ମୂଳପୋଛ ପାଇଁ ସ୍ୱର ଉତ୍ତୋଳନ ଜରୁରୀ

ରାଜ୍ୟରେ ଘରୋଇ ହିଂସା କମିଛି

ଭୁବନେଶ୍ୱର: ପୂର୍ବ ଅପେକ୍ଷା ରାଜ୍ୟରେ ଘରୋଇ ହିଂସା କମିବାରେ ଲାଗିଛି। ଏହି ହିଂସାକୁ ମୂଳପୋଛ କରିବାକୁ ପ୍ରଥମେ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଭୟଭୀତ ନ ହୋଇ ଘଟଣାକୁ ଲୋକଲୋଚନକୁ ଆଣିବା ସହ ପୁଲିସରେ ଅଭିଯୋଗ କରିବା ଆବଶ୍ୟକ ବୋଲି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମତପ୍ରକାଶ କରିଛନ୍ତି। ଆଜି ଓଡ଼ିଶା ପୁଲିସ ଓ ସାମାଜିକ ସଂଗଠନ ‘ସମ୍ମାନିତା’ର ମିଳିତ ଅନୁକୂଲ୍ୟରେ ପୁଲିସ ଭବନରେ ଆୟୋଜିତ ‘ଡୋମେଷ୍ଟିକ୍‌ ଭାଓଲେନ୍ସ: ରିଫ୍ୟୁଜ୍‌ ଟୁ ବି ସାଇଲେଣ୍ଟ’ କର୍ମଶାଳାରେ ପୁଲିସ ଡିଜି ଶ୍ରୀ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପୂର୍ବରୁ ସାକ୍ଷରତା ହାର କମ୍‌ ଥିଲା। ଅନେକ ନିୟମ ବିଷୟରେ ଅବଗତ ହୋଇପାରୁ ନଥିଲେ। ହେଲେ ବର୍ତ୍ତମାନ ଆଉ ସେଭଳି ପରିସ୍ଥିତି ନାହିଁ। ମହିଳାମାନେ ନିୟମ ବିଷୟରେ ଅବଗତ ହେଲେଣି। ପୁଲିସ ଅଧିକାଂଶ ସମସ୍ୟାର ସମାଧାନ କରିପାରିଛି। ଆଗାମୀ ଦିନରେ ଯେମିତି ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ଏବଂ ଘରୋଇ ହିଂସାକୁ ମୂଳପୋଛ କାରାଯିବ ସେ ଦିଗରେ ବିଭିନ୍ନ ପନ୍ଥା ଆପଣା ଯିବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି। ସେହିପରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଆମେ ଆମ ପଡ଼ୋଶୀ ବିଷୟରେ ଜାଣିବା ନିହାତି ଆବଶ୍ୟକ। ସେ ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ। ହେଲେ ବିଶେଷ କରି ସହାରାଞ୍ଚଳରେ ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଉତ୍ତମ ସମ୍ପର୍କ ରଖିପାରୁ ନାହାନ୍ତି। ଏହାର ମୁଖ୍ୟ କାରଣ ଆମେ କେବେ ମିଶିବାକୁ ଚେଷ୍ଟା କରୁନାହାନ୍ତି କି କାହାରି ବିଷୟରେ କେହି ବୁଝିବା ପାଇଁ ଆଗ୍ରହ ବଢ଼ାଉ ନାହାନ୍ତି। ଯଦି ଆମେ ଅତି କମରେ ସପ୍ତାହରେ ୨ଘଣ୍ଟା ସମୟ ବାହାର କରି ଆମ ପଡ଼ୋଶୀଙ୍କ ସହ ମିଶିବା ଏବଂ ସେମାନଙ୍କ ଭଲ ମନ୍ଦ ବିଷୟରେ ବୁଝିବା। ତେବେ ଘରୋଇ ହିଂସାକୁ ରୋକିବାରେ ଏହା ସହାୟକ ହେବ ବୋଲି ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥିଲେ। ଏଡିଜି କ୍ରାଇମବ୍ରାଞ୍ଚ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ତଥା ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଏସ୍‌ପି କ୍ରାଇମବ୍ରାଞ୍ଚ ଆର୍‌ବି ପାଣିଗ୍ରାହୀ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ। ଏହାଛଡ଼ା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୬୦ଜଣ ପୁଲିସ ଅଧିକାରୀ, ୧୦ରୁ ଊର୍ଦ୍ଧ୍ୱ କ୍ରାଇମବ୍ରାଞ୍ଚ ଅଧିକାରୀ, ବିଭିନ୍ନ ଏନ୍‌ଜିଓର କର୍ମକର୍ତ୍ତା ଓ ଆଇନ୍‌ଜୀବୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଡିଆଜି କ୍ରାଇମବ୍ରାଞ୍ଚ ଏନ୍‌କେ କାନୋଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର