ଭୁବନେଶର: ସାଧାରଣ ମଣିଷ କେବେ ଯୁଦ୍ଧ ଚାହେନାହିଁ। ସେ ଚାହେ ଶାନ୍ତି। କିନ୍ତୁ ଈଶ୍ୱରମାନେ କାଳେ କାଳେ ମଣିଷ ଉପରେ ଯୁଦ୍ଧ ଥୋପି ଦିଅନ୍ତି। ଈଶ୍ବରମାନଙ୍କର ସେ ଯୁଦ୍ଧରେ ବଳି ପଡ଼ିଥାନ୍ତି କୁନ୍ତୀ, ଗାନ୍ଧାରୀ, ଦ୍ରୌପଦୀ ଓ ସୁଭଦ୍ରାଙ୍କ ଭଳି ଅନେକ ନାରୀ। ହରେଇଥାନ୍ତି ନିଜ ମଣିଷଙ୍କୁ। ନାରୀର ରୋଦନ କିମ୍ବା ସାଧାରଣ ମଣିଷର ଆର୍ତ୍ତ ଚିତ୍କାର ବିଚଳିତ କରିପାରେ କି ତଥାକଥିତ ଈଶ୍ୱରମାନଙ୍କୁ? ଈଶ୍ୱର ହେବାର ଦାୟରେ ପ୍ରେମ, ପ୍ରଜନନ, ଯୁଦ୍ଧ, ଆତ୍ମଦାନ ଓ ମୋକ୍ଷର କାମନା ବି ବ୍ୟର୍ଥ ପାଲଟି ଯାଏ। କେହି ଜଣେ ବି ସୁଖୀ କି ସନ୍ତୁଷ୍ଟ ହୋଇପାରନ୍ତି ନାହିଁ। ଯୁଦ୍ଧ ଈଶ୍ୱରଙ୍କ ସମଗ୍ର ମାନବଜାତି ପ୍ରତି ଏକ ପ୍ରବଂଚନା ମାତ୍ର। ବିଚରା ମଣିଷଟି ବି କ’ଣ କରିବ! ସେ କେବଳ ଅଭିଶାପ ହିଁ ଦେଇପାରିବ ଈଶ୍ୱରଙ୍କୁ। ଏଭଳି ଏକ ଚମତ୍କାର ବିଷୟବସ୍ତୁକୁ ନେଇ ନାଟ୍ୟସଂସ୍ଥା ‘ଉତ୍ତରପୁରୁଷ’ ଦ୍ବାରା ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ ହୋଇଛି ନାଟକ ‘ଅଭିଶପ୍ତ ଈଶ୍ୱର, ମହାଭାରତର ମହାଗାଥା’।

Advertisment

ବି‌‌ଶେଷ କଥା ହେଉଛି, ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ ମୂର୍ତ୍ତିଦେବୀ ପୁରସ୍କାରପ୍ରାପ୍ତ କବିତା ସଂକଳନ ‘ବଂଶ’ର କିଛି କବିତା ଉପରେ ଏ ନାଟକ ଆଧିାରିତ। ଏହାକୁ ନାଟ୍ୟରୂପ ଓ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଦେବଦତ୍ତ ପତି। ନାଟକର ଗୀତଗୁଡ଼ିକୁ ଜ୍ଞାନୀ ଦେବାଶିଷ ମିଶ୍ର ଓ ନିଜେ ହର ପ୍ରସାଦ ଦାସ ରଚନା କରିଛନ୍ତି। ଅଭିନୟରେ ପ୍ରସନ୍ନ ମିଶ୍ର, ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଦେବଦତ୍ତ, ଚକ୍ରଧର, ନିଶିକାନ୍ତ, ରୂପେଶ, ରାକେଶ, ଚନ୍ଦନ, ଶତାବ୍ଦୀ, ଧନଞ୍ଜୟ, କ୍ରିଷ୍ଣା, ଦେବାଶିଷ, ବିଶ୍ୱଜିତ, ସ୍ନେହାଶିଷ, ରୂପଶ୍ରୀ, ସଂଗୀତା, ରଶ୍ମି, ସୁରେଖା, ଦେବସ୍ମିତା, ସିନା ପ୍ରମୁଖ ଅଛନ୍ତି। ନାଟକର ଉଦ୍‌ଘାଟନରେ କଥାକାର ଗୌରହରି ଦାସ, ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଓ ସୁଧୀର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପବିତ୍ର ମୋହନ କର ସଭା ପରିଚାଳନା କରିଥିଲେ।