ଲକ୍‌ଡାଉନ୍‌ରେ ପାଠପଢ଼ା: ମୋବାଇଲ, ଟିଭି ପାଲଟିଛି ଶିକ୍ଷାଗୁରୁ

ଭୁବନେଶ୍ବର: ମହାମାରୀ କରୋନା ସ୍କୁଲ୍ ପଢ଼ୁଆ ପିଲାଠୁ ଆରମ୍ଭ କରି ଗବେଷଣାରତ ଛାତ୍ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନକୁ ଅନେକ ମାତ୍ରାରେ ବଦଳାଇ ଦେଇଛି। ବିଦ୍ୟାର୍ଥୀମାନେ ପାଠ ପଢ଼ିବାର ଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିଛନ୍ତି। ବିଦ୍ୟାଳୟର ଶିକ୍ଷକଙ୍କ ଉପରେ ମଧ୍ୟ ଆଉ ମାତ୍ରାଧିକ ନିର୍ଭର ହେବାକୁ ପଡ଼ୁନି। ମୋବାଇଲ୍ ପାଲଟିଛି ପିଲାମାନଙ୍କର ଶିକ୍ଷାଗୁରୁ। ମୋବାଇଲ୍‌ରୁ ନିଜ ପାଠ୍ୟ ସମ୍ପର୍କିତ ତଥ୍ୟ ବାହାର କରିବା ସହିତ ଗଣିତ ଭଳି ବିଷୟ ପାଇଁ କିଛି ୱେବସାଇଟ୍ ଓ ଆପ୍ଲିକେସନ୍ ମାଧ୍ୟମରେ ପ୍ରଶ୍ନର ସମାଧାନ କରୁଛନ୍ତି। ଏହା ଛଡ଼ା ବିଦ୍ୟାଳୟର ଶିକ୍ଷକମାନେ ହ୍ବାଟ୍ସଆପ୍‌ରେ ନୋଟ୍ ଦେବା ଓ ଅନ୍‌ଲାଇନ୍‌ରେ ଟିଏଲ୍‌ଏମ୍ (ଟିଚିଂ ଲର୍ଣ୍ଣିଂ ମେଥଡ୍) ପଦ୍ଧତିରେ ପାଠ ପଢ଼ାଉଛନ୍ତି। ଯାହା ଦ୍ବାରା ପିଲାମାନେ ପାଠ ପଢ଼ିବାରେ କିମ୍ବା ବୁଝିବାରେ କୌଣସି ସମସ୍ୟା ହେଉନଥିବା ଏକ ଘରୋଇ ସ୍କୁଲ୍‌ର ଶିକ୍ଷୟିତ୍ରୀ ସ୍ନିଗ୍ଧା ସ୍ବୟଂସିଦ୍ଧା କହିଛନ୍ତି। ତାଙ୍କ କହିବାନୁଯାୟୀ, ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ସମୟରେ ଆମେ ପିଲାଙ୍କୁ ଲେଖା ଅପେକ୍ଷା ଅଧିକ ଚିତ୍ରର ଉଦାହରଣ ଦେଇ ବୁଝାଇବାକୁ ଚେଷ୍ଟା କରୁଛୁ। ଯେମିତି ପିଲାମାନେ ପାଠପଢ଼ା ଶେଷ ହେବା ପର୍ଯ୍ୟନ୍ତ ବିଷୟ ସହିତ ଜଡ଼ିତ ହୋଇରହିବେ ଏବଂ ଭଲ ଭାବେ ବୁଝିପାରିବେ। ଏହାଛଡ଼ା ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ବାଦ୍ ପିଲାଙ୍କୁ ଘରେ ଦିଆଯାଉଥିବା ହୋମ୍‌ଵାର୍କ ପିଲା କରୁଛି କି ନାହିଁ ତା’କୁ ଦେଖିବା ପାଇଁ ଅଭିଭାବକଙ୍କ ସହାୟତା ନିଆଯାଉଥିବା ସେ କହିଛନ୍ତି।

ସେହିଭଳି ସରକାରୀ ସ୍କୁଲ୍‌ରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସୌମ୍ୟରଞ୍ଜନ ଦାସଙ୍କ କହିବା ମୁତାବକ, କରୋନା ପାଇଁ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାରୁ ନିଜ ବାପାଙ୍କ ସହାୟତାରେ ଘରେ ପାଠ ପଢ଼ୁଛନ୍ତି। ଏହାଛଡ଼ା ବଡ଼ ଭାଇ ସହାୟତାରେ ମୋବାଇଲ୍‌ରୁ ତଥ୍ୟ ଖୋଜି ପାଠ ପଢ଼ୁଛନ୍ତି ଓ ପୁରୁଣା ପାଠକୁ ପୁନଃନିରୀକ୍ଷଣ କରୁଥିବା କହୁଛନ୍ତି। ପାଠ୍ୟକ୍ରମରେ ବିଶେଷ କିଛି ପରିବର୍ତ୍ତନ ହୋଇ ନଥିବାରୁ ପାଖ ଘରୁ ବହି ମାଗି ପଢ଼ାପଢ଼ି କରୁଛନ୍ତି। କିନ୍ତୁ ସ୍କୁଲ୍‌ରେ ଯେଭଳି ପାଠ ପଢ଼ିବା ବେଳେ ବୁଝିପାରୁ ନ ଥିବା ପାଠ ସିଧାସଳଖ ଶିକ୍ଷକଙ୍କୁ ପଚାରି ଦ୍ବନ୍ଦ୍ବଗୁଡ଼ିକ ଦୂର କରୁଥିଲୁ। ବର୍ତ୍ତମାନ ତାହା ପୂରଣ ହୋଇପାରୁ ନ ଥିବା କହିଛନ୍ତି ସୌମ୍ୟ। ସେହିଭଳି ଅଭିଭାବକ ଜାନକୀ ନାୟକଙ୍କ କହିବା ମୁତାବକ, ତାଙ୍କ ପିଲା ଏବେ ଛୋଟ ହୋଇଥିବାରୁ ପାଠ ପଢ଼ିବାର ବିଶେଷ କିଛି ଚାପ ରହୁ ନାହିଁ। ଇଂରାଜୀ ଶବ୍ଦ ଓ ସଂଖ୍ୟା ପାଇଁ ଟିଭିରେ କାର୍ଟୁନ ଚ୍ୟାନେଲରୁ ଛୋଟ ଛୁଆଙ୍କର ପାଠ୍ୟ କାର୍ଯ୍ୟକ୍ରମ ଦେଖାଉଛି ଏବଂ ତା’ ସହିତ ୟୁଟ୍ୟବ୍‌ରୁ ଅନ୍‌ଲାଇନ୍‌ରେ ମଧ୍ୟ କବିତା, ଗପ ଓ ଅନ୍ୟାନ୍ୟ ଶିକ୍ଷଣୀୟ କାର୍ଯ୍ୟକ୍ରମ ଦେଖାଉଥିବା ସେ କହିଛନ୍ତି। ତେବେ ଆମ ସାମାଜିକ ଜୀବନରେ ବିନା ନିମନ୍ତ୍ରଣରେ ଧସେଇ ପଶିଥିବା କରୋନା ସମସ୍ତଙ୍କ ଜୀବିକାକୁ ଦୁର୍ବିଷହ କରିଛି। ପାଠ ପଢ଼ିବାରେ ବିଦ୍ୟାର୍ଥୀଙ୍କ ପାଇଁ ପ୍ରାରମ୍ଭରୁ ସମସ୍ୟା ସୃଷ୍ଟି ହୋଇଥିଲେ ହେଁ ଏହା ଦୀର୍ଘ ଦିନର ମୁକାବିଲା ହୋଇଥିବାରୁ ଶିକ୍ଷକ, ଛାତ୍ର ଓ ଅଭିଭାବକମାନେ ନିଜ ନିଜ ପିଲାଙ୍କ ପାଇଁ ଏପରି ବିକଳ୍ପ ପନ୍ଥା ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର