ବିରାଜିବେ ଗଜଲକ୍ଷ୍ମୀ

ଲାଗିଛି ପାର୍ବଣର ଲମ୍ବା ଅବକାଶ। ମେଲାଣି ନେଇଛନ୍ତି ମହିଷାମର୍ଦିନୀ ମା’। ପୁଣି ୩ଦିନ ପରେ ଅବତରଣ କରିବେ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀ। ରାଜଧାନୀବାସୀଙ୍କୁ ପୂଜାରେ ଟିକେ ଭିନ୍ନ ମହକ ଦେବାକୁ ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି। କେଉଁଠି ତୋରଣକୁ ନେଇ ତ ପୁଣି କେଉଁଠି ଧନଲକ୍ଷ୍ମୀଙ୍କୁ ଅଳଙ୍କାରରେ ଛାଇ ଦେବାର ଯୋଜନା କରିଛନ୍ତି ବିଭିନ୍ନ ପୂଜା କମିଟି। କେବଳ ଆଶ୍ୱିନ ଶୁକ୍ଳ ଚତୁର୍ଦଶୀର ପବିତ୍ର ମୁହୂର୍ତକୁ ଅପେକ୍ଷା। ମା’ଙ୍କ ଆଗମନ ପାଇଁ ୟୁନିଟ୍‌-୮ ଗୋପବନ୍ଧୁ ସ୍ମୃତି ସଂସଦ, ବାପୁଜୀ ନଗର ଗଜଲକ୍ଷ୍ମୀ ପୂଜା କମିଟି, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ୍‌, ୟୁନିଟ୍‌-୯ ଫ୍ଲାଟ୍‌ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ, ୟୁନିଟ୍‌-୯ ଭୁବନେଶ୍ୱର ଫ୍ରେଣ୍ଡ୍‌ସ୍‌ କ୍ଲବ୍‌, ରିଜିଓନାଲ୍‌ ପୂଜା କମିଟି, ଖଣ୍ଡଗିରି କ୍ରିକେଟ୍‌ ଆସୋସିଏସନ୍‌ ଓ କୃଷି ବିହାର ଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏକାମ୍ର କ୍ଷେତ୍ରରେ ମଧ୍ୟ ୨୫ରୁ ଊର୍ଧ୍ୱ ସ୍ଥାନରେ ଲକ୍ଷ୍ମୀ ପୂଜା ଆୟୋଜିତ ହେବାକୁ ଯାଉଛି।

୨୭ ବର୍ଷରେ ହାଉସିଂବୋର୍ଡ କଲୋନି ଗଜଲକ୍ଷ୍ମୀ ପୂଜା
ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ଼ କଲୋନି ବ୍ୟବସାୟୀ ସଂଘ ଗଜଲକ୍ଷ୍ମୀ ପୂଜା କମିଟି ୨୭ବର୍ଷରେ ପଦାର୍ପଣ କରିଛି। ଏହି ଅଞ୍ଚଳର ଏକ ପ୍ରମୁଖ ଓ ପୁରାତନ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା’ଙ୍କୁ ଦଶ ଦିନ ବ୍ୟାପି ପୂଜାର୍ଚ୍ଚନା କରାଯାଇଥାଏ। ଆସନ୍ତା ୫ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପୂଜା ହେବା ନେଇ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ହାଉସିଂବୋର୍ଡ଼ସ୍ଥିତ ବ୍ୟବସାୟୀଙ୍କ ମିଳିତ ସହଯୋଗରେ ଏହି ପୂଜା ଚନ୍ଦ୍ରଶେଖରପୁର ଅଞ୍ଚଳରେ ବେଶ୍‌ ପ୍ରସିଦ୍ଧ। ପ୍ରାୟ ୧୦ ଫୁଟ୍‌ରେ ନିର୍ମିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ପୂଜା ପାଇବ। ଅତ୍ୟାଧୁନିକ ଲାଇଟରେ ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ଚଳିତ ବର୍ଷ ଲକ୍ଷ୍ମୀ ପୂଜାରେ ଆହୁରି ଅଧିକ ସୌନ୍ଦର୍ଯ୍ୟ ଭରିଦେବ। କମିଟିର ସଭାପତି ବନଜାଲକ୍ଷ୍ମୀ ଜେନା, ସମ୍ପାଦକ ସଞ୍ଜୟ ସାହୁଙ୍କ ନେତୃତ୍ୱରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୧୦ଦିନ ପୂଜା ମଧ୍ୟରୁ ୫ଦିନ ମେଲୋଡ଼ି କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବର୍ଗରେ ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଏହାସହିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଅନୁଷ୍ଠାନର ସହସମ୍ପାଦକ ଅନିରୁଦ୍ଧ ଲେଙ୍କା ସୂଚନା ଦେଇଛନ୍ତି। ୧୫ତାରିଖରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କାମାକ୍ଷା ମନ୍ଦିରରେ ବିରାଜିବେ ଧନଦାତ୍ରୀ
ୟୁନିଟ୍‌-୯ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ, ରିଜିଓନାଲ୍‌ ଛକ ସ୍ଥିତ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପ୍ରସ୍ତୁତ ହୋଇଛି ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିର ତୋରଣ। ଭିତରେ ରାଜପ୍ରସାଦ ଭଳି ପରିବେଶରେ ବିରାଜିବେ ମା’ ଧନଦାତ୍ରୀ। ମଣ୍ଡପ ପରିସରରେ ପଦ୍ମ ଫୁଲ ଭରା ଜଳାଶୟ ଅନ୍ୟତମ ଆକର୍ଷଣ ସାଜିବ। ତେବେ ଏଠାରେ ସବୁଠୁ ବିଶାଳ ତୋରଣ ଦୃଶ୍ୟମାନ ହେବ। ୧୦୦ ଫୁଟ ଉଚ୍ଚ ଓ ୭୦ ଫୁଟ ଓସାର ବିଶିଷ୍ଟ କାମାକ୍ଷା ମନ୍ଦିର ତୋରଣ ଆକର୍ଷଣ ସାଜିବ। ପୂଜା ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ଟଙ୍କା ବଜେଟ୍‌ ରହିଛି। ନିରାଡ଼ମ୍ବର ଭାବେ ୧୫ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ସଦସ୍ୟ ଚିନ୍ମୟ ମହାପାତ୍ର ସୂଚନା ଦେଇଛନ୍ତି।

ଗହଣାରେ ଛାଇ ହେବେ ମା’
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା’ ଲକ୍ଷ୍ମୀଙ୍କୁ ଗହଣାରେ ଛାଇ ଦେବ ୟୁନିଟ୍‌-୯ ଭୁବନେଶ୍ୱର ଫ୍ରେଣ୍ଡ୍‌ସ୍‌ କ୍ଲବ୍‌। ରାଜପ୍ରାସାଦରେ ରାଜରାଣୀ ହୋଇ ଶୋଭା ପାଇବେ ମା’। ରୁପା ମୁକୁଟରୁ ଆରମ୍ଭ କରି ବେକ ହାର, ପାଦ ପାଉଁଜି, ବାହୁଟି, ଚୁଡ଼ି, ଅଣ୍ଟାପଟି ସାଙ୍ଗକୁ ମା’ଙ୍କ ଶ୍ରୀପାଦ ରୁପାରେ ନିର୍ମିତ ହୋଇଛି। କାନଫୁଲ ଓ ନାକଗୁଣା ସୁନାରେ ପ୍ରସ୍ତୁତ ହୋଇଥିବା ବେଳେ ଅଳଙ୍କାରରେ ଚମକିବେ ମା’। ଖାଲି ସେତିକି ନୁହେଁ, ଏଥର ତୋରଣରେ ଆକର୍ଷଣୀୟ ଅନୁଭବ ଦେବା ପାଇଁ ୬୦ ଫୁଟ ଓସାର ଓ ୬୬ ଫୁଟ ଉଚ୍ଚ ବିଶିଷ୍ଟ ଏକ କାଳ୍ପନିକ ତୋରଣ ନିର୍ମିତ ହୋଇଛି। ଏଥିପାଇଁ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

୧୨ ଦିନ ଧରି ହେବାକୁ ଥିବା ଏହି ପୂଜାରେ ମା’ଙ୍କୁ ପ୍ରତିଦିନ ସକାଳେ ଦହିପଖାଳ ଓ ରାତିରେ ଖିରି ଖେଚୁଡ଼ି ଭୋଗ ଲାଗିହେବ। ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ଅନୁଷ୍ଠିତ ହେବ। ଏଥିସହିତ ପ୍ରତିଦିନ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଆସନ୍ତା ୧୬ରେ ଭସାଣି ପର୍ବ ପାଳିତ ହେବ ବୋଲି କ୍ଲବ୍‌ର ସଭାପତି ସୁରେଶ କୁମାର ରାଉତରାୟ ଏବଂ ସମ୍ପାଦକ ମାରୁତି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର