥିଲେ। ଛାତ୍ର ଜୀବନରୁ ତାଙ୍କ ଭିତରେ ନେତୃତ୍ୱ ପ୍ରତିଭାର ବିକାଶ ଘଟିଥିଲା। କିନ୍ତୁ ରାଜ୍ୟସ୍ତରରେ ତାଙ୍କୁ ଯେତିକି ପରିଚିତି ମିଳିବା କଥା ତାହା ମିଳିପାରି ନାହିଁ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ଯଦୁନାଥ ଦାସ ମହାପାତ୍ରଙ୍କୁ ଲକ୍ଷ୍ମଣ ମଲ୍ଲିକ ତୃତୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ସ୍ତମ୍ଭକାର ତୁଷାରକାନ୍ତ, ଜଗତସିଂହପୁର ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ନଟବର ବାରିକ ପ୍ରମୁଖ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିଥିଲେ। ସ୍ମୃତି କମିଟି ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସଭାରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସୀତାବଲ୍ଲଭ ମହାପାତ୍ର ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ସୁମିତ୍ରା ଜେନା ଭଜନ ପରିବେଷଣ କରିଥିଲେ। ବୁଦ୍ଧଦେବ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର