ରାୟ ରାମାନନ୍ଦଙ୍କ ଅନନ୍ୟ ସୃଷ୍ଟିର ପୁନରୁଦ୍ଧାର ସଭିଙ୍କ କର୍ତ୍ତବ୍ୟ ହେଉ

ସାହିତ୍ୟ ଅକାଦେମିର ଦିନିକିଆ ଆଲୋଚନାଚକ୍ର

ଭୁବନେଶ୍ୱର: ଜଣେ ଅଭିଜ୍ଞ ପ୍ରଶାସକ ବ୍ୟତୀତ ଉଚ୍ଚକୋଟୀର କବି, ନାଟ୍ୟକାର, କଳାତତ୍ତ୍ୱବିତ୍‌ ଥିଲେ ରାୟ ରାମାନନ୍ଦ ପଟ୍ଟନାୟକ। ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ନିଜର ଦକ୍ଷତା ଯୋଗୁଁ ଲୋକପ୍ରିୟ ହୋଇଥିବା ଏଭଳି ଜଣେ ଅନନ୍ୟ ପ୍ରତିଭାଙ୍କ କୀର୍ତ୍ତିର ପ୍ରଚାର ପ୍ରସାର ଅଭାବରୁ ତାହା ଏବେ ବିସ୍ମୃତପ୍ରାୟ। ମହାରାଜା ପ୍ରତାପ ରୁଦ୍ରଦେବଙ୍କ ଦ୍ୱାରା ରାୟ ଉପାଧି ପାଇ ସେ ଦକ୍ଷିଣରେ ରାଜ୍ୟପାଳ ଭାବେ ୧୫୦୩ରୁ ୧୫୧୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ ଭାର ଚଳାଇଥିଲେ। ସେ ଥିଲେ ଆଧ୍ୟାତ୍ମିକ ଜ୍ଞାନପିପାସୁ, ପଣ୍ଡିତ ଓ ଭକ୍ତ ଶିରୋମଣି। ‘ଶ୍ରୀଜଗନ୍ନାଥବଲ୍ଲଭ ନାଟକମ୍‍’‌ ତାଙ୍କର ଏକ ଅନନ୍ୟ କୃତି। ତାଙ୍କର ସମସ୍ତ ରଚନା ଉପଲବ୍ଧ ହୋଇ ଆଲୋଚନା ହେବା ଆବଶ୍ୟକ। କେନ୍ଦ୍ର ସାହିତ୍ୟ ଅକାଦେମି ଦ୍ୱାରା ଆୟୋଜିତ ଦିନିକିଆ ସମ୍ପାନକୁ ଉଦ୍‍ଘାଟନ କରି ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି ଏହା କହିଛନ୍ତି।

ମୂଳପ୍ରବନ୍ଧ ପାଠ କରି ଗବେଷକ ଭାସ୍କର ମିଶ୍ର ରାୟ ରାମାନନ୍ଦଙ୍କ ବିଭିନ୍ନ ରଚନାବଳୀ ଉପରେ ଆଲୋକପାତ କରିଥିଲେ। ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ରରୁ ରାୟ ରାମାନନ୍ଦଙ୍କ ନିକଟକୁ ରାଜମହେନ୍ଦ୍ରୀ ଯାତ୍ରା ଓ ଦଶଦିନର ବାର୍ତ୍ତାଳାପ ସମ୍ବନ୍ଧରେ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ରାୟ ରାମାନନ୍ଦ ସ୍ମୃତି ପରିଷଦର ଉପଦେଷ୍ଟା ପୀତବାସ ରାଉତରାୟ କହିଥିଲେ ଯେ ରାୟ ରାମାନନ୍ଦଙ୍କ କୀର୍ତ୍ତି ଦୁଷ୍ପ୍ରାପ୍ୟ ହୋଇଥିବାରୁ ତାଙ୍କ ଲିଖିତ ‘ପଦସମୁଦ୍ର’, ‘ଦଣ୍ଡାତ୍ମକଲୀଳା’, ‘ବୈଷ୍ଣବ ପଦାବଳୀ’ ଓ ‘ମର୍ମନିରୂପଣ’ ଆଦି ଠାବ କରାଯାଇ ପ୍ରକାଶ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ।
ପ୍ରାରମ୍ଭରେ ଅକାଦେମିର ସଚିବ କେ. ଶ୍ରୀନିବାସରାଓ ରାୟ ରାମାନନ୍ଦଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ। ଅକାଦେମିର ଆବାହକ ଡ. ବିଜୟାନନ୍ଦ ସିଂହ, ରାୟ ରାମାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଜନ୍ମପୀଠର ଉନ୍ନତି ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ। ସ୍ମୃତି ପରିଷଦର ସଭାପତି ଦିଲ୍ଲୀପ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଅକାଦେମି ଦ୍ୱାରା ପ୍ରକାଶିତ ଓ ମନିକା ଦାସଙ୍କ ଦ୍ୱାରା ସମ୍ପାଦିତ ଇଂରାଜୀ ପୁସ୍ତକ ‘ସିଲେକ୍ଟେଡ ୱାର୍କସ୍‍ ଅଫ୍‍ ଫକୀର ମୋହନ ସେନାପତି’, ରାୟ ରାମାନନ୍ଦ ସ୍ମୃତି ପରିଷଦ ଦ୍ୱାରା ପ୍ରକାଶିତ ଦିଲ୍ଲୀପ ପଟ୍ଟନାୟକଙ୍କ ସମ୍ପାଦିତ ‘ବୈଷ୍ଣବ ଶିରୋମଣି ରାୟ ରାମାନନ୍ଦ’ ଓ ବିଷ୍ଣୁପ୍ରିୟା ଓତାଙ୍କ ଦ୍ୱାରା ରାୟ ରାମାନନ୍ଦଙ୍କ ରଚିତ ‘ଶ୍ରୀଜଗନ୍ନାଥବଲ୍ଲଭ ନାଟକମ୍‍’ର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପ୍ରଥମ ଅଧିବେଶନରେ ପତିତ ପାବନ ମହାପାତ୍ର ଓ ଡ. ବିଷ୍ଣୁପ୍ରିୟା ଓତା ପ୍ରବନ୍ଧ ପାଠ କରିଥିଲେ ଓ କୁଳାଧିପତି ଡ. ପ୍ରଫୁଲ୍ଲ କୁମାର ମିଶ୍ର ସଭାପତିତ୍ୱ କରିଥିଲେ। ସ୍ମୃତି ପରିଷଦର ଉପସଭାପତି ଶକ୍ତି ଶଙ୍କର ମିଶ୍ର ଧନ୍ୟବାଦ ଦେଇଥିଲେ।

ଦ୍ୱିତୀୟ ଓ ଶେଷ ଅଧିବେଶନରେ ତିରୁପତି ଓ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ହରେକୃଷ୍ଣ ଶତପଥୀଙ୍କ ସଭାପତିତ୍ୱରେ କୀର୍ତ୍ତନ ନାରାୟଣ ପାଢ଼ୀ, ପ୍ରଦୀପ ପଣ୍ଡା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରବନ୍ଧ ପାଠ କରିଥିଲେ। ସ୍ମୃତି ପରିଷଦର ସମ୍ପାଦକ ସମ୍ବିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ସଭା ପରିଚାଳନା କରିଥିଲେ ରାୟ ରାମାନନ୍ଦଙ୍କ ପରିବାରର ନବମ ପିଢ଼ିର ବଂଶଧର ଉଷାରାଣୀ ଦାସ ଓ ପୁଷ୍ପିତା ଦାସ।

ସମ୍ବନ୍ଧିତ ଖବର