ବିରାଜିବେ ଗଜଲକ୍ଷ୍ମୀ

ଧନଦାତ୍ରୀଙ୍କୁ ଆଡ଼ମ୍ବର ସହକାରେ ସ୍ବାଗତ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ନିଆରା ସାଜସଜା ସହ ଧନର ଦେବୀଙ୍କୁ ସୁନା ଓ ରୁପା ଅଳଙ୍କାରରେ ଛାଇଦେବାକୁ ଚାଲିଛି ପ୍ରତିଯୋଗିତା। ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ ହେଁ ରାଜଧାନୀ ବି ପଛରେ ପଡ଼ିନାହିଁ। ବିରାଜିବେ ଗଜଲକ୍ଷ୍ମୀ କ୍ରମରେ ଆଜି ଆଉ ୩ଟି ପୂଜା ମଣ୍ଡପକୁ ନେଇ ଆମର ପ୍ରସ୍ତୁତି।

ଉଦୟପୁର ରାଜପ୍ରାସାଦରେ ମା’

ରାଜସ୍ଥାନର ଉଦୟପୁର ରାଜପ୍ରାସାଦ ଢାଞ୍ଚାରେ ପ୍ରସ୍ତୁତ ତୋରଣ ମଧ୍ୟରେ ବିରାଜମାନ କରିବେ ଗଜଲକ୍ଷ୍ମୀ। ୟୁନିଟ-୯ ରିଜିଓନାଲ ଛକସ୍ଥିତ ଗଜଲକ୍ଷ୍ମୀ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ଆୟୋଜିତ ପୂଜାରେ ସହରବାସୀ ଏହି ‌ତୋରଣର ଝଲକ ପାଇବେ। ଚଳିତ ବର୍ଷ ପୂଜା ୩୪ବର୍ଷରେ ପଦାର୍ପଣ କରିଛି ବୋଲି ଆସୋସିଏସନ୍‌ର ସଂପାଦକ ବିଜୟକେତନ ସ୍ବାଇଁ କହିଛନ୍ତି। ଏଥର ମା’ଙ୍କ ତୋରଣ ୮୦ ଫୁଟ ଉଚ୍ଚର ହେଉଥିବା ବେଳେ ଏହାର ଓସାର ରହିଛି ୧୦୦ ଫୁଟ। ଏଠାରେ ପୂଜା ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ରାତିରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ୫ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ମିଳିଛି।

ତୋରଣରେ କୋଲକାତା ଦକ୍ଷିଣକାଳୀ ମନ୍ଦିର

ଅଶୋକନଗର ରେମଣ୍ଡ ସୋ’ରୁମ୍‌ ସମ୍ମୁଖରେ ଥିବା ମହାବୀର ଗଜଲକ୍ଷ୍ମୀ ପୂଜାସମିତି ୨୪ବର୍ଷରେ ପଦାର୍ପଣ କରିଛି। ଚଳିତବର୍ଷ ମା’ ଗଜଲକ୍ଷ୍ମୀଙ୍କ ପାଇଁ କୋଲକାତାର ଦକ୍ଷିଣକାଳୀ ମନ୍ଦିର ଢାଞ୍ଚାରେ ତୋରଣ ପ୍ରସ୍ତୁତ କରାଯାଉଛି। ଏଥିରେ ମା’ ବିରାଜମାନ କରିବେ। ୭ ଦିନ ଧରି ପୂଜା ଚାଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଂପାଦକ ବିଜୟ କୁମାର ନାୟକ କହିଛନ୍ତି।

ରୁପା ମୁକୁଟ ଓ ସୁନା ହାର ପିନ୍ଧିବେ ମା’

ଅଶୋକନଗର ଲକ୍ଷ୍ମୀପୂଜା ସମିତି ପକ୍ଷରୁ ଚଳିତବର୍ଷ ଫାଳ ଗୁଆ ଓ ଗୋଟା ଗୁଆ‌େର ପୂଜା ମଣ୍ଡପର ଭିତର ପାର୍ଶ୍ବ ସଜାଯିବ। ଏହା ସହିତ ଶଙ୍ଖ ଓ ଦୀପରେ ୬୦ ଫୁଟ ଲମ୍ବା ଏବଂ ୪୦ ଫୁଟ ଚଉଡ଼ାର ତୋରଣ ନିର୍ମିତ ହେବ। ୧୦ ଦିନ ଧରି ମା’ଙ୍କ ପୂଜା ଚାଲିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କୁ ବିଭିନ୍ନ ପ୍ରକାରର ମିଠା, ରସାବଳି, ମାଲପୁଆ ପରି ଭୋଗ ଲଗି ହେବ। ଏହି ପୂଜାର ସମସ୍ତ ସାଜସଜା କାମ ପଶ୍ଚିମବଙ୍ଗ କାରିଗରଙ୍କ ଦ୍ବାରା ସମ୍ପାଦିତ ହେଉଥିବା ଅନୁଷ୍ଠାନର ସଂପାଦକ ବ୍ରଜକିଶୋର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର