ରାଜଧାନୀ‌ରେ ଜମୁଛି ବେଲ ପଣା ଲେମ୍ବୁ ସରବତ

ସ୍ବଦେଶ ମହାନ୍ତି

ଭୁବନେଶ୍ୱର: କିଛି ଦିନ ହେଲା ଆକାଶରୁ ନିଆଁ ବର୍ଷୁଛି। ରାଜଧାନୀ ପାରଦ ୪୦ ଡିଗ୍ରି ପାଖାପାଖି ରହୁଛି। ଘରୁ ବାହାରୁ ବାହାରୁ ମୁହଁ ଦେହ ପୋଡ଼ି ଯାଉଛି। ଦୁଇ ପାଦ ଚାଲିଲେ ତଣ୍ଟି ଶୁଖିଯାଉଛି। ମନ ଖୋଜୁଛି ଥଣ୍ଡା ପାନୀୟ। ରାଜଧାନୀବାସୀଙ୍କ ଖରାଦିନିଆ ଥଣ୍ଡା ପାନୀୟର ଲାଳସା ମେଣ୍ଟାଇବାକୁ ରାଜଧାନୀରେ ଖୋଲିଛି ପାରମ୍ପରିକ ପାନୀୟର ସମ୍ଭାର। ଲସି, ଲେମ୍ବୁପାଣି, ଆଖୁରସ ଓ ବେଲପଣା ଆଦି ଶୋଷ ମେଣ୍ଟାଉଛି। ଖରା ଯୋଗୁଁ ଏସବୁର ଚାହିଦା ଢେର ବଢ଼ିଯାଇଛି। ଏଥିସହ ଖରାଦିନିଆ ଫଳମୂଳର ଚାହିଦା ବି ରହିଛି।

ଚାହିଦାରେ ବିନା ବରଫ, ଗୁଡ଼ ଓ କେଶର ଲସି
ଖରା ଆସିଲେ ପ୍ରଥମେ ଖୋଜାପଡ଼େ ଲସି। ଆଗରୁ ମାଟି ହାଣ୍ଡି ଲସି, ସୁଗାର ଫ୍ରି ଲସି ଆଦିର ଚାହିଦା ଢ଼େର ଅଧିକା ରହିଥିବା ବେଳେ ଏବେ ରାଜଧାନୀରେ ଗୁଡ଼ ଲସି ଓ କେଶର ଲସିର ଚାହିଦା ଅଧିକ। ଅଳ୍ପ ଥଣ୍ଡାରେ ସ୍ବାସ୍ଥ୍ୟ ଉପଯୋଗୀ ଏହି ଲସି ପିଇବାକୁ ସ୍ବାସ୍ଥ୍ୟ ସଚେତନ ନାଗରିକଙ୍କ ନିଇତି ସୁଅ ଛୁଟେ ମେ’ ଫେୟାର ଛକରେ ଥିବା ‌ଅଜୟ ଓ ଅନସୂୟା ମଲ୍ଲିକଙ୍କ ଦୋକାନକୁ। ତାଙ୍କ ଲସି ପୁଣି ବିନା ବରଫରେ ପ୍ରସ୍ତୁତ ଅଳ୍ପ ଥଣ୍ଡା। ସକାଳ ୯ଟାରୁ ଦୋକାନ ଖୋଲିଲେ ରାତି ୧୦ଟା ପର୍ଯ୍ୟନ୍ତ ଲାଗି ରହୁଛି ଭିଡ଼।
ଏହି ଦୋକାନରେ ୩ ପ୍ରକାରର ଲସି ଉପଲବ୍ଧ। ଗ୍ରାହକଙ୍କର ପସନ୍ଦର ସର୍ବାଗ୍ରେ ରହିଛି କେଶର ଲସି। ଏହାର ଗ୍ଲାସ୍‌ ପିଛା ଦାମ୍‌ ୬୫ ଟଙ୍କା ରହିଛି। ପାର୍ସଲ ନେଲେ ଛୋଟ ଗ୍ଲାସ ୭୫ ଟଙ୍କା ଓ ବଡ଼ ଗ୍ଲାସ ପାର୍ସଲ ୮୫ ଟଙ୍କା। ଲସିରେ ଭରପୁର ମାତ୍ରାରେ ଦହି ସହିତ କେଶର, କାଜୁ, ପିସ୍ତା ବାଦାମ, ଚେରି, କିସ୍‌ମିସ୍‌ ଓ ନଡ଼ିଆ କୋରା ପଡ଼େ। ସେହିଭଳି ଗୁଡ଼ ମିଠା ଲସି ବଡ଼ ଗ୍ଲାସ ୫୫ଟଙ୍କା, ପାର୍ସଲ ଛୋଟ ଗ୍ଲାସ ୬୫ଟଙ୍କା ଓ ପାର୍ସଲ ବଡ଼ ଗ୍ଲାସ ୭୫ ଟଙ୍କା ରହିଛି। ଚିନି ମିଠା ଲସିର ଦାମ୍‌ ବଡ଼ ଗ୍ଲାସ ୫୦ ଟଙ୍କା, ପାର୍ସଲ ଛୋଟ ଗ୍ଲାସ ୬୦ ଟଙ୍କା, ପାର୍ସଲ ବଡ଼ ଗ୍ଲାସ ୭୦ ଟଙ୍କା ରହିଛି। ପ୍ର‌ତ୍ୟେକ ଦିନ ୩୦୦ରୁ ୪୦୦ ଗ୍ଲାସ ବେପାର ହେଉଛି। ସଂଧ୍ୟାରେ ଗ୍ରାହକ ଦୋକାନରେ ବସି ପିଇବାକୁ ପସନ୍ଦ କରୁଥିବ‌ା ବେଳେ ଖରା ସମୟରେ ଅଧିକ ପାର୍ସଲ ହୋଇଥାଏ ବୋଲି ଦୋକାନ ମାଲିକ ଅଜୟ କୁମାର ମଲ୍ଲିକ କହିଛନ୍ତି। ସେହିଭଳି ରୁପାଲି ଛକର ବହୁ ପୁରୁଣା ଲିଙ୍ଗରାଜ ଲସିର ଚାହିଦା ଏବେ‌ ବି ରହିଛି। ସବୁଥର ଭଳି ଏଥର ମଧ୍ୟ ବିଭିନ୍ନ ପ୍ରକାର ଲସି ଉପଲବ୍ଧ। ଦହି ଲସି, ରାବିଡ଼ି ଲସି, ଦହି ରାବିଡ଼ି ଲସି, ସୁଗାର ଫ୍ରି ଲସି ଓ ମଟକା ଲସି ରହିଛି। ୫୦ ଟଙ୍କାରୁ ଆରମ୍ଭ କରି ୮୦ ଟଙ୍କା ପର୍ଯ୍ୟନ୍ତ ଏଠାରେ ଲସି ଉପଲବ୍ଧ। ବର୍ଷ ସାରା ଲିଙ୍ଗରାଜ ଲସି ଦୋକାନ ଖୋଲା କିନ୍ତୁ ଅନ୍ୟ ଦିନ ଅପେକ୍ଷା ଖରା ଦିନେ ଅଧିକ ପରିମାଣରେ ଲସି ବେପାର ହୁଏ। ଏଥର ମଟକା ଲସିର ଚାହିଦା ରହିଛି। ଯାହାର ମୂଲ୍ୟ ୮୦ ଟଙ୍କା ବୋଲି ଦୋକାନର ମାଲିକ ହରିହର ସାହୁ କହିଛନ୍ତି।

ବେଲ ପଣା
ଅନୁଗୁଳ, ଢେଙ୍କାନାଳ, ରାଜଗାଙ୍ଗପୁର, ସୋନପୁର, ବୌଦ୍ଧ, ନୟାଗଡ଼ ଓ ଫୁଲବାଣୀ ଜିଲ୍ଲାମାନଙ୍କରୁ ରାଜଧାନୀକୁ ବେଲ ଆସିଥାଏ। ବସ୍ତା ହିସାବରେ ଚାଷୀ ଛୋଟ ବେଲ ୮୦୦ ଟଙ୍କା, ମଝିଆ ଆକାରର ବେଲ ୧୦୦୦ ଟଙ୍କା ଓ ବଡ଼ ଆକାରର ବେ‌ଲ ୧୨୦୦ ଟଙ୍କା ଖୁଚୁରା ବେପାରୀଙ୍କୁ ବିକୁଛନ୍ତି। ରାଜଧାନୀର ସିଆର୍‌ପି ଛକରେ ସିଦ୍ଧେଶ୍ୱର ସାହୁଙ୍କ ପ୍ରସିଦ୍ଧ ବେଲପଣା ଦୋକାନ। ସାହୁ ଭାଇନାଙ୍କ ହାତ ତିଆରି ୨ ପ୍ରକାର ବେଲ ପଣା। ଚିନି ବେଲପଣା ଓ ହାଣ୍ଡିଗୁଡ ବେଲପଣା। ଆଉ ସେଥିରେ ବରଫ, ଛେନା, ନଡ଼ିଆ, ଗୋଲମରିଚ ଗୁଣ୍ଡ ଓ ବିଟଲୁଣ ପକେଇ ସୁସ୍ୱାଦୁ ପଣା ଗ୍ରାହକଙ୍କୁ ଯୋଗେଇ ଦେଇଥାନ୍ତି। ଚିନି ପଣାର ମୂଲ୍ୟ ୨୫ ଟଙ୍କା ଆଉ ଗୁଡ଼ ପଣାର ମୂଲ୍ୟ ୩୦ ଟଙ୍କା ରହିଛି। ଦିନକୁ ଅତି କମ୍‌ରେ ୧୫୦ ଗ୍ଲାସରୁ ୨୦୦ ଗ୍ଲାସ ସେ ବିକ୍ରି କରନ୍ତି। ଶ୍ରୀ ସାହୁଙ୍କ କହିବା ଅନୁସାରେ ଲୋକେ ଗୁଡ଼ ପଣାକୁ ବେଶି ପସନ୍ଦ କରୁଛନ୍ତି। ସକାଳ ୮ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହୁ ଭାଇନାଙ୍କ ହାତ ସେମିତି ଚାଲୁଥାଏ।

ସରବତରେ ଲେମ୍ବୁର ମହଙ୍ଗା ମାଡ଼
ରାଜଧାନୀର ପ୍ରମୁଖ ଛକ ରାଜମହଲ ଛକରେ ସୁଦର୍ଶନ ମଉସାଙ୍କ ହାତ ତିଆରି ପାରମ୍ପରିକ ସରବତ ସତରେ ଖରାଦିନକୁ ଜମାଣିଆ କରିଦିଏ। ସକାଳ ୮ଟା ବାଜିଲେ ଠେଲା ଗାଡ଼ିରେ ଭଳିକି ଭଳି ପାଣିକୁ ପାଗଯୋଗ କରି ଆଣି ରାଜମହଲ ଛକରେ ଗ୍ରାହକଙ୍କ ଅପେକ୍ଷାରେ ଠିଆ ହୋଇଯାଆନ୍ତି ସୁଦର୍ଶନ। ଲେମ୍ବୁପାଣି, ପୋଦିନା ପାଣି, ନାଣ୍ଡିବଗୁଲି, ଭୁସିମିଶ୍ରି, ଦହି ସର୍ବତ ଓ ଜଳଜିରା ପାଣି ଆଦି ନାନା ପ୍ରକାର ପାଣି ସେ ଗ୍ରାହକମାନଙ୍କୁ ଯୋଗେଇ ଦେଇଥାନ୍ତି। ଖାଲି ଲେମ୍ବୁମିଶ୍ରି ପାଣି ୧୫ ଟଙ୍କା। ଲେମ୍ବୁ ଦାମ୍‌ ବୃଦ୍ଧି ଲେମ୍ବୁ ସରବତର ଦାମ୍‌କୁ ମଧ୍ୟ ବଢ଼ାଇ ଦେଇଛି। ଏନେଇ ସୁଦର୍ଶନ କହିଛନ୍ତି, ଲେମ୍ବୁ ଗୋଟା ୮ରୁ ୧୦ଟଙ୍କା କିଣା ପଡୁଛି। ଏଣୁ ଆମେ ସରବତ ଦାମ୍‌ ବଢ଼ାଇବାକୁ ବାଧ୍ୟ ହୋଇଛୁ।

ଆଖୁ ରସ
ରାଜଧାନୀର ରାସ୍ତାକଡ଼ରେ ଆଖୁ ରସ ବ୍ୟବସାୟ ମଧ୍ୟ ବେଶ ଭଲ ଚାଲିଛି। ଦଶପଲ୍ଲାରୁ ଆଖୁ ଆସି ରାଜଧାନୀର ଖୁଚୁରା ବେପାରୀଙ୍କ ପାଖେ ପହଞ୍ଚି ଯାଉଛି। ଖୁଚୁରା ବେପାରୀ ୧ କୁଇଣ୍ଟାଲ ପିଛା ୭୦୦ ଟଙ୍କାରୁ ୮୦୦ଟଙ୍କା ମୂଲ୍ୟରେ କିଣୁଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ ଅଶୋକ ସାହୁଙ୍କ ଆଖୁରସ ଠେଲା। ଅଶୋକ ପୁଦିନା, ଅଦା, ଲେମ୍ବୁ ଓ ବିଟଲୁଣ ମିଶେଇ ଲୋକଙ୍କୁ ଆଖୁରସ ପରସି ଦିଅନ୍ତି। ଖାଲି ଆଖୁରସ ପିଇବାକୁ ହେଲେ ୨୦ ଟଙ୍କା ଓ ବରଫ ପଡ଼ିଲେ ୧୫ ଟଙ୍କା। ଅଶୋକ କୁହନ୍ତି, ଏବେ ଏ ଖରାରେ ଗ୍ରାହକ ସକାଳ ଆଉ ସନ୍ଧ୍ୟାରେ ଆସୁଛନ୍ତି। ଯଦି ରାଲି ଧାରଣାରେ ଲୋକ ଅଧିକ ହୋଇଗଲେ ଆଉ ଫୁରୁସତ ମିଳେନି। ଭଲ ବେପାର ଜମେ। ଦିନ ୧୨ଟା ସୁଧା ସବୁ ଆଖୁ ସାରି ଘରକୁ ଫେରିଯାଏ।

ସମ୍ବନ୍ଧିତ ଖବର