ଭୁବନେଶ୍ବର: ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ଅଧୀନସ୍ଥ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଭୁବନେଶ୍ବର ଲୋକସଭା ପାଇଁ ମତଦାନ ଶେଷ ହୋଇଛି। ଏଠାରେ ୬୬ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ମତଦାତାମାନେ ଏଥିରୁ ନିଜ ନିଜ ପସନ୍ଦର ପ୍ରାର୍ଥୀମାନଙ୍କୁ ଭୋଟ୍ ଦେଇଛନ୍ତି। ପ୍ରାର୍ଥୀମାନେ ବି ବିଜୟ ହାସଲ କରିବା ପାଇଁ କୌଣସି ପ୍ରକାରର ଉଦ୍ୟମ ଛାଡ଼ି ନଥିବାରୁ ସମସ୍ତେ ବିଜୟ ମୁକୁଟ ପିନ୍ଧିବେ ବୋଲି ଦାବି କରୁଛନ୍ତି। ନିର୍ବାଚନ ପରୀକ୍ଷା ଆଜି ସରିଯାଇଥିବାବେଳେ ଏବେ ଅପେକ୍ଷା ଜୁନ୍ ୪କୁ। ସେଦିନ ଫଳ ବାହାରିବା ପରେ ଜନତା କାହାକୁ ଗ୍ରହଣ କରୁଛନ୍ତି, କାହା ପ୍ରତିଶ୍ରୁତିକୁ ବିଶ୍ବାସ କରିଛନ୍ତି, କାହାକୁ ପ୍ରତ୍ୟାଖାନ କରିଛନ୍ତି ତାହା ଜଣାପଡ଼ିବ।
ଭୁବନେଶ୍ବର ସବ୍ଡିଭିଜନ ଅଧୀନସ୍ଥ ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର ଓ ଜଟଣୀ ନିର୍ବାଚନ ମଣ୍ଡଳୀର ୧୧୮୧ଟି ବୁଥ୍ରେ ମତଦାନ ହୋଇଥିଲା। ଜୟଦେବ ଓ ଜଟଣୀକୁ ଛାଡ଼ିଦେଲେ ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀରେ ମତଦାନ ଏଥର ମଧ୍ୟ ନୈରାଶ୍ୟଜନକ ହୋଇଛି। ଗତବର୍ଷଗୁଡ଼ିକ ଭଳି ଏଥର ମତଦାନ ହାର ବଢ଼ିଥିଲେ ମଧ୍ୟ ୫୦% ଡେଇଁପାରି ନାହିଁ। ରାଜଧାନୀରେ ବହୁ ଶିକ୍ଷିତ, କର୍ମଜୀବୀ ରହୁଥିଲେ ହେଁ ସେମାନଙ୍କ ଭୋଟ୍ ହାର ଆଶାନୁରୂପ ହୋଇପାରି ନାହିଁ। ପୂର୍ବଥରଗୁଡ଼ିକ ପରି ଏଥର ମଧ୍ୟ ବସ୍ତିବାସିନ୍ଦା ଅଧିକ ଭୋଟ୍ ଦେଇଛନ୍ତି। ତେଣୁ ବସ୍ତିବାସିନ୍ଦାଙ୍କ ଭୋଟ୍ ପ୍ରାର୍ଥୀଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଅବଶ୍ୟ ପୂର୍ବ ଅପେକ୍ଷା ଏଥର ବହୁ ସଂଖ୍ୟକ କଲୋନିବାସୀ ମତାଧିକାର ସାବ୍ୟସ୍ତ କରିବାକୁ ଆଗେଇ ଆସିଛନ୍ତି। ଜୁନ୍ ୪ରେ ଫଳ ପ୍ରକାଶ ପାଇଲେ ଜଣାପଡ଼ିବ କେଉଁଠି ପ୍ରାର୍ଥୀ କେତେ ଭୋଟ୍ ପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏକାମ୍ର ଭୁବନେଶ୍ବରରେ ୪୯.୫୦% ମତଦାନ ହୋଇଛି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ୪୪.୧୨%, ଭୁବନେଶ୍ବର ଉତ୍ତରରେ ୪୫%, ଜଟଣୀରେ ୪୨.୪୦%, ଜୟଦେବରେ ୬୪.୮୦% ମତଦାନ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ବହୁ ସ୍ଥାନରେ ରାତି ୯ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଛି। ତେଣୁ ଭୁବନେଶ୍ବର ମଧ୍ୟ ମତଦାନହାର ୪୫% ଛୁଇଁବା ସହ ଏକାମ୍ର ଭୁବନେଶ୍ବରରେ ୫୦% ଟପିପାରେ ବୋଲି କୁହାଯାଉଛି। ରାତି ୯ଟା ସୁଦ୍ଧା ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ୫୩.୫୪% ମତଦାନ ହୋଇଥିବା ସୂଚନା ମିଳିଛି।
କାଁ ଭାଁ ଉତ୍ତେଜନାକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ବୁଥ୍ରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। କେତେକ ସ୍ଥାନରେ ଇଭିଏମ୍ ଜନିତ ତ୍ରୁଟି ଯୋଗୁଁ ବୁଥ୍ ସ୍ତରରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। କେତେକ ସ୍ଥାନରେ ପ୍ରାର୍ଥୀଙ୍କ ସମର୍ଥକମାନେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରି ବିଜେପି ଓ ବିଜେଡି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଖବର ପାଇ ପୁଲିସ ପହଞ୍ଚିବା ସହ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି। ରାଜଧାନୀର କିଛି ବୁଥ୍ରେ ଇଭିଏମ୍ ମେସିନ୍ ହଠାତ୍ ବନ୍ଦ ହୋଇଯିବାରୁ, ପ୍ରାର୍ଥୀମାନେ ଭୋଟ୍ ଦେଲାବେଳେ ଏହା କିଛି ରେସ୍ପନ୍ସ ନ କରିବାରୁ ମତଦାତାମାନେ ପୁଲିଂ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଏହାକୁ ମରାମତି କରି ପୁଣିଥରେ ମତଦାନ କରାଯାଇଥିଲା। ଇଭିଏସ୍ ଖରାପ ସମେତ ଅଧିକ ସଂଖ୍ୟକ ମତଦାତା ରହିବା ଯୋଗୁଁ ସହରର କେତେକ ସ୍ଥାନରେ ରାତି ପର୍ଯ୍ୟନ୍ତ ମତାଦାନ ଜାରି ରହିଛି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ପଦ୍ମକେଶରୀପୁର ବୁଥ୍, ଏକାମ୍ର ନିର୍ବାଚନ ମଣ୍ଡଳୀର ନୂଆଗାଁ ବୁଥ୍, ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟ ବୁଥ୍, ଯଦୁପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ୍ରେ ରାତି ୧୦ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା।
ଅପରପକ୍ଷରେ ୫ଟି ଯାକ ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ସରିବା ପରେ ଇଭିଏମ୍ ମେସିନ୍ଗୁଡ଼ିକୁ ସୁରକ୍ଷିତ ଭାବେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ୍ରୁମ୍କୁ ଅଣାଯାଇଛି। ସିଏପିଏଫ୍ର ଗୋଟିଏ ପ୍ଲାଟୁନ୍ ଇନ୍ଅର କର୍ଡନ ସହ ଓଏସ୍ଏପିର ଗୋଟିଏ ପ୍ଲାଟୁନ୍ ଆଉଟର୍ କଡର୍ନରେ ପୁଲିସ ମୁତୟନ ହୋଇଛନ୍ତି। ଏହାବ୍ୟତୀତ ୨୪ ଘଣ୍ଟିଆ ସିସିଟିଭି ସହ ଓଡ଼ିଶା ପୁଲିସର ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ବିଲଡିଂ ରହିଛି। ସେପଟେ ଭୋଟ୍ ସରିବା ପରେ ପ୍ରାର୍ଥୀମାନେ ସେମାନଙ୍କ କାର୍ଯ୍ୟାଳୟରେ ବସି ଏଜେଣ୍ଟ ମାନଙ୍କ ଦ୍ବାରା କେତେ ଭୋଟ୍ କେଉଁ ବୁଥ୍ରେ ପାଇବାର ସମ୍ଭାବନା ଅଛି ତା’ର ତାଲିକା ପ୍ରସ୍ତୁତ କରୁଛନ୍ତି। ଏପରିକି କେଉଁଠି ଅଧିକ ଭୋଟ୍ ମିଳିଲା, କେଉଁଠି ଆଶା ଠାରୁ ଭୋଟ୍ କମିଲା ତା’ର ହିସାବ ନିକାଶ କରିଛନ୍ତି।