ବର୍ଷେ ପୂରିନି, ପୁଣି ପୋତି ହୋଇଗଲା, ୯ କେନାଲରେ ବୋହିଗଲା ୮ ଲକ୍ଷ ଟଙ୍କା

ବାଲିପାଟଣା: ସଫେଇ କାମକୁ ବର୍ଷେ ପୂରିନାହିଁ। ପୁଣି ପୋତି ହୋଇଗଲାଣି କେନାଲ। ଘାସ, ଦଳ ଓ ଅନାବନା ଗଛ ଲତାରେ ଭର୍ତ୍ତି ହୋଇଗଲାଣି। ଫଳରେ ବିଲ ମୁଣ୍ଡକୁ ପାଣି ପହଞ୍ଚିବ ନାହିଁ ବୋଲି ବାଲିପାଟଣାର ଚାଷୀମାନେ ଆଶଙ୍କା କଲେଣି। ସଫେଇ କାମ କରାଇ ଜଳସେଚନ ବିଭାଗ କେବଳ ଠିକାଦାର ପୋଷିବା ସାର ହେଲା ଓ ସରକାରଙ୍କ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା କେନାଲରେ ବୋହିଗଲା ବୋଲି ଚାଷୀମହଲରେ ଚର୍ଚ୍ଚା ହେଉଛି।

ସୂଚନାନୁସାରେ, ବାଲିପାଟଣା ଜଳ ସଂପଦ ବିଭାଗ ଅଧୀନରେ ଥିବା ୯ଟି କେନାଲର ସଫେଇ ପାଇଁ ଗତ ବର୍ଷ ୮ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ବାଲିପାଟଣା ବ୍ରାଞ୍ଚର ଯନ୍ତ୍ରୀ ମନୋରଂଜନ ମହାସୁଆରଙ୍କ ସୂଚନାନୁସାରେ, ନିୟମ ଅନୁଯାୟୀ ଟେଣ୍ଡର୍‌ କରାଯିବା ପରେ ଜୁଲାଇ ଓ ଅଗଷ୍ଟରେ ଏହି ସଫେଇ କାର୍ଯ୍ୟ ହୋଇଥିଲା। କିନ୍ତୁ ବର୍ଷଟିଏ ବି ବିତିଛି କି ନାହିଁ, କେନାଲର ଅବସ୍ଥା ଯେମିତି ଥିଲା ସେମିତି ହୋଇଯାଇଛି। କେନାଲ ସାରା ଘାସ, ଦଳ, ଲତା ଓ ଅନାବନା ଗଛ ଭର୍ତ୍ତି ହୋଇଯାଇଛି। ଖରିଫ ଋତୁ ଲାଗି ଆସନ୍ତା ମାସ ସୁଦ୍ଧା ୧୫/୧୬ତାରିଖ ସୁଦ୍ଧା କେନାଲରେ ପାଣି ଆସିବ ବୋଲି ବାଲିପାଟଣା ସେକ୍ସନ୍‌ ଯନ୍ତ୍ରୀ ଶ୍ରୀ ମହାସୁଆର କହିଛନ୍ତି। ତେଣୁ କେନାଲର ଏଭଳି ଅବସ୍ଥାରେ ପାଣି ଆସିଲେ ଲତା, ଘାସ, ଦଳ ପ୍ରଭୃତି ବାଧକ ସାଜିବା ଏକ ପ୍ରକାର ନିଶ୍ଚିତ ବୋଲି ଚାଷୀମାନେ କହିଛନ୍ତି। ଅଧିକ କ୍ଷତିଗ୍ରସ୍ତ ହେବେ ନିମାପଡ଼ା ବ୍ରାଞ୍ଚ କେନାଲ ଉପରେ ନିର୍ଭର କରୁଥିବା ଶହ ଶହ ଚାଷୀ। ଏହି ଆଙ୍କୁଶପୁର କେନାଲ ଅଠାନ୍ତରଠାରୁ ବାହାରି ପ୍ରାୟ ଦୀର୍ଘ ୧୦ କି.ମି. ପର୍ଯ୍ୟନ୍ତ ଲମ୍ବିଛି। ବାଲିପାଟଣା ଓ ନିମାପଡ଼ା ବ୍ଲକର ୮/୧୦ଟି ପଞ୍ଚାୟତର ଚାଷୀ ଏହି କେନାଲ ଉପରେ ନିର୍ଭର କରିଥା’ନ୍ତି। କିନ୍ତୁ ବର୍ତମାନ କେନାଲର ଅବସ୍ଥା ଯାହା, ଚାଷୀଙ୍କ ବିଲକୁ ପାଣି ପହଞ୍ଚିବ ନାହିଁ। ବିଭାଗୀୟ ତଦାରଖ ଅଭାବରୁ ଠିକାଦାର ମନମୁଖୀ କାମ କଲା ଓ ନିମ୍ନମାନର କାର୍ଯ୍ୟ ପାଇଁ କେନାଲ ପୋତି ହୋଇଯାଇଛି। ଏହା‌ କେବଳ ଗତବର୍ଷର ସମସ୍ୟା ନୁହେଁ, ବହୁ ପୂର୍ବରୁ ଏହା ଜଳସେଚନ ବିଭାଗର ଏକ ପରମ୍ପରା ପାଲଟି ଯାଇଛି। ସଫେଇ ନାଁରେ ଠିକାଦାର ପୋଷା ହେଉଛନ୍ତି ଓ କେନାଲରେ ବୋହି ଯାଉଛି ଲକ୍ଷ ଲକ୍ଷ ଟଙ୍କା। ତେବେ ଯନ୍ତ୍ରୀ ଶ୍ରୀ ମହାସୁଆରଙ୍କ କହିବା କଥା, ଏ ବର୍ଷ ସବୁ କେନାଲ ଅଲଗା ଅଲଗା ଟେଣ୍ଡର୍‌ ଜରିଆରେ ସଫା ହେବ।

ସମ୍ବନ୍ଧିତ ଖବର