ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତାର ସର୍ବଶ୍ରେଷ୍ଠ ପ୍ରମାଣ। ଯେଉଁ ଓଡ଼ିଆ ଜାତିର ଠାକୁରଙ୍କୁ ନେଇ ବିଶ୍ବ ଗର୍ବ ଅନୁଭବ କରେ, ତାଙ୍କ ବିଷୟରେ ବହୁ ଅନାଲୋଚିତ ତଥ୍ୟ ରହିଛି। ସେସବୁକୁ ଲୋକଲୋଚନକୁ ଆଣିବା ପାଇଁ ପୁସ୍ତକ ରଚନା ହେବା ଆବଶ୍ୟକ। ଏଥିପାଇଁ ଗବେଷକ ତଥା ପ୍ରକାଶକମାନଙ୍କୁ ପ୍ରୋତ୍ସାହନ ମିଳିବା ଉଚିତ। ସରକାରୀ ସମର୍ଥନ ମଧ୍ୟ ରହିବା ଉଚିତ। ଆଜି ଅବସରପ୍ରାପ୍ତ କେନ୍ଦ୍ର ଲେଖା ପରୀକ୍ଷା ଓ ଲେଖା ବିଭାଗର ବରିଷ୍ଠ ଅଧିକାରୀ ତଥା ବର୍ତ୍ତମାନ ଶ୍ରୀମନ୍ଦିର କାର୍ଯ୍ୟାଳୟର ସ୍ବତନ୍ତ୍ର ପଦାଧିକାରୀ ଭାବେ ଦାୟିତ୍ବ ତୁଲାଉଥିବା ବ୍ରଜକିଶୋର ଦାଶଙ୍କ ଲିଖିତ ଗବେଷଣାତ୍ମକ ସଚିତ୍ର ପୁସ୍ତକ ‘ମହାପ୍ରଭୁଙ୍କ ବସ୍ତ୍ର ବୈଭବ’ ଉନ୍ମୋଚନ ଅବସରରେ ଅତିଥିମାନେ ଏଭଳି କହିଛନ୍ତି।
‘ସମ୍ବାଦଭବନ’ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ପ୍ରକୃତ ଭକ୍ତ ମନରେ ଅନୁସନ୍ଧିତ୍ସା ରହିଥାଏ। ଆମେ ଯାହାଙ୍କୁ ବିଶ୍ବନିୟନ୍ତା ବୋଲି ଭକ୍ତି ଓ ପୂଜା କରୁ, ତାଙ୍କର କେଉଁଥିରେ ଆଗ୍ରହ ଓ କେଉଁଥିରେ ଅନାଗ୍ରହ, ସେ ସମ୍ପର୍କରେ ଆମର ଜାଣିବାର ଉତ୍ସୁକତା ରହିଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ କେଉଁ ବସ୍ତ୍ର ଓ ଅଳଙ୍କାର ପରିଧାନ କରନ୍ତି, ସେ ବିଷୟରେ ଜାଣିବାକୁ ସମସ୍ତଙ୍କର ପ୍ରବଳ ଆଗ୍ରହ ରହିଛି। ଏହି ପୁସ୍ତକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ବହୁ ଅନାଲୋଚିତ ପ୍ରସଙ୍ଗକୁ ଶ୍ରଦ୍ଧାଳୁମାନଙ୍କ ଜ୍ଞାତସାରକୁ ଆଣିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପୀତବାସ ରାଉତରାୟ କହିଲେ ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ପଟାନ୍ତର ନଥିବା ଏକ ଅନୁଷ୍ଠାନ। ମହାପ୍ରଭୁଙ୍କ ଉପରେ ଗବେଷଣା ଯେତେ ବ୍ୟାପକ ହେବ, ଆମକୁ ସେତେ ବେଶିବେଶି ଅଜଣା କଥା ଜାଣିବାକୁ ମିଳିବ। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଲେ ଯେ ଶ୍ରୀଜଗନ୍ନାଥଙ୍କର ବସ୍ତ୍ରକୁ ନେଇ ରଚିତ ଏହି ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରଥମ ଥର ଲାଗି ପ୍ରକାଶ ପାଇଛି। ଏହା ଅତ୍ୟନ୍ତ ତଥ୍ୟପୂର୍ଣ୍ଣ ଓ ଉପାଦେୟ। ମହାପ୍ରଭୁଙ୍କ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଏଭଳି ପୁସ୍ତକ ରଚନା ହେଲେ, ସେସବୁ ବେଶ୍ ଜନାଦୃତ ହୋଇପାରିବ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଐତିହାସିକ ଭାସ୍କର ମିଶ୍ର ପୁସ୍ତକର ସମୀକ୍ଷା କରିବା ସହିତ ପୁସ୍ତକ ପଛରେ ଥିବା ଗବେଷଣା ସମ୍ପର୍କରେ ମତ ରଖିଥିଲେ। ଲେଖକ ଶ୍ରୀ ଦାଶ ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମ୍ବାଦ-କନକ ନ୍ୟୁଜ୍ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ଜ୍ୟୋତ୍ସ୍ନାରାଣୀ ମହାପାତ୍ର, ରାଧାନାଥ ପ୍ରତିହାରୀ, ବସନ୍ତ ଛୋଟରାୟ, ସୂର୍ଯ୍ୟ ନାରାୟଣ ଦାସ, ଯାମିନୀ ବରାଳ, ଶକ୍ତି ପ୍ରସାଦ ଦାଶ, ବିରଞ୍ଚି ନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।