ଭୁବନେଶ୍ବର: ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ। ଭୟ ଦେଖାଇ ଜଣେ ଛାତ୍ରୀଙ୍କୁ ମାସ ମାସ ଧରି ଜଣେ ଅଧ୍ୟାପକ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଘଣ୍ଟ ଘୋଡ଼ାଇବା ପାଇଁ କଲେଜ କର୍ତ୍ତୃପକ୍ଷ ଗତ କିଛି ମାସ ହେଲା ଚେଷ୍ଟା ଚଳାଇଥିଲେ ହେଁ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ଚିଠି ଆଜି ଏହି ଘଟଣାକୁ ପଦାକୁ ଆଣିଛି। ଏଭଳି କୁତ୍ସିତ ଘଟଣା ଘଟିଛି ଭୁବନେଶ୍ବର ନହରକଣ୍ଟାସ୍ଥିତ ଶ୍ରୀଜୟଦେବ କଲେଜ ଅଫ୍‌ ଏଜୁକେସନ ଓ ଟେକ୍ନୋଲୋଜିରେ। ଏଠାକାର ଜଣେ ଯୁକ୍ତ୩ ଛାତ୍ରୀଙ୍କୁ କଲେଜର ଜଣେ ଅଧ୍ୟାପକ ଗତ କିଛି ମାସ ହେଲା ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କଲେଜର ଜଣେ ଅଧ୍ୟାପକ ତାଙ୍କୁ ଗତ କିଛି ମାସ ହେଲା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମେ ସେ ତାଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଛାତ୍ରୀଜଣଙ୍କ ମନା କରିବାରୁ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସଂପୃକ୍ତ ଅଧ୍ୟାପକ ଜଣଙ୍କ କଲେଜର ଏନ୍‌ସିସି ଅଫିସର(ନାଭାଲ୍‌ ୱିଙ୍ଗ୍‌) ଦାୟିତ୍ବରେ ମଧ୍ୟ ଅଛନ୍ତି। ଛାତ୍ରୀଜଣକ ମଧ୍ୟ ଏନ୍‌ସିସି ପାଠ୍ୟକ୍ରମ ନେଇଥିବାରୁ ତାଙ୍କୁ ନିର୍ଯାତନା ଦେବା ସଂପୃକ୍ତ ଅଧ୍ୟାପକଙ୍କ ପାଇଁ ସହଜ ହୋଇଥିଲା।

ତେବେ ନିର୍ଯାତନା କ୍ରମଶଃ ଅତିଷ୍ଠ ହେବାରୁ ଛାତ୍ରୀଜଣକ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଏହି ଘଟଣା‌ରେ ପୁଲିସ୍‌ର ସାହାଯ୍ୟ ନେବା ପରିବର୍ତ୍ତେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରି ଘଟଣାକୁ ଚାପିବାକୁ ଯଥାସାଧ୍ୟ ଉଦ୍ୟମ ଚଳାଇଥିଲେ। ସମ୍ପୃକ୍ତ କମିଟି ଅଭିଯୋଗକାରୀ ଛାତ୍ରୀ ଓ ଅଭିଯୁକ୍ତ ପ୍ରାଧ୍ୟାପକଙ୍କୁ ପଚରାଉଚରା କରିଥିଲା। କେଉଁଭଳି ଭାବେ ନିର୍ଯାତନାର ଶିକାର ହୋଇଛନ୍ତି? କେଉଁ ସ୍ଥାନରେ ପ୍ରାଧ୍ୟାପକ ବ୍ୟବହାର ଖରାପ କରିଥିଲେ? ଏନ୍‌ସିସି ଶିଖାଇବା ସମୟରେ ଅଧ୍ୟାପକ ଜଣକ ନିର୍ଯାତନା ଦେଉଥିଲେ କି?

ଆଦି ବିଷୟରେ ଅଭିଯୋଗକାରୀଙ୍କୁ ପଚରା ଯାଇଥିଲା। ଏହାପରେ କମିଟି ପକ୍ଷରୁ କଲେଜ ପରିଚାଳନା ପରିଷଦରେ ମୁଖ୍ୟ ଥିବା ଖୋର୍ଧା ‌ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ମାତ୍ର ଏକଥା ଉଚ୍ଚଶିକ୍ଷା ବିଭାଗ କାନରେ ପହଞ୍ଚିବା ପରେ ଭିନ୍ନ ରୂପ ନେଇଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଖୁବ୍‌ଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ଅଧ୍ୟକ୍ଷଙ୍କୁ ଏକ ଚିଠି ଜରିଆରେ କୁହାଯାଇଛି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ଜଣେ ଛାତ୍ରୀ ବିଜ୍ଞାନ ବିଭାଗର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ଆଧାରରେ କଲେଜ ପକ୍ଷରୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇ ପ୍ରାରମ୍ଭିକ ତଦନ୍ତ କରାଯାଇଥିବା ଜଣାପଡ଼ିଛି। ମାତ୍ର କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ ୨୦୧୩ ଅନୁଯାୟୀ ଏହି ଘଟଣା ଉପରେ ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି। ଯେତେଶୀଘ୍ର ସମ୍ଭବ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଅପରପକ୍ଷେ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷଙ୍କୁ ଆଜି ଚିଠି ଲେଖାଯାଇଥିଲେ ମଧ୍ୟ ଅଧ୍ୟକ୍ଷଙ୍କ ନିକଟରେ ଏନେଇ କୌଣସି ଖବର ନ ଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ଚିଠି ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ମାତ୍ର ଛାତ୍ରୀଜଣକ ଅଭିଯୋଗ କରିବା ପରେ ଘଟଣାକୁ ଗୁରୁତ୍ବର ସହ ନିଆଯାଇ ଅଭ୍ୟନ୍ତରୀଣ କମିଟି ଗଠନ କରାଯାଇ ପ୍ରାରମ୍ଭିକ ତଦନ୍ତ କରାଯାଇଥିଲା।

କମିଟି ତଦନ୍ତ କରି ତାହାର ରିପୋର୍ଟ କଲେଜ ପରିଚାଳନା ପରିଷଦର ମୁଖ୍ୟଙ୍କୁ ଦେଇଥିଲା। ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଆସିଥିବାରୁ ଖୁବ୍‌ଶୀଘ୍ର କମିଟି ଗଠନ କରାଯାଇ ଘଟଣାର ସାନି ତଦନ୍ତ କରାଯିବ। ଯଦି ଅଧ୍ୟାପକ ଜଣକ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।