‘ଋତୁସ୍ରାବ’ ଏକ ଉତ୍ସବ ଭାବେ ପାଳନ ହେଉ

କଲ୍ଲୋଳ ପୁରସ୍କାର ବିତରଣ ମହୋତ୍ସବ

ଭୁବନେଶ୍ୱର: ‘ଋତୁସ୍ରାବ’କୁ ଅଭିଶାପ ନୁହେଁ, ବରଂ ଏକ ଉତ୍ସବ ଭାବେ ପାଳନ କରାଯାଉ। ‘ଋତୁସ୍ରାବ’ ପ୍ରକୃତିର ନିୟମ। ନାରୀଟିଏର ନୂଆ ଜୀବନ ସୃଷ୍ଟି କରିବାର ଏହା ଏକ ପୂର୍ବ ପ୍ରକ୍ରିୟା ମାତ୍ର। ଏହା ଭୁଲ୍‌ କି ପାପ ନୁହେଁ। ସମୟ ଆସିଛି, ଏହାକୁ ନେଇ ସମାଜରେ ଥିବା ସବୁ ଅନ୍ଧବିଶ୍ବାସକୁ ଦୂରେଇବାକୁ ପଡ଼ିବ। ସ୍ୱେଚ୍ଛାସେବୀ ସଂଗଠନ ‘ଆଇନା’ ଓ ୟୁନିସେଫ୍ ଓଡ଼ିଶା ସହଭାଗିତାରେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ‘କଲ୍ଲୋଳ’‌‌ରେ ଯୋଗଦେଇଥିବା ଅତିଥିମାନେ ଏଭଳି ଆହ୍ବାନ ଦେଇଛନ୍ତି। ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଉପରେ ସଚେତନତାଧର୍ମୀ ୧୦ଟି ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଚିତ୍ର ପ୍ରଦର୍ଶନ, ରେଡିଓ ଜିଙ୍ଗଲ୍‌, ଓଡ଼ିଶୀ ନୃତ୍ୟ ପ୍ରମୁଖ ଆୟୋଜିତ ହୋଇଥିଲା।

‘ଉତ୍ସବ’ ପ୍ରଥମ, ‘ଷ୍ଟେନ୍‌’ ଦ୍ୱିତୀୟ ଏବଂ ‘ହ୍ୱାଏ ଦ ସେମ’ ତୃତୀୟ

‘ଆଇନା’ର ସମ୍ପାଦିକା ସ୍ନେହ ମିଶ୍ରଙ୍କ ତତ୍ତ୍ବାବଧାନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ କହିଲେ, ଋତୁସ୍ରାବକୁ ନେଇ ଏବେ ବି ସମାଜରେ ଅନେକ ଅନ୍ଧବିଶ୍ୱାସ ରହିଛି। ଏ ମାନସିକତାରେ ପରିବର୍ତ୍ତନ ଆସିବା ଉଚିତ। ପରିବାରର ବୟୋଜ୍ୟେଷ୍ଠମାନେ ଏ ସଂପର୍କରେ ପିଲାଙ୍କ ସହ ଖୋଲାଖୋଲି କଥା ହେବା ଆବଶ୍ୟକ। ଭୁବନେଶ୍ବରରେ ଥିବା ୪୦୦ରୁ ଅଧିକ ବସ୍ତିରେ ଏନେଇ ସଚେତନ କରାଯିବ ବୋଲି ସେ କହିଥିଲେ। ଅଭିନତ୍ରୀ ଅନୁ ଚୌଧୁରୀ କହିଲେ, ଋତୁସ୍ରାବ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ। ଓଏସ୍‌ଏମ୍‌ସିଏଲ୍‌ର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ କହିଲେ, ଓଡ଼ିଶା ସରକାରଙ୍କ ‘ଖୁସି’ କାର୍ଯ୍ୟକ୍ରମ ଦ୍ବାରା ମାଗଣା ସାନିଟାରି ନାପକିନ୍‌ ବିତରଣ କାର୍ଯ୍ୟକ୍ରମରେ ପ୍ରାୟ ୧୭ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବାର୍ଷିକ ପ୍ରାୟ ୧୮କୋଟିରୁ ଅଧିକ ନାପକିନ ବଣ୍ଟନ କରାଯାଉଛି। ୟୁନିସେଫ୍, ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍ କହିଲେ, ସଚେତନତା ଅଭାବରୁ ଅନେକ ମହିଳା ଓ କିଶୋରୀ ବିଭିନ୍ନ ଅସୁବିଧା ଏବଂ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଛନ୍ତି। ଏଥିପାଇଁ ଚଳଚ୍ଚିତ୍ର ଜରିଆରେ ବ୍ୟାପକ ସଚେତନତା କରାଯାଉ। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ୱାସ୍ ବିଶେଷଜ୍ଞ ସିପ୍ରା ସକ୍ସେନାଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ‘ଆଇନା’ ପ୍ରସ୍ତୁତ ଏକ ମ୍ୟୁଜିକ୍‌ ଭିଡିଓ ‘କାଚ କଣ୍ଢେଇ’ ଉନ୍ମୋଚିତ ହୋଇଥିଲା। ସ୍ନେହ ମିଶ୍ର ଏହାର ପରିକଳ୍ପନା କରିଥିବା ବେଳେ ସାହିତ୍ୟିକ ଦେବଦାସ ଛୋଟରାୟ ସଂଳାପ ଲେଖିଛନ୍ତି। ସେହିପରି ରେଡିଓ ଚକଲେଟ୍‌ ସହଯୋଗରେ ଅଶୋକ ପାଣିଗ୍ରାହୀ ଓ ତନୟା ସିଂଙ୍କ ପ୍ରସ୍ତୁତ ରେଡିଓ ଜିଙ୍ଗଲ୍‌ ଉନ୍ମୋଚିତ ହେବା ସହ ‘ଋତୁସ୍ରାବ’ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା। ଶେଷରେ ଚଳିତ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ‘ଆଇନା’ ଆହ୍ବାନରେ ଏବର୍ଷ ୧୫୦ ଜଣ ପ୍ରତିଭା ମୋଟ୍‌ ୩୫ଟି ଚଳଚ୍ଚିତ୍ର ପ୍ରଦର୍ଶନ କରିଥିଲେ। ସର୍ବଭାରତୀୟସ୍ତରରେ ‘ଋତୁସ୍ରାବ’ ସମ୍ପର୍କିତ ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥିଲା।

ତାପସ ରାଉତଙ୍କ ଚଳଚ୍ଚିତ୍ର ‘ଉତ୍ସବ’ ପ୍ରଥମ, ଆୟୁଷ୍ମାନ ବଡ଼ପଣ୍ଡାଙ୍କ ‘‌‌ଷ୍ଟେନ୍‌’ ଦ୍ବିତୀୟ ଓ ସପ୍ତର୍ଷି ମଣ୍ଡଳଙ୍କ ‘ହ୍ୱାଏ ଦ ସେମ୍‌’ ତୃତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା। ସେହିପରି ବିଚାରକମାନଙ୍କ ମନୋନୀତ ଅନନ୍ୟା କାନୁନଗୋଙ୍କ ‘ମେକ ଇଟ୍ ତ୍ରି’, ଚିଲ୍‌ଡ୍ରେନ ଜୁରିରେ ତୃପ୍ତିମୟୀ ଦେହୁରୀଙ୍କ ‘ରଜସ୍ୱାଳା’କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ୫ ଚଳଚ୍ଚିତ୍ର ଅନ୍ୱିଷ କୁମାରଙ୍କ ‘ବିନ୍ଦୁ’, ବୀରେନ୍ଦ୍ର ବଳିୟାରସିଂହଙ୍କ ‘ଫ୍ଲୋ’, ବିଧାଂଶୁ ତ୍ରିପାଠୀଙ୍କ ‘କାହିଁକି’, ଲୋକନାଥ ସାହୁଙ୍କ ‘ପ୍ୟାଡ୍‌ ନଥିଙ୍ଗ ସାଏ’, ସଂଗ୍ରାମ କେଶରୀଙ୍କ ‘ଋତୁସ୍ରାବ ପର୍ବ’ଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ଦିଆଯାଇଥିଲା। ପ୍ରକଳ୍ପ ପ୍ରବନ୍ଧକ ସ୍ମୃତି ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର