ଭୁବନେଶ୍ୱର: ଜିମ୍ ଯିବା ପାଇଁ ଆଉ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ରାସ୍ତାକଡ଼ରେ ରହିବ ଜିମ୍ ସରଞ୍ଜାମ। ବିନାମୂଲ୍ୟରେ ରାଜଧାନୀବାସୀ ଟ୍ୱିଷ୍ଟର୍, ସିଟ୍ଅପ୍ ବେଞ୍ଚ, ଏୟାର ସୁଇଙ୍ଗ୍, ଗ୍ଲାଇଡର୍ ବା ସେଟ୍ ବ୍ୟାକ୍ଲେଗ୍ ପ୍ରେସ୍, ନି ହିପ୍ ରାଇଜ୍ ଅନ୍ ପାରାଲାଲ୍ ବାର୍ ଭଳି ବିଭିନ୍ନ ପ୍ରକାରର ବ୍ୟାୟାମ ଉପକରଣର ବ୍ୟବହାର କରିପାରିବେ। ଏଭଳି ଲକ୍ଷ୍ୟ ରଖି ବିଏମ୍ସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ ରାଜଧାନୀର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିଲା ମୁକ୍ତାକାଶ ବ୍ୟାୟାମଶାଳା। ଏସ୍ଏଚ୍ଜି ଗ୍ରୁପ୍ର ମହିଳାମାନଙ୍କୁ ଏହି କାମର ତଦାରଖ ଦାୟିତ୍ବ ଦିଆଯାଇଥିଲା। ଏଥିପାଇଁ ୨ କୋଟି ୪୯ ଲକ୍ଷ ୫୧ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ହେଲେ କେଉଁଠି ନିମ୍ନମାନ କାମହୋଇ ସବୁ ଭାଙ୍ଗିରୁଜି ଗଲାଣି ତ କେଉଁଠି ନିର୍ମାଣ କାମ ଅଧାରେ ଅଟକିରହିଛି। ପୁଣି କେଉଁଠି କାମ ଶେଷ ହୋଇଥିଲେ ହେଁ ସ୍ଥାନ ଉପଯୁକ୍ତ ହୋଇନଥିବାରୁ ଲୋକେ ସେଠାକୁ ଯାଉନାହାନ୍ତି କି ତାହାକୁ ବ୍ୟବହାର କରୁନାହାନ୍ତି।
ଉଦାହରଣ ଭାବରେ ନୂଆପଲ୍ଲୀ କଲ୍ୟାଣୀ ମାର୍କେଟରେ ଥିବା ମୁକ୍ତାକାଶ ବ୍ୟାୟାମଶାଳାକୁ ନିଆ ଯାଇପାରେ। ଏହା ଚାରିପାଖରେ ପ୍ରତିଦିନ ଏକେ ସଂଖ୍ୟାରେ ଗାଡ଼ି ପାର୍କ ହେଉଛି ଯେ ବ୍ୟାୟାମଶାଳା ପୂରା ଲୁଚିଯାଉଛି। ସେଠାରେ ଏକ ବ୍ୟାୟାମଶାଳା ଅଛି ବୋଲି ଲୋକେ ଜାଣି ବି ପାରୁନାହାନ୍ତି। ଯେଉଁମାନେ ଜାଣିଛନ୍ତି, ସେଠାକାର ପରିବେଶ ପାଇଁ ଯିବାକୁ ଇଚ୍ଛା କରୁ ନାହାନ୍ତି। ପ୍ରଦର୍ଶନୀ ପଡ଼ିଆ ପାଖ ଗଳିରେ ଥିବା ମୁକ୍ତାକାଶ ବ୍ୟାୟାମଶାଳାରେ ମଧ୍ୟ ସମାନ ସ୍ଥିତି। ଏ ବ୍ୟାୟାମଶାଳାକୁ ଯିବାକୁ ଥିବା ରାସ୍ତାରେ ଦିନର ପ୍ରାୟ ସବୁ ସମୟରେ ବହୁ ସଂଖ୍ୟାରେ ଗାଡ଼ି ପାର୍କ ହେଉଛି। ବ୍ୟାୟାମଶାଳା ନିକଟରେ ବୁଲା ଜୀବଜନ୍ତୁଙ୍କ ରାଜ୍ ଚାଲୁଛି। ତେଣୁ ବ୍ୟାୟାମଶାଳାଟି ଆକର୍ଷଣ ହରାଇଛି। ସାଲିଆସାହି ତାରିଣୀ ନଗରରେ ଥିବା ମୁକ୍ତାକାଶ ବ୍ୟାୟାମଶାଳାରେ ପରିହାସ କରିବାଭଳି କେବଳ ଗୋଟିଏ ସିଟ୍-ଅପ୍ ବେଞ୍ଚ୍ ଲଗା ଯାଇଛି। ସେହିପରି ବିଏମସି ୧୨ ନମ୍ୱର ଵାର୍ଡ ସ୍ଥିତ ପାତ୍ରସାହି ବସ୍ତିର ଥିବା ବ୍ୟାୟାମଶାଳାରେ ଏବେ କ୍ବଚିତ୍ ଲୋକ ବ୍ୟାୟାମ କରୁଛନ୍ତି। ବ୍ୟାୟାମଶାଳା ବଦଳରେ ଏହା ଏକେ ଖଟିସ୍ଥାନରେ ପରିଣତ ହୋଇଛି। ତେବେ ଏନେଇ ଦାୟିତ୍ବରେ ଥିବା ଯନ୍ତ୍ରୀ ବିଳାଶ କୁମାର ବେହେରା କହନ୍ତି, ଏନ୍ଫୋର୍ସମେଣ୍ଟ ଦଳ ନିମୟିତ ଏହି ବ୍ୟାୟାମଶାଳାଗୁଡ଼ିକୁ ଯାଞ୍ଚ କରୁଛନ୍ତି। ଗାଡ଼ି ପାର୍କିଂକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଖୁବ୍ଶୀଘ୍ର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gdjjgdjjdjg.jpg)