‘ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦ’ ଏକ ଧୂଆଁ ବାଣ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖା ଅଭିଯାନ ଆରମ୍ଭ
ଭୁବନେଶ୍ବର: ହସ୍ତଶିଳ୍ପୀ ଓ ବୁଣାକାରଙ୍କ ବିକାଶକୁ ଦୃଷ୍ଟିରେ ରଖି ଗଠିତ ହୋଇଥିଲା ‘ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦ’। ଖୋଦ ମୁଖ୍ୟମନ୍ତ୍ରୀ କଳାଭୂମି ପରିସରରେ ଏହି ପରିଷଦର ଶୁଭାରମ୍ଭ କରିଥିଲେ। ପରିଷଦ ଗଠନକୁ ଇତିମଧ୍ୟରେ ୨୨ ମାସ ପୂରିଗଲାଣି। ମାତ୍ର ଏଯାବତ୍ ଏହି ପରିଷଦ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ବିକାଶରେ ଲାଗି ପାରିଲା ନାହିଁ। ଏମିତିକି ଶିଳ୍ପୀ ମହାସଂଘର ବାରମ୍ବାର ଅନୁରୋଧ ପରେ ମଧ୍ୟ ଏହି ପରିଷଦର ପରିଚାଳାନ ବୋର୍ଡ ଗଠନ କରାଯାଉ ନାହିଁ। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଶିଳ୍ପୀ ଓ ବୁଣାକାରଙ୍କ ମଧ୍ୟରେ ତୀବ୍ର ସନ୍ତୋଷ ସୃଷ୍ଟି ହୋଇଛି। କଳା ଓ କାରିଗରଙ୍କ ବିକାଶ ପାଇଁ ରାଜ୍ୟ ସରକାର ସେତେବେଳେ ନିର୍ବାଚନୀ ଲଲିପପ ଧରେଇ ଦେଇ ଏବେ ଚୁପ୍ ବସିଥିବାରୁ ଏହା ବିରୋଧରେ ଓଡ଼ିଶା ଶିଳ୍ପୀ ମହାସଂଘ ସ୍ବର ଉତ୍ତୋଳନ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିବାଦ ସ୍ବରୂପ ବୁଧବାରଠାରୁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟକାର୍ଡ ଲେଖା ଅଭିଯାନ ଆରମ୍ଭ ହୋଇଛି। ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦକୁ ପୁନଃ ସକ୍ରିୟ କରିବା ଏବଂ ଶିଳ୍ପୀ ଓ ବୁଣାକାରଙ୍କ ପାଇଁ ଘୋଷଣା ହୋଇଥିବା ମାସିକ ଆର୍ଥିକ ସହାୟତା ରାଶି ତୁରନ୍ତ ପ୍ରଦାନ ଦାବିରେ ଏହି ପତ୍ର ଲେଖାଯାଇଛି। ମହାସଂଘର ଜୟଦେବ ବିହାରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ପରିସରରୁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଏହି ଚିଠି ଲେଖା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲକ୍ଷାଧିକ ଶିଳ୍ପୀ ଓ ବୁଣାକାର ପୋଷ୍ଟକାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବେ। ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ମହାସଂଘର ଶତାଧିକରୁ ଅଧିକ କର୍ମକର୍ତା ଘରଘର ବୁଲି କାରିଗରଙ୍କୁ ଏ ସମ୍ପର୍କରେ ସଚେତନ କରାଇବେ ବୋଲି ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି କହିଛନ୍ତି। ଓଡ଼ିଶା ଶିଳ୍ପୀ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ବାରମ୍ବାର ଅନୁରୋଧ ପରେ ରାଜ୍ୟ ସରକାର ଏହି ପରିଷଦ ଗଠନ କରିଥିଲେ। ଶିଳ୍ପୀ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ୧୮ ଜଣ ଶିଳ୍ପୀ ଓ ବୁଣାକାର, ୩ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ୨୨ ଜଣିଆ ପରିଚାଳନା ବୋର୍ଡ ଗଠନ କରାଯାଇଥିଲା। ମାତ୍ର ଗତ ବର୍ଷ ଜୁନ ମାସରେ ଏହି ବୋର୍ଡକୁ ସରକାର ଭାଙ୍ଗିଦେଲେ। ଏଥିସହ ଶିଳ୍ପୀ ଓ ବୁଣାକାରଙ୍କ ବିକାଶ ପାଇଁ ୨୦୧୮ ମସିହା ବଜେଟରେ ପରିଷଦକୁ ପ୍ରଦାନ କରାଯାଇଥିବା ୨୦ କୋଟି ଟଙ୍କା ମଧ୍ୟ କୁଆଡ଼େ ଗଲା ତା’ର ହିସାବ ନାହିଁ। ଜଣେ ବି କାରିଗର ଏହାଦ୍ବାରା ଉପକୃତ ହୋଇ ନାହିଁ। ଇତିମଧ୍ୟରେ ୨୨ ମାସ ବିତିଯାଇଥିଲେ ସୁଦ୍ଧା ପରିଷଦ ପାଇଁ କର୍ମଚାରୀ ନିଯୁକ୍ତ ହେଲେନି କି କାର୍ଯ୍ୟାଳୟଟିଏ ଖୋଲାଗଲା ନାହିଁ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଉନ୍ନୟନ କମିସନର ଓ ସଚିବଙ୍କୁ ବାରମ୍ବାର ପତ୍ର ଲେଖି ଓ ଭେଟି ଅନୁରୋଧ କଲା ପରେ ମଧ୍ୟ ପରିଷଦ ସମ୍ପର୍କରେ କେହି ମୁହଁ ଖୋଲୁନାହାନ୍ତି। ତେଣୁ ଶେଷରେ ଓଡ଼ିଶା ଶିଳ୍ପୀ ମହାସଂଘ ସାରା ଓଡ଼ିଶାରେ କାରିଗରଙ୍କ ଦ୍ବାରା ଏହି ପତ୍ର ଲେଖା ଅଭିଯାନ ଆରମ୍ଭ କରିଛି ବୋଲି ମହାସଂଘର ସମ୍ପାଦକ ପ୍ରିୟରଂଜନ କର କହିଛନ୍ତି।