ଆଧାର କାର୍ଡ ନ ଥିବାରୁ ଅଷ୍ଟମରୁ ପାଠ ବନ୍ଦ

ନାମ ନ ଲେଖାଇ ଫେରାଇ ଦେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ

୨ ବର୍ଷ ହେଲା ଆବେଦନ କରି ବାପା ନିରାଶ

ଭୁବନେଶ୍ବର : ୨ ବର୍ଷ ହେଲା ପୁଅର ଆଧାର କାର୍ଡ ଆବେଦନ କରି ନିରାଶ ହେଲେଣି ମେଘନାଥ। ଏଣେ ଆଧାର କାର୍ଡ ନଥିବାରୁ ସ୍କୁଲରେ ନାମ ଲେଖାଇ ପାରୁନାହାନ୍ତି ଗଙ୍ଗାଧର। ଏଥିଯୋଗୁଁ ଦଶମ ଶ୍ରେଣୀରେ ପଢିବାକୁ ଥିବା ଗଙ୍ଗାଧରର ଅଷ୍ଟମ ଶ୍ରେଣୀରୁ ପାଠପଢ଼ାରେ ଡୋରି ବନ୍ଧା ହୋଇ ଯାଇଛି। କେବେ ଆଧାର କାର୍ଡ ମିଳିବ, ସେ ପୁଣି ସ୍କୁଲକୁ ଯାଇ ପାରିବେ ଏହାକୁ ନେଇ ଆଶା ମଉଳିବାରେ ଲାଗିଛି। ରାଜମିସ୍ତ୍ରି କାର୍ଯ୍ୟ କରୁଥିବା ପଣ୍ଡାକୁଦିଆ ଅଧିବାସୀ ମେଘନାଦ କହନ୍ତି, ଗଣିତ କଷିବାକୁ ଦେଲେ ଯେଉଁ ପିଲାଟି ପ୍ରଥମେ କରି ଦିଏ ସେହି ପିଲାର ପାଠ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ନିଜ କୁନିପୁଅର ଭବିଷ୍ୟତ ନେଇ ସେ ଅନିଶ୍ଚିତତା‌ରେ ଭାଙ୍ଗି ପଡ଼ିଛନ୍ତି। ରାଜଧାନୀରେ କୌଣସି ପିଲା ଯଦି ଏଭଳି କାରଣରୁ ଅଧାରୁ ପାଠ ଛାଡ଼ିବେ, ଗ୍ରାମଞ୍ଚଳର ଅବସ୍ଥା କଣ ହେବ ଅନୁମାନ କରାଯାଇପାରେ।

ମେଘନାଦ ନିଜ ପରିବାର ସହିତ ଜୟଦେବ ବିହାର ନିକଟସ୍ଥ ଜଗନ୍ନାଥ ସାହି ବସ୍ତିରେ ରହୁଥିଲେ। ୨୦୧୮ ମସିହା ସେପ୍ଟେମ୍ବର ମାସରେ ହକି କାର୍ଯ୍ୟକ୍ରମ ଯୋଗୁଁ ତାଙ୍କ ସମେତ ସମୁଦାୟ ୨୯୦ ପରିବାରକୁ ବିସ୍ଥାପିତ କରି ପଣ୍ଡାକୁଦିଆରେ ଥଇଥାନ କରାଯାଇଥିଲା। ଏହି ସମୟରେ ପୁଅ ଗଙ୍ଗାଧର ଆଚାର୍ଯ୍ୟବିହାର ସ୍ଥିତ ଆର୍‌ଏଲ୍‌ ପ୍ରୋଜେକ୍ଟ କଲୋନି ସ୍କୁଲରେ ପଢୁଥିଲେ। ବିସ୍ଥାପିତ ହେବା ପରେ ମେଘନାଦଙ୍କ ପୁଅ ଗଙ୍ଗାଧରର ନାମ ସାମପୁର ସ୍ଥିତ କଳିଙ୍ଗ ବିଦ୍ୟାପୀଠରେ ଲେଖାଇବା ପାଇଁ ଯାଇଥିଲେ। ତେବେ କଳିଙ୍ଗ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଆଧାର କାର୍ଡ ନହେଲେ ସ୍କୁଲ ନାମଲେଖା ସମ୍ଭବ ନୁହେଁ ବୋଲି ତାଙ୍କୁ କହିଥିଲେ। ଏହା ପରେ ମେଘନାଦ ଆଜିକୁ ୨ବର୍ଷ ହେଲା ଓକାକ ଏବଂ ବ୍ୟାଙ୍କରେ ଆଧାର କାର୍ଡ ପାଇଁ ଆବେଦନ କରି ଆସୁଛନ୍ତି। ମାତ୍ର ପ୍ରତିଥର ତାଙ୍କ ଆବେଦନପତ୍ର ନାକଚ ହୋଇ ଯାଉଛି। ଏଣେ ପୁଅକୁ ନାମ ଲେଖାଇବା ପାଇଁ ସ୍କୁଲକୁ ଯେତେଥର ଅନୁରୋଧ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ପୁଅ ପଢୁଥିବା ପୁରୁଣା ସ୍କୁଲରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ତେଣୁ ସେଠାରେ ନବମ ପଢାଇବା ସମ୍ଭବ ନୁହେଁ। ତେଣୁ ବାଧ୍ୟ ହୋଇ ଗଙ୍ଗାଧର ୨ ବର୍ଷ ହେଲା ପାଠ ଛାଡ଼ି ଘରେ ବସିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ପାଠପଢା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଥିବା କହୁଛନ୍ତି। ଏପରିକି କେଉଁଠି କେହି ରହି ଯାଇଥିଲେ ତାଙ୍କୁ ଆଣି ସ୍କୁଲରେ ନାମ ଲେଖାଇବା ପାଇଁ କୁହାଯାଉଛି। ମାତ୍ର ପାଠ ପଢିବା ପାଇଁ ଚାହୁଁଥିବା ଛାତ୍ରଟିଏ କେବଳ ଆଧାର କାର୍ଡଟିଏ ପାଇଁ ଦୁଇ ବର୍ଷ ହେଲା ପାଠପଢ଼ାରୁ ବଞ୍ଚିତ ହେବା ଯେତିକି ବିସ୍ମୟ ସୃଷ୍ଟି କରିଛି, ସରକାରୀ ବ୍ୟବସ୍ଥାରେ ଥିବା ତ୍ରୁଟିପୂର୍ଣ୍ଣ ନୀତିକୁ ସେତିକି ପଦାରେ ପକାଇଛି।

ସମ୍ବନ୍ଧିତ ଖବର