କ୍ଲାସରୁମ୍ ଚକାଚକ୍, ପଢ଼ାଇବାକୁ ଶିକ୍ଷକ ନାହାନ୍ତି
ଖେଳ ପଡ଼ିଆର ବିକାଶ ହେଉନି, କ୍ରୀଡ଼ା ସାମଗ୍ରୀ ଆସୁନି
ଭୁବନେଶ୍ବର : ବିଦ୍ୟାଳୟ ବାହାର ଚକାଚକ୍। ଦେଖିବାକୁ ବହୁତ ସୁନ୍ଦର। ହେଲେ ଭିତରେ ସମସ୍ୟା ମାଳମାଳ। ପଢ଼ିବାକୁ କ୍ଲାସରୁମ୍ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ବି ଗୁଣାତ୍ମକ ଶିକ୍ଷାରେ ସମସ୍ୟା ସୃଷ୍ଟି କରୁଛି। ଏହା କୌଣସି ଉପାନ୍ତ କି ଆଦିବାସୀ ଅଞ୍ଚଳର ଦୃଶ୍ୟ ନୁହେଁ। ବରଂ ଖୋଦ୍ ରାଜଧାନୀର କେନ୍ଦ୍ରସ୍ଥଳୀ ଖାରବେଳନଗର ସ୍ଥିତ ସରକାରୀ ଟେକ୍ଷ୍ଟ ବୁକ୍ ପ୍ରେସ୍ ଉଚ୍ଚ ବିଦ୍ୟାଳୟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମରେ ଏହି ସ୍କୁଲର ବିକାଶ କରାଯାଇଛି। ଲାଇବ୍ରେରି, ଲାବରେଟୋରି ପ୍ରତିଷ୍ଠା ହୋଇଛି। କ୍ଲାସରୁମ୍ରେ ରଙ୍ଗ ବୋଳି ଚିକ୍କଣ କରାଯାଇଛି। ମାତ୍ର ଶ୍ରେଣୀ ଗୃହ ଅଭାବରୁ ୩ଟି ଶ୍ରେଣୀର ପିଲା ବାରଣ୍ଡାରେ ପାଠ ପଢୁଛନ୍ତି। ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୪୦ ପିଲା ଏଠାରେ ଶିକ୍ଷା ଗ୍ରହଣ କରୁଛନ୍ତି। ୫-ଟି ଯୋଜନାରେ କ୍ଲାସ୍ ରୁମ୍ଗୁଡ଼ିକ ସ୍ମାର୍ଟ ହୋଇଛି। ଯେଉଁଥିପାଇଁ ଆଗ ଅପେକ୍ଷା ଶ୍ରେଣୀଗୃହରେ ପିଲାଙ୍କ ଉପସ୍ଥାନ ବଢ଼ିଛି। ହେଲେ ପିଲାଙ୍କ ତୁଳନାରେ ଶ୍ରେଣୀଗୃହ ନାହିଁ। ଯେଉଁଥିପାଇଁ ପ୍ରଥମ, ତୃତୀୟ ଓ ଚତୁର୍ଥ ଶ୍ରେଣୀର ୬୦ରୁ ଅଧିକ ପିଲା ବାରଣ୍ଡାରେ ବସି ପଢ଼ୁଛନ୍ତି। ଅସରାଏ ବର୍ଷା ହେଲେ ସେମାନଙ୍କ ପାଠପଢ଼ା ଠପ୍।
ସମସ୍ୟା କେବଳ ଏତିକିରେ ଅଟକିନି। ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଅନୁପାତରେ ଶିକ୍ଷକ ନାହାନ୍ତି। ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କୁ ମିଶାଇ ମୋଟ ୩ଜଣ ଶିକ୍ଷକ ଅଛନ୍ତି। ଯେଉଁଠି ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିବା କଥା। ପ୍ରାଥମିକ ବିଦ୍ୟାଳୟ ଅର୍ଥାତ୍ ପ୍ରଥମରୁ ୮ମ ଶ୍ରେଣୀ ପାଇଁ ମାତ୍ର ୮ଜଣ ଶିକ୍ଷକ ଅଛନ୍ତି। ଯେଉଁଠି ନିୟମ ଅନୁଯାୟୀ ୮ଟି ଶ୍ରେଣୀରେ ପଢ଼ୁଥିବା ୪୫୦ ପିଲାଙ୍କ ପାଇଁ ୧୪ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆବଶ୍ୟକତା ରହିଛି। ବିଦ୍ୟାଳୟରେ ଖେଳ ପଡ଼ିଆ ରହିଥିଲେ ମଧ୍ୟ ଏଥିରେ ଖେଳ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ହୋଇନି। ଖେଳ ଛୁଟି ସମୟରେ ପିଲାମାନେ ଶ୍ରେଣୀଗୃହରେ ବସି ସମୟ ବିତାଉଛନ୍ତି। ପିଲାଙ୍କ ଖେଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭୮ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ତାହାର ବିନିଯୋଗ ହୋଇପାରି ନ ଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟ କର୍ତୃପକ୍ଷ ଅବଗତ ଥିଲେ ମଧ୍ୟ କେହି କିଛି ପାଟି ଖୋଲିବାକୁ ରାଜି ନାହାନ୍ତି। ବହୁ ସଂଖ୍ୟାରେ ବସ୍ତି ପିଲା ଏଠାରେ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ପିଲାଙ୍କର କ୍ରୀଡ଼ା ପ୍ରତି ରୁଚି ରହିଛି। ମାତ୍ର ଖେଳ ସାମଗ୍ରୀ ନ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି।
ଅବିଭାବକ ଗଦାଧର ବେହେରା କହିଛନ୍ତି ଯେ, ୧୯୭୧ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହାର ୧୬ବର୍ଷ ପରେ ଅର୍ଥାତ୍ ୧୯୮୭ରେ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲ ସ୍ଥାପିତ ହୋଇଥିଲା। ୫୩ ବର୍ଷର ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଏହି ବିଦ୍ୟାଳୟର ସେଭଳି କିଛି ଉନ୍ନତି ହୋଇନଥିଲା। ୫-ଟି ଜରିଆରେ ରୂପାନ୍ତରଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପର ଚିକ୍କଣ ବ୍ୟବସ୍ଥା ହୋଇଛି। ମାତ୍ର ପିଲାଙ୍କ ଅନୁପାତରେ ଶିକ୍ଷକ ନାହାନ୍ତି କି କ୍ଲାସରୁମ୍ ନାହିଁ। ତେଣୁ ଆଜି ଏଭଳି ସ୍ଥିତି। ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଗଲେ ବହୁ ପିଲା ଉପକୃତ ହୋଇପାରିବେ।