ଭୁବନେଶ୍ବର: ଜୁନ ୩୦ ତାରିଖ ରାତିରେ କମିସନରେଟ ପୁଲିସରେ କାର୍ଯ୍ୟରତ ଟ୍ରାଫିକ ପୁଲିସ କର୍ମଚାରୀ ମଧୁସୂଦନ କିଷାନ ଏକ ବସ୍‌କୁ ଓଭର୍‌ଟେକ୍‌ କରୁଥିବା ସମୟରେ କ୍ରାଉନ ହୋଟେଲ ସମ୍ମୁଖରେ ତାଙ୍କ ଉପରେ ଏକ ଟ୍ରକ ଚଢ଼ଇଯାଇଥିଲା। ୯ ଜୁଲାଇ ରେ ୩୫ ବର୍ଷର ନିରଞ୍ଜନ ସିଂଙ୍କ ଉପରେ ହୋଟେଲ ସିର୍ଦ୍ଧାର୍ଥ ସମ୍ମୁଖରେ ଏକ ଟ୍ରକ ମାଡ଼ି ଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୧୪ ଜୁଲାଇରେ ସତ୍‌ସଙ୍ଗ ବିହାର ଅଞ୍ଚଳରେ ବସ୍‌ ମାଡ଼ି ଯିବା ଫଳରେ ସୂର୍ଯ୍ୟମଣି ବେହେରାଙ୍କ ମୃତ୍ୟୁ ହୋଇଥିଲା। ଏହା କିଛି ମାତ୍ର ଉଦାହରଣ। ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥରେ ପ୍ରତି ସପ୍ତାହ‌ରେ ୨-୩ ଜଣଙ୍କ ମୁଣ୍ଡ ଗଡ଼ୁଛି। ସହର ଭିତରେ ଥିବା ପ୍ରମୁଖ ରାସ୍ତାଗୁଡ଼ିକର ସ୍ଥିତି ମଧ୍ୟ ଅନୁରୂପ। ତେଣୁ କୌଣସି କାମରେ ଘରୁ ବାହାରିବା ପ‌ରେ ଲୋକେ ଯେ ଯେ ଘରକୁ ଫେରିବେ ତାର ଆଉ ଗ୍ୟାରେଣ୍ଟି ରହୁନାହିଁ। ଏପରିକି ମର୍ଣିଂୱାକ୍‌ରେ ଯାଇ କିମ୍ବା ପାଖ ଦୋକାନକୁ କ୍ଷୀର ପ୍ୟାକେଟ୍‌ଟିଏ ଆଣିବାକୁ ଯାଇ ବି ଲୋକ ଘରକୁ ଫେରୁନାହାନ୍ତି।

Advertisment

ସର୍ବାଧିକ ମୁଣ୍ଡ ବସ୍‌ ଓ ଟ୍ରକ ଦ୍ବାରା ହିଁ ଯାଇଛି। ଏକଥା ସମସ୍ତେ ଜାଣୁଛନ୍ତି। କିନ୍ତୁ କେହି କିଛି ପଦକ୍ଷେପ ନେଉନାହାନ୍ତି। କେବଳ ଗାଡ଼ି ଜବତ କରିବା ଓ ଡ୍ରାଇଭରକୁ କୋର୍ଟଚାଲାଣ କରିବାରେ କାର୍ଯ୍ୟାନୁଷ୍ଠାନ ସରି ଯାଉଛି। ଦୁର୍ଘଟଣାର କାରଣ ଖୋଜି ତା’ର ନିରାକରଣ ପାଇଁ ମାନସମନ୍ଥନ ‌ହେଉନି। ଏପରିକି କମିସନରେଟ ପୁଲିସୀ ଜଣେ ଟ୍ରାଫିକ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥି‌ଲେ ମଧ୍ୟ ପୁଲିସ ବିଭାଗ ଚେତୁନାହିଁ। ଏନଏଚଏଆଇ, ପରିବହନ ବିଭାଗ ଓ ପୁଲିସ ମଧ୍ୟରେ ସମନ୍ବୟର ଅଭାବ, ଜିଲ୍ଲାସ୍ତରୀୟ ବୈଠକ ନହେବା ଏବଂ ଟ୍ରାଫିକ ପରିଚାଳନା ନେଇ ନିୟମିତ ସମୀକ୍ଷା କରାଯାଉନଥିବାରୁ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଥିବା କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ। ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥରେ ପାହାଳ, ଆର୍ଚାଯ୍ୟ ବିହାର, ଗଙ୍ଗାପଡା ଛକ, ପିତାପଲି ଛକ, ଖଣ୍ଡଗିରି ଛକ, ଆଇଗିଣିଆ ଛକ, ଗୋହିରା ଛକ, କଳିଙ୍ଗ ବିହାର ଛକ, ପଳାଶୁଣି ଛକ, ତମାଣ୍ଡ ଛକ, ହଂସପାଳ ଛକରେ ଅଧିକ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ବେଆଇନ ପାର୍କିଂ ଓ ଓଭର୍‌ଟେକିଂ।

ଏହି ଦୁଇ କାରଣ ପାଇଁ ଗତ ଏକ ମାସ ମଧ୍ୟ‌ରେ ପ୍ରାୟ ୧୦ ଜଣରୁ ଅଧିକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସର୍ବାଧିକ ଦୁର୍ଘଟଣା ଯେଉଁ ସ୍ଥାନମାନଙ୍କରେ ‌ବସ୍‌ ବେ’ କିମ୍ବା ବସ ଷ୍ଟପ ରହୁଛି ସେହିଠାରେ ‌ହିଁ ହେଉଛି। ଦୈନଦିନ ବହୁ ବସ୍‌ ବରମୁଣ୍ଡାରୁ ବାହାରୁଛି। ବରମୁଣ୍ଡାରୁ ପରେ ପରେ କ୍ରାଉନ ହୋଟେଲ, ଜୟଦେବ ବିହାର, ସତସଙ୍ଗ ବିହାର, ପଳାସୁଣି ଆଦିରେ ବସ୍‌ଷ୍ଟପ୍‌ ରହିଛି। ସେଠାରୁ ଯାତ୍ରୀ ଉଠୁଛନ୍ତି। କିନ୍ତୁ ଏହିସବୁ ବସ୍‌ଷ୍ଟପ୍‌ରେ ବସ୍‌ ଡ୍ରାଇଭରମାନେ ମନ ଇଚ୍ଛା ବସ୍‌ ରଖୁଛନ୍ତି। ଯାତ୍ରୀ ଭିଡ଼ ସମୟରେ ବସ୍‌ଗୁଡ଼ିକ ଯାତ୍ରୀ ପାଇବାଲାଗି ନିଜ ଭିତରେ ପ୍ରତିଯୋଗିତା କରି ପଛକୁ ପଛ ଏକାଥରେ ୫-୭ଟି ବସ ଅଟକୁଛି। ଏମାନଙ୍କ ଦ୍ବାରା ୩ଟି ଲେନ୍‌ରୁ ୨ଟି ଲେନ୍‌ ସଂପୂର୍ଣ୍ଣ କବଜାରେ ରହୁଛି। ଫଳରେ ଦୁର୍ଘଟଣା ଘଟୁଛି। ପୁଣି ସର୍ଭିସ ରୋଡ୍‌ ଦେଇ ଆସୁଥିବା ଗାଡ଼ିଗୁଡ଼ିକ ରାଜପଥକୁ ଉଠିବାବେଳେ ଏକାଥରେ ଦୁଇ ବା ତିନି ନମ୍ବର ଲେନ୍‌କୁ ଯିବାଲାଗି ବାଧ୍ୟ ହେଉଛନ୍ତି। ତିନି ନମ୍ବର ଲେନ୍‌ରେ ଦ୍ରୁତଗତିରେ ଆସୁଥିବା ଗାଡ଼ିଗୁଡ଼ିକ ସହିତ ସେମାନଙ୍କର ଧକ୍କା ହେଉଛି।

ଅଥବା ସେମାନଙ୍କ ଯୋଗୁ ତିନି ନମ୍ବର ଲେନ୍‌ରେ ଆସୁଥିବା ଗାଡ଼ିଗୁଡ଼ିକ ହଠାତ୍‌ ବ୍ରେକ ମାରିବାରୁ ଦୁର୍ଘଟଣା ଘଟୁଛି। ସେଥିପାଇଁ ରାଜଧାନୀରେ ସିରିଜ୍‌ ଦୁର୍ଘଟଣା ନିୟମିତ ଭାବେ ଘଟୁଛି। ରାଜପଥରୁ ସର୍ଭିସ ରୋଡକୁ ଗାଡ଼ି ଯିବାସମୟରେ ମଧ୍ୟ ସମାନସ୍ଥିତି ଉପୁଜୁଛି। ବସ୍‌ଗୁ୍‌ଡ଼ିକ ଲୋକ ଉଠାଇବା ନାମରେ ବହୁତ ସମୟ ନେଉଛନ୍ତି। ପଛକୁ ପଛ ଗାଡ଼ି ଲମ୍ବୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଅଧିକାଂଶ ସ୍ଥାନରେ ଟ୍ରାଫିକ ପୁଲିସ ଥାଇ ମଧ୍ୟ କିଛି ପଦ‌କ୍ଷେପ ନେଉ ନାହାନ୍ତି। ଫଳରେ ସନ୍ଧ୍ୟା ଓ ଅନ୍ୟ ଗହଳି ସମୟରେ ରାଜପଥରେ ଥିବା ଅଧିକାଂଶ ବସ୍‌ଷ୍ଟପ୍‌ର ସ୍ଥିତି ସଂପୂର୍ଣ୍ଣ ଗୋଳମାଳିଆ ହୋଇ ଯାଉଛି। ବର୍ଷ ପରେ ବର୍ଷ ଏହା ଜାରି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କିଛି କଡ଼ା ପଦକ୍ଷେପ ଗ୍ରହଣ କରା ଯାଉନାହିଁ। ‌ସହରର ଲୋକସଂଖ୍ୟା ଓ ଗାଡ଼ିସଂଖ୍ୟା କମ୍ ଥିବାବେଳେ ଏସବୁ ଚଳି ଯାଉଥିଲା, କିନ୍ତୁ ଏବେ ଏହି କାରଣରୁ ଯେ ଲୋକଙ୍କ ଜୀବନ ଯାଉଛି, ଦାୟିତ୍ବରେ ଥିବା ଲୋକମାନେ ଚିନ୍ତା କରୁନାହାନ୍ତି। ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସବୁ ବସ୍‌ଷ୍ଟପ କିମ୍ବା ବସ୍‌ ବେ’ ନିକଟରେ କର୍ମଚାରୀ ନି‌ୟୋଜିତ ହେଉଥିଲେ। ‌ଏନ୍‌ଏଚ୍ କଡ଼ ଜବରଦଖଲ ମଧ୍ୟ ଉଚ୍ଛେଦ କରାଯାଉଥିଲା। କିନ୍ତୁ ଏବେ ସବୁ ବନ୍ଦ ରହିଛି।

ଲୋକେ ଦେଖିବାକୁ ସହରର ଛକଗୁଡ଼ିକରେ ଯାଞ୍ଚକରି ମଦୁଆ ଗାଡ଼ିଚାଳକଙ୍କୁ ଧରା ଯାଉଛି। ତେବେ ପ୍ରମୁଖ ଛକଗୁଡ଼ିକୁ ଛାଡ଼ିଦେଲେ ତମାମ ରାସ୍ତାରେ ଅଧିକାଂଶ ସମୟରେ ନିୟମ ଉଲ୍ଲଂଘନକାରୀଙ୍କର ରାଜ୍‌ ଚାଲୁଛି। ଏଠିସେଠି ଅଟକି ଅଟୋ ଯାତ୍ରୀ ଉଠାଉଥିବା ବା ଭୀଷଣ ଶବ୍ଦ ବାହାରୁଥିବା ବାଇକ୍‌ ଗହଳି ଭିତରେ ଷ୍ଟଣ୍ଟ୍ କରାବାଭଳି ଦ୍ରୁତଗତିରେ ମାଡ଼ି ଯାଉଥିବା ଦୃଶ୍ୟ ନିୟମିତ ଦେଖିବାକୁ ମିଳୁଛି। ସେହି ରାସ୍ତାଗୁଡ଼ିକରେ ଘଟୁଥିବା ଅଧିକାଂଶ ଦୁର୍ଘଟଣାରେ ସେମାନଙ୍କର ପ୍ରତ୍ୟକ୍ଷ ବା ପରୋକ୍ଷ ସଂପୃକ୍ତି ରହୁଛି। କିନ୍ତୁ ସେମାନଙ୍କ ଉପରେ କ୍ବଚିତ୍‌ କାର୍ଯ୍ୟାନୁଷ୍ଠାନ ହେଉଛି।