ଭୂଦାନ ନେତା କୃଷ୍ଣ ସିଂହଙ୍କ ‘ମୋ ଜୀବନ ମୋ ଉପାସନା’ ଉନ୍ମୋଚିତ

ଭୁବନେଶ୍ୱର: ବର୍ଷୀୟାନ ଭୂଦାନ ନେତା, ବିଶିଷ୍ଟ ଶିକ୍ଷାବିତ୍ ତଥା କବି କୃଷ୍ଣ ସିଂହଙ୍କ ‘ଆମ ଓଡ଼ିଶା’ ଦ୍ୱାରା ପ୍ରକାଶିତ ଆତ୍ମଜୀବନୀ ଗ୍ରନ୍ଥ ‘ମୋ ଜୀବନ ମୋ ଉପାସନା’ର ଦ୍ୱିତୀୟ ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜଭବନରେ ଉନ୍ମୋଚନ କରିଛନ୍ତି। କୋରାପୁଟରେ ଶ୍ରୀ ସିଂହଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରି ରାଜ୍ୟପ‌ାଳ ଶ୍ରୀ ଲାଲ୍ କହିଲେ, ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ସମଗ୍ର ଓଡ଼ିଶାରେ ଗଭୀର ପ୍ରଭାବ ପକାଇଥିଲା। କୃଷ୍ଣ ସିଂହଙ୍କ ପରି ଉଦୀୟମାନ ଯୁବକ ଏହି ସଂଗ୍ରାମରେ ଝାସ ଦେଇ ନିସ୍ପେଷିତ ଓ ନିରକ୍ଷର ମଣିଷମାନଙ୍କ ଅଧିକାର ପାଇଁ ଲଢ଼େଇରେ ସମଗ୍ର ଜୀବନ ବିତାଇ ଦେଇଛନ୍ତି। ମହାତ୍ମା ଗାନ୍ଧୀ ଓ ବିନୋବାଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇ ଶ୍ରୀ ସିଂହ କୋରାପୁଟରେ ଭୂଦାନ, ସର୍ବୋଦୟ ଓ ବୌଦ୍ଧିକ ଆନ୍ଦୋଳନର ଏକ ଯୁଗ ସୃଷ୍ଟି କରିଛନ୍ତି।

ଉନ୍ମୋଚନ ଉତ୍ସବରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳରେ ଭୂଦାନ ଓ ସର୍ବୋଦୟ ଆନ୍ଦୋଳନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହାର ନେତୃତ୍ବ ନେଇ ଆଦିବାସୀଙ୍କୁ ତାଙ୍କ ଅଧିକାର ଫେରାଇ ଦେବା ପାଇଁ ମହାସଂଗ୍ରାମ କରିଥିବା ସଂଗ୍ରାମୀ କୃଷ୍ଣ ସିଂହଙ୍କ ସ୍ୱଲିଖିତ ଆତ୍ମଜୀବନୀ ‘ମୋ ଜୀବନ ମୋ ଉପାସନା’ ଏହି ମହାନ୍ ସଂଗ୍ରାମର ଗାଥାକୁ ଆମକୁ ସର୍ବଦା ସ୍ମରଣ କରାଇଦେବ।

ଅନ୍ୟତମ ଅତିଥିଭାବେ ଯୋଗଦାନ କରି ପ୍ରଖ୍ୟାତ କବି, ସ୍ତମ୍ଭକାର ଓ ପ୍ରାବନ୍ଧିକ ହରପ୍ରସାଦ ଦାସ ଶ୍ରୀ ସିଂହଙ୍କୁ କୋରାପୁଟର ଗାନ୍ଧୀ ବୋଲି ଅଭିହିତ କରିଥିଲେ। ଶ୍ରୀ ସିଂହ ଓଡ଼ିଆ ସାହିତ୍ୟ ବାଣୀ ଭଣ୍ଡାରକୁ ଯେଉଁ କାବ୍ୟ, କବିତା ଉପହାର ଦେଇଛନ୍ତି ତାହା ଚିରସ୍ମରଣୀୟ ହୋଇରହିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କଥାକାର ଓ ଔପନାସିକ କୃପାସାଗର ସାହୁ, ‘ପୌରୁଷ’ର ସଂପାଦକ ତଥା ବିଶିଷ୍ଟ ପ୍ରାବନ୍ଧକ ଅସିତ୍ ମହାନ୍ତି, ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର, ବିଶିଷ୍ଟ କବି ତଥା ପୂର୍ବତଟ ରେଳପଥର ବରିଷ୍ଠ ଜନ ସମ୍ପର୍କ ଅଧିକାରୀ ନିରାକାର ଦାସ, ଏଚଡିଏଫସି ବ୍ୟାଙ୍କ ଚେନ୍ନାଇର ଡେପୁଟି ଭାଇସ୍ ପ୍ରେସିଡେଣ୍ଟ ଲୋପାମୁଦ୍ରା ସିଂହ ଓ ଅନାହିତା ଝା ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର