ଗୁଳିକାଣ୍ଡର ୪୮ ଘଣ୍ଟା ନପୂରୁଣୁ ପୁଣି ଲୁଟ୍

ଘରେ ପଶି ନଗଦ ୩.୭୦ ଲକ୍ଷ ଓ ୧୮ ଲକ୍ଷ ଟଙ୍କାର ଗହଣା ଲୁଟିନେଲେ, ସିସିଟିଭିରେ ଲୁଟ୍‌ ଦୃଶ୍ୟ କଏଦ

ଭୁବନେଶ୍ବର: ରବିବାର ବିଳମ୍ବିତ ରାତିରେ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟ୍‌ ଉଦ୍ୟମର ପର୍ଦ୍ଦାଫାସ୍ ନ ହେଉଣୁ ଗତକାଲି ବିଳମ୍ବିତ ରାତିରେ ପୁଣି ଏକ ବଡ଼ଧରଣର ଲୁଟ୍ ହୋଇଛି। ଗଙ୍ଗପଡ଼ା ଅଞ୍ଚଳରୁ ଋତୁରାଜ ସାମନ୍ତରାୟଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଲୁଟେରାମାନେ ତାଙ୍କ ଘରୁ ନଗଦ ୩ଲକ୍ଷ ୭୦ହଜାର ଟଙ୍କା ଲୁଟିଥିବା ବେଳେ ୧୮ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଲୁଟିନେଇଥିବା ସେ ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି। ଇନ୍‌ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଋତୁରାଜ ଏତଲାରେ ଉଲ୍ଲେଖ କରିଛନ୍ତି, ସୋମବାର ରାତିରେ ଗରମ ହେଉଥିବାରୁ ପରିବାରର ସମସ୍ତ ସଦସ୍ୟ ଦାଣ୍ଡ ଘରେ ଶୋଇଥିଲେ। ଏହି ସୁଯୋଗରେ ୫ଜଣ ଡକାୟତ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ତାଙ୍କ ପଛ ଘରର ୨ଟି ଝରକା ତାଡ଼ି ଘରେ ପଶିଥିଲେ। ଲୁଟେରାମାନେ ଆଲମାରି ଭାଙ୍ଗି ଲୁଟପାଟ୍ କରିଥିଲେ। ଆଲ୍‌ମାରି ଥିବା ୧୦ଟି ସୁନା ଚେନ୍, ୨ଟି ହାର, ୧୩ଟା ମୁଦି, ମଙ୍ଗଳସୂତ୍ର, ବ୍ରେସଲେଟ୍, ସୁନା ଚୁଡ୍, ଶଙ୍ଖା ଓ ବାହୁଟି ସମେତ ସମସ୍ତ ରୁପା ଅଳଙ୍କାର ଲୁଟିନେଇଥିଲେ। ଏହା ସହିତ ନିକଟରେ ତାଙ୍କର ଓ ତାଙ୍କ ଭଉଣୀ ବାହାଘର ହୋଇଥିବାରୁ ଭୋଜିରେ ମିଳିଥିବା ପ୍ରାୟ ୩ଲକ୍ଷ ୭୦ହଜାର ନଗଦ ଟଙ୍କା ମଧ୍ୟ ଲୁଟେରମାନେ ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇ ଇନ୍‌ଫୋଭ୍ୟାଲି ଥାନା ପୁଲିସ ଘରେ ଲାଗିଥିବା ସିସିଟିଭି ଯାଞ୍ଚ କରିଛି। ୫ଜଣ ଲୁଟେରା ଘର ଭିତରକୁ ପଶିଥିବା ସିସିଟିଭିରେ କଏଦ ହୋଇଛି। ପୁଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଅପରପକ୍ଷରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୁଟେରାମାନଙ୍କ ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର