ଭୁବନେଶ୍ବର: ବିଭିନ୍ନ ଚିଡ଼ିଆଖାନାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜେବ୍ରା, ଏସୀୟ ସିଂହ, ବଣ କୁକୁଡ଼ା ଓ ଚିତାବାଘ ଅଣାଯିବ। ଓଡ଼ିଶାର ଏହି ଏକମାତ୍ର ପ୍ରାଣୀ ଉଦ୍ୟାନକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଟନେଲ୍ ଆକ୍ବାରିୟମ୍ ନିର୍ମାଣ, କାଞ୍ଜିଆ ହ୍ରଦର ନବୀକରଣ, ବନ୍ୟଜନ୍ତୁ ବିନିମୟ କାର୍ଯ୍ୟକ୍ରମ, ଚିତାବାଘ, ଛୋଟ ବିରାଡ଼ି ପ୍ରଜାତିର ପ୍ରାଣୀ, ବିଦେଶୀ ବାନର ଜାତୀୟ ପ୍ରାଣୀଙ୍କ ନିମନ୍ତେ ଖୁଆଡ଼ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସମସ୍ତ ସଫାରିଗୁଡ଼ିକର ପ୍ରବେଶ ପଥର ଉନ୍ନତୀକରଣ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ମୁଖ୍ୟ ଫାଟକର ଉନ୍ନତୀକରଣ, ପ୍ରଥମ ଫାଟକରୁ ଝରଣା ଛକ ପର୍ଯ୍ୟନ୍ତ ଘାସ ଗାଲିଚା, ପ୍ରାକୃତିକ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉଛି।
ଟନେଲ୍ ଆକ୍ବାରିୟମ୍ ନିର୍ମାଣକୁ ଗୁରୁତ୍ବ
ସଫାରିଗୁଡ଼ିକର ପ୍ରବେଶ ପଥ ବଦଳିବ
ଏବେ ପ୍ରାଣୀ ଉଦ୍ୟାନରେ ୧୬୮ ପ୍ରଜାତିର ୪,୨୪୨ଟି ବନ୍ୟପ୍ରାଣୀ ଅଛନ୍ତି। ସେଥିମଧ୍ୟରୁ ୭୮ ପ୍ରଜାତିର ୧,୮୭୧ଟି ପକ୍ଷୀ, ୫୪ ପ୍ରଜାତିର ୧,୯୮୦ ସ୍ତନ୍ୟପାୟୀ, ୩୦ ପ୍ରଜାତିର ୩୭୦ ସରୀସୃପ ଓ ୬ ପ୍ରଜାତିର ୨୧ଟି ଉଭୟଚର ପ୍ରାଣୀ ରହିଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହା ପରିସରରେ ଶିଶୁ ରେଳଗାଡ଼ି, ରୋପ୍ୱେ, ୪ଟି ସଫାରି(ବାଘ, ସିଂହ, ଭାଲୁ ଓ ତୃଣଭୋଜୀ ପ୍ରାଣୀ) ରହିଛି। ବ୍ୟାଟେରି ଚାଳିତ ଗାଡ଼ିର ସୁବିଧା କରାଯାଇଛି। ଏହାବ୍ୟତୀତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବିନା ଶୁଳ୍କରେ ପ୍ରବେଶ, ପରିଭ୍ରମଣ ପାଇଁ ଚକ ଲାଗିଥିବା ଗାଡ଼ିର ବ୍ୟବସ୍ଥା କରାଯାଇଛି। କୋଭିଡ୍ ପରିସ୍ଥିତି ଲାଗି ରହିଥିବାରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪ ଲକ୍ଷ ପର୍ଯ୍ୟଟକ ଏହି ପ୍ରାଣୀ ଉଦ୍ୟାନକୁ ବୁଲି ଆସିଥିଲେ। ପରବର୍ତ୍ତୀ ଦୁଇଟି ଆର୍ଥିକ ବର୍ଷ ଯଥା ୨୦୨୨-୨୩ରେ ୧୮ ଲକ୍ଷ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୩୯ ଲକ୍ଷ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ଭ୍ରମଣ କରିଥିଲେ। ପର୍ଯ୍ୟଟକଙ୍କଠାରୁ ଆଦାୟ ହେଉଥିବା ଅର୍ଥ ପରିମାଣ ପ୍ରତି ଆର୍ଥିକ ବର୍ଷରେ ବୃଦ୍ଧି ପାଉଛି। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି।