ବାଲିପାଟଣା: ପବିତ୍ର ପ୍ରାଚୀ ନଦୀ କୂଳରେ ପ୍ରାଚୀନ ଓଡିଶାର ଆଧ୍ୟାତ୍ମିକ ଇତିହାସ ଲୁଚି ରହିଛି ବୋଲି କିମ୍ବଦନ୍ତୀ କୁହେ। ବହୁ କଥା ଆଜି ବିସ୍ମୃତ ହୋଇ ଯାଇଥିଲେ ବି କିଛି କଥା ଆଜି ବି ମୂକସାକ୍ଷୀ ହୋଇ ରହିଛି। ତନ୍ମଧ୍ୟରୁ ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ମାଧବ ଓ ଦ୍ୱାଦଶ ଶକ୍ତିପୀଠ ଅନ୍ୟତମ। କିନ୍ତୁ ଏହା ବାଦ ଆହୁରି ଅନେକ ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ମଧ୍ୟ ଅଛି। ତ୍ରିବେଣୀ ଘାଟଠାରୁ ଅଳ୍ପ ଦୂରରେ ରହିଛି ଲକ୍ଷ୍ମୀନାରାୟଣ ପୀଠ। ଏହି ସ୍ଥାନକୁ ମଣି ମିଶ୍ର ଟୁଙ୍ଗି ମଧ୍ୟ କୁହାଯାଏ। ଭାପୁର ପଞ୍ଚାୟତର ଏହି ପବିତ୍ର ସ୍ଥଳୀଟି ସରକାରଙ୍କ ନଜର ଆଢ଼ୁଆଳରେ ରହିଯାଇଛି। ‘କର୍ପୂର ଉଡ଼ିଯାଇଛି କନା ପଡ଼ି ରହିଛି’ ନ୍ୟାୟରେ ଏହି ପବିତ୍ର ପୀଠର ମାହାତ୍ମ୍ୟ ଆଜି ବି ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରୁଛି। ତେଣୁ ଦୀର୍ଘ କାଳ ଅବହେଳିତ ହୋଇ ପଡ଼ି ରହିଥିବା ଏହି ପୀଠର ଉନ୍ନତି ପାଇଁ ସ୍ଥାନୀୟ ତ୍ରିବେଣୀ ଯୁବକ ସଂଘ ଅଣ୍ଟା ଭିଡ଼ିଛି। ଏହି ପୀଠର ସାଢେ ୩ ଏକର ଜମିରେ ବୃକ୍ଷରୋପଣ କରିବା ସହିତ ପୋଖରୀରେ ମାଛ ଚାଷ ଓ ପନିପରିବା ଚାଷ ପାଇଁ ସଂଘ ଉଦ୍ୟମ ଆରମ୍ଭ କରିଛି। ଏମିତିଭାବରେ ଏହି ବହୁ ପୁରାତନ ଏବଂ ସଂସ୍କୃତି ସମ୍ପନ୍ନ ଆଧ୍ୟାତ୍ମିକସ୍ଥଳୀକୁ ବିକଶିତ କରି ଲୋକଲୋଚନକୁ ଆଣିବା ପାଇଁ ତ୍ରିବେଣୀ ସଂଘ ତରଫରୁ ଜୋର୍ଦାର୍ ପ୍ରୟାସ ଜାରି ରହିଛି।
ସ୍ଥାନୀୟ ଭାପୁର ଗ୍ରାମ ନିକଟରେ ଏହି ଲକ୍ଷ୍ମୀନାରାୟଣ ପୀଠ ବା ମଣି ମିଶ୍ର ଟୁଙ୍ଗି ଅଛି। ତ୍ରିବେଣୀଶ୍ୱର ମହାଦେବ ଏବଂ ଅନ୍ତର୍ବେଦୀ ପୀଠର ଖୁବ ନିକଟରେ ଏହି ଆଧ୍ୟାତ୍ମିକସ୍ଥଳୀ ରହିଛି। ଲୋକକଥା କୁହେ ରାଜାରାଜୁଡ଼ା ସମୟରେ ଏଠାରେ ମାଳତୀପାଟଣା ନାମକ ଏକ ଗାଁ ଥିଲା ଓ ପରେ ମହାମାରୀ ହଇଜାରେ ଏହି ଗାଁ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା। ସେ ସମୟରେ ଏଠାରେ କମା ବ୍ରାହ୍ମଣ ସଂପ୍ରଦାୟର ଲୋକେ ବସବାସ କରୁଥିଲେ। ସେହି ମାଳତୀପାଟଣା ଗ୍ରାମର ଆରାଧ୍ୟ ଦେବତା ଥିଲେ ପ୍ରଭୁ ଲକ୍ଷ୍ମୀନାରାୟଣ। ଗାଁ ଲୋପ ପାଇବା ପରେ ଧୀରେ ଧୀରେ ଏହି ପୀଠ ତା’ର ସତ୍ତା ହରାଇଥିଲା। କିନ୍ତୁ ପରେ ମଣି ମିଶ୍ର ନାମକ ଜଣେ ସାଧୁ ଏଠାକୁ ଆସି ଲକ୍ଷ୍ମୀନାରାୟଣଙ୍କ ଭଗ୍ନମୃର୍ତ୍ତିକୁ ମାଟି ତଳୁ ଉଦ୍ଧାର କରିଥିଲେ ଓ ସେଠାରେ ପୁନଃସ୍ଥାପନ କରି ପୂଜା ଅର୍ଚନା କଲେ। ତେଣୁ ସେବେଠାରୁ ଲକ୍ଷ୍ମୀନାରାୟଣ ପୀଠକୁ ମଣି ମିଶ୍ର ଟୁଙ୍ଗି ଭାବରେ ପରିଚିତି ମିଳିଛି। ମଣି ମିଶ୍ରଙ୍କ ଆବିର୍ଭାବ ପରେ ଗାଁ ଲୋକେ ଏଠାରେ ପର୍ବ ପର୍ବାଣୀ ଓ ମେଳା ମହୋତ୍ସବରେ ଏକାଠି ହେଉଥିଲେ। କିନ୍ତୁ ମଣି ମିଶ୍ରଙ୍କ ଦେହାନ୍ତ ପରେ ପୁଣି ଉକ୍ତ ସ୍ଥାନ ଅବହେଳିତ ହୋଇ ପଡ଼ିଲା। ତେବେ ୫/୬ ବର୍ଷ ପୂର୍ବେ ପୁଣି ଏଠାରେ ଜଣେ ସନ୍ଥଙ୍କ ଆବିର୍ଭାବ ହୋଇଛି। ସଦାରାମ ଦାସଜୀ ଓରଫ୍ କାଳିଆ ବାବା ଏଠାକୁ ଆସି ଘର ଏବଂ ଯଜ୍ଞ କୁଣ୍ଡ ନିର୍ମାଣ କରି ପୂଜା ଅର୍ଚନା କରୁଛନ୍ତି। ତାଙ୍କୁ ତ୍ରିବେଣୀ ଲାୟନ୍ସ ସଂଘ ସହଯୋଗ କରୁଛି। କ୍ଲବର ୪୦ ଜଣ ସଦସ୍ୟ ନିଜ ପକେଟ୍ରୁ ହଜାରେ ଟଙ୍କା ଲେଖାଏ ଚାନ୍ଦା ଦେଇ ପୋଖରୀରେ ମାଛ ଚାଷ କରୁଛନ୍ତି। ପୋଖରୀ ହୁଡ଼ାରେ ବିଭିନ୍ନ ପ୍ରକାରର ପରିବା ଚାଷ କରୁଛନ୍ତି। ସାଢେ ୩ ଏକର ଜମିରେ ପ୍ରାୟ ୩ ହଜାର ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛନ୍ତି। ସରକାରୀ ସହାୟତା ମିଳିଲେ ଏହି ପୀଠ ପୁଣି ଚଳଚଞ୍ଚଳ ହୋଇପାରନ୍ତା ବୋଲି କ୍ଲବର ସଦସ୍ୟମାନେ କହିଛନ୍ତି। ବିଶେଷକରି ପୀଠକୁ ଏକ ଭଲ ରାସ୍ତା ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ଦାବି କରାଯାଉଛି।