ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ବର: ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି। ଯେଉଁ ସମାଜ ଶିକ୍ଷାକୁ ଯେତେ ଗୁରୁତ୍ବ ଦେବ, ସେତେ ଅଧିକ ସଫଳତା ହାସଲ କରିପାରିବ। ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ମତ ପ୍ରକାଶ କରିଛନ୍ତି। ପୁରାତନ ଛାତ୍ର ସଂଘର ସଭାପତି ଯୋଗୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଲେ ଯେ ଆମକୁ ସମାଜର ବିକାଶ ପାଇଁ ଦାୟିତ୍ବବାନ୍‌ ହେବାକୁ ପଡ଼ିବ। ଆମେ ପାଠ ପଢ଼ିଥିବା ସ୍କୁଲ୍‌ର ଉନ୍ନତି ପାଇଁ ଆଗେଇ ଆସିବାକୁ ପଡ଼ିବ।

ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ କହିଲେ ଯେ ଆମକୁ ବଡ଼ ହେବା ପାଇଁ ହେଲେ ଆମର ଲକ୍ଷ୍ୟ ଓ ସ୍ବପ୍ନ ବଡ଼ ହେବା ଦରକାର। ଆମେ ସଫଳତା ପାଇବା ପରେ ସେଠାରେ ନ ଅଟକି ଆଗକୁ ବଢ଼ିବା ପାଇଁ ସର୍ବଦା ଚେଷ୍ଟା ଜାରି ରହିବା ନିହାତି ଦରକାର। ଯଦି ସଫଳତା ପାଇବା ପରେ ଆମେ ଅଟକିଯିବା, ଆମ ବିକାଶ ମଧ୍ୟ ସେଇଠି ଅଟକ ଯିବ। ଜୀବନରେ ଯିଏ ସମସ୍ତଙ୍କୁ ନେଇ ଚାଲେ ସେ ହିଁ ବଢ଼ି ପାରିବ। ସମାଜର ଉନ୍ନତି ପାଇଁ ଆମ ସମସ୍ତଙ୍କୁ ହାତ ମିଳାଇ କାମ କରିବାକୁ ପଡ଼ିବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ସେହିପରି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ରେଣୁକା ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପୁରାତନ ଛାତ୍ରସଂଘର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର