୨୫ରୁ ବିଧାନସଭା ବଜେଟ୍ ଅଧିବେଶନ: ସୁରକ୍ଷା ସମୀକ୍ଷା କଲେ ଡିଜିପି

ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜି ଅପରାହ୍ନରେ ପୁଲିସ ଡିଜି ସୁନୀଲ ବଂଶଲ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ବତନ୍ତ୍ର ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଅତିରିକ୍ତ ଡିଜି ଆର.କେ ଶର୍ମା, ଆଇଜି ଅପରେସନ୍ ଅମିତାଭ ଠାକୁର, ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବିଧାନସଭା ସହ ଧାରଣାସ୍ଥଳ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ପୂରା ସୁରକ୍ଷା ବ୍ୟବସ୍ଥାରେ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ।

ନିୟୋଜିତ ହେବେ ୩୨ ପ୍ଲାଟୁନ୍ ଫୋର୍ସ, ଶହେ ଅଫିସର
ଧାରଣାସ୍ଥଳରେ ରହିବ ସ୍ବତନ୍ତ୍ର ନଜର

ସେହିପରି ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର, ଏସ୍ଆଇ ଓ ଏଏସ୍ଆଇ ପାହ୍ୟାର ଶହେରୁ ଅଧିକ ଅଫିସର ମୁତୟନ ହେବେ। ବିଧାନସଭା ଓ ଧାରଣାସ୍ଥଳରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯିବ। କଣ୍ଟ୍ରୋଲ ରୁମରୁ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ଧାରଣାସ୍ଥଳରେ ତିନି ଥାକିଆ ବ୍ୟାରିକେଡିଂ ବ୍ୟବସ୍ଥା କରାଯିବ। ଆନ୍ଦୋଳନକାରୀଙ୍କ ଉପରେ ଯେମିତି ସୁରକ୍ଷା ବଳୟକୁ ଭେଦ କରି ନ ପାରନ୍ତି ତାହା ଉପରେ ନଜର ରଖାଯିବ। ଆତ୍ମାହୁତି ଦେବାକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସାଦା ପୋଷାକଧାରୀ ପୁଲିସ ନଜର ରଖିବେ। ଏହା ସହ ପାଣି, କମ୍ବଳ, ବାଲି, ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯିବ।

ସୁରକ୍ଷା ବଳୟକୁ ଯେମିତି କେହି ଭେଦ କରି ନ ପାରନ୍ତି ସେଥି ଲାଗି ବିଧାନସଭା ସଂଲଗ୍ନ ରାସ୍ତାରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। କେବଳ ବିଧାନସଭା ଓ ସଚିବାଳୟ କର୍ମଚାରୀମାନେ ଯାଇପାରିବେ। ଏହା ସହ ସ୍ପେସାଲ ଅପରେସନ୍ ଗ୍ରୁପ୍(ଏସ୍ଓଜି), କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍(ସିଟିଏସ୍) ମୁତୟନ ରହିବେ ବୋଲି ଜଣାପଡ଼ିଛି। ୩୧ ତାରିଖରେ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଏହି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ।

ସମ୍ବନ୍ଧିତ ଖବର