ଭୁବନେଶ୍ବର: ପ୍ରସିଦ୍ଧ ଅହମୀୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରସ୍ଥିତ ବାସଗୃହ ଓ ସାଧନାଗୃହ ପୁନରୁଦ୍ଧାର ପାଇଁ ଆସାମ ସରକାର ପ୍ରଥମ କିସ୍ତିରେ ୫୦ଲକ୍ଷ ଟଙ୍କା ପ୍ରଦାନ କରିବେ। ୨୦୧୭ମସିହାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଇନ୍ଟାକ୍ ଦ୍ବାରା ଏହାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଏହି ଅର୍ଥରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଗୁରୁବାର ଏନେଇ ଆସାମରେ କାର୍ଯ୍ୟରତ ବେଜବରୁଆ ସ୍ମୃତି କମିଟିର ୩ଜଣ ସଦସ୍ୟ ଆଜି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଛନ୍ତି।
ଆସାମ ରାଜ୍ୟ ସଂଗୀତର ରଚୟିତା ସ୍ବର୍ଗତ ବେଜବରୁଆ ଆସାମରେ ଜନ୍ମ ହୋଇଥିଲେ ହେଁ ତାଙ୍କର କର୍ମଭୂମି ଥିଲା ସମ୍ବଲପୁର। ପ୍ରାକ୍ ସ୍ବାଧୀନତା କାଳରେ ସମ୍ବଲପୁରରେ ୨୦ବର୍ଷ ରହଣି କାଳରେ ତାଙ୍କ ସୃଜନଶୀଳତାର ଉନ୍ମେଷ ଘଟିଥିଲା। ସମ୍ବଲପୁରର ନେଲ୍ସନ୍ ମାଣ୍ଡେଲା ଛକ ନିକଟରେ ତାଙ୍କର ସାଧନା ଗୃହ ଓ ବାସଗୃହକୁ ବେଜବରୁଆ ମେମୋରିଆଲ୍ କରିବା ପାଇଁ ୨୦୧୭ରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ଉପଦେଷ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅବିକଳ ଢାଞ୍ଚାରେ ଦୁଇ ଗୃହକୁ ପୁନରୁଦ୍ଧାର କରିବା ପାଇଁ ଇନ୍ଟାକ୍କୁ ନିର୍ଦେଶ ଦେଇଥିଲେ। ୫୦ ଲକ୍ଷ ଟଙ୍କା ମଂଜୁର ମଧ୍ୟ କରିଥିଲେ। ଆସାମରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ଏହା ଆସାମ-ଓଡ଼ିଆ ସାହିତ୍ୟ ସାଂସ୍କୃତିକ ବିନିମୟ ସ୍ଥଳ ସହ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାଲଟିଛି। ଏହି ସାକ୍ଷାତ ଆଲୋଚନା ବେଳେ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ନିର୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ।