ଓଡ଼ିଶା ସ୍ୱାଧୀନତା ଇତିହାସରେ ଲକ୍ଷ୍ମଣଙ୍କ ବଳିଦାନ ଅବିସ୍ମରଣୀୟ

ସହିଦ୍‌ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ଓଡ଼ିଶାରେ ବ୍ରିଟିସ୍‌ ଶାସନ ବିରୋଧରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନରେ ସହିଦ୍‌ ଲକ୍ଷ୍ମଣ ନାୟକ ବୀରତ୍ୱ ସହିତ ଯେପରି ଆତ୍ମୋତ୍ସର୍ଗ କରିଛନ୍ତି ତାହା ଅବିସ୍ମରଣୀୟ ବୋଲି ମତପ୍ରକାଶ ପାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ତଥା ଶବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସହିଦ୍‌ ଲକ୍ଷ୍ମଣ ନାୟକ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଲକ୍ଷ୍ମଣ ନାୟକଙ୍କ ସ୍ମୃତିରେ କୋରାପୁଟ ମେଡିକାଲ କଲେଜକୁ ନାମିତ କରାଯିବା ଓ ପାପଡ଼ାହାଣ୍ଡି ଗୁଳିକାଣ୍ଡରେ ଜନଜାତି ସଂଗ୍ରାମୀଙ୍କ ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ ୨୪ ତାରିଖକୁ ‘ଆତ୍ମୋତ୍ସର୍ଗ ଦିବସ’ ଭାବେ ପାଳନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସୂଚନା ଦେଇଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ବିବେକାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ମୁନା ଖାନ୍‌, ସମାଲୋଚକ ରାଜ କିଶୋର ମିଶ୍ର ପ୍ରମୁଖ ଯୋଗଦେଇ ସହିଦ୍‌ ଲକ୍ଷ୍ମଣ ନାୟକଙ୍କ ଅଦମ୍ୟ ବୀରତ୍ୱ ଓ ଜନଜାତି ବର୍ଗର ସାମାଜିକ ଅର୍ଥନୈତିକ ବିକାଶ ନିମନ୍ତେ କରିଥିବା କାର୍ଯ୍ୟର ଭୁରି ଭୁରି ପ୍ରଶଂସା କରିଥିଲେ। ଗୌରଚନ୍ଦ୍ର ତ୍ରିପାଠୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର