‘ଭାଷା ବଞ୍ଚାଇବାକୁ ଗୃହିଣୀମାନେ ସଂକଳ୍ପ ନିଅନ୍ତୁ’: ଶୈଳବାଳା ସାହିତ୍ୟ ସଂସଦ ପକ୍ଷରୁ ପ୍ରତିଭା ସମ୍ମାନ

ଭୁବନେଶ୍ବର: ଓଡ଼ିଆ ଭାଷା ସଂକଟରେ ଥିବା ବେଳେ ସାହିତ୍ୟ ସଂକୁଚିତ ହୋଇଚାଲିଛି। ସାହିତ୍ୟର ପାଠକ କମିଯାଉଛନ୍ତି। ପୁସ୍ତକ ଆଗ ପରି ବିକ୍ରି ହେଉନାହିଁ କି ଛପା ଯାଉନାହିଁ। ଆମ ପିଲାମାନେ ଓଡ଼ିଆ ଭାଷା ପ୍ରତି ବିମୁଖ ହେଲେଣି ଓ ଆଧୁନିକ ଜୀବନଶୈଳୀ ଆମକୁ ଏପରି କଥାକୁ ବରଦାସ୍ତ କରିବାକୁ ବାଧ୍ୟ କରୁଛି। ଏଥିପାଇଁ ଦାୟୀ କିଏ? ଆଉ ଆମ ଭାଷାର ଶତ୍ରୁ କିଏ ତାକୁ ଆମେ ଠିକ୍ ଭାବେ ଚିହ୍ନି ପାରିନାହାନ୍ତି ବୋଲି ଶୈଳବାଳା ସାହିତ୍ୟ ସଂସଦ ପକ୍ଷରୁ ୟୁନିଟ୍-୩ ସ୍ଥିତ ବୁଦ୍ଧ ମନ୍ଦିରଠାରେ ପଞ୍ଚମ ସାରସ୍ବତ ସମାରୋହ ଓ ପ୍ରତିଭା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମକୁ କିଏ ଆମ ଭାଷାଠାରୁ ଦୂରେଇ ଦେଉଛି, କେଉଁଥି ପାଇଁ ଆମେ ଭାଷାକୁ ଯେଉଁ ଢଙ୍ଗରେ ଦେଖିବା ପାଇଁ ଚାହୁଁଛେ ଦେଖି ପାରୁନାହେଁ ସେ ସଂପର୍କରେ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି। କିଛି ଲୋକ ଓଡ଼ିଆ ଭାଷାର ଶତ୍ରୁ ମୋବାଇଲ ବୋଲି କହୁଥିବା ବେଳେ ଏପରି ଶତ୍ରୁ ଠାରୁ ଯୁଦ୍ଧରେ ଜାଣିଶୁଣି ହାରିବା ଉଚିତ୍ ନୁହେଁ। ସେହି ମୋବାଇଲ ଫୋନ୍‌କୁ ବ୍ୟବହାର କରି ଆମ ଗୃହିଣୀ ମାନେ ଭାଷାକୁ ବଞ୍ଚାଇବା ପାଇଁ ସଂକଳ୍ପ ନେବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେ କହିଥିଲେ, ଶୈଳବାଳା ସାଧାରଣ ମହିଳା ଥିଲେ ମଧ୍ୟ ତାଙ୍କ ରକ୍ତ ସହ ସାହିତ୍ୟ ମିଶି ରହିଥିଲା। ସାହିତ୍ୟ ପ୍ରତି ତାଙ୍କର ଏପରି ଅନୁରାଗ ଥିଲା ଯେ, ତାଙ୍କ ସ୍ମୃତିରେ ପରିବାରବର୍ଗ ସଂସଦ ଗଢ଼ିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ମୁଖ୍ୟ ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଓଡ଼ିଆ ଭାଷା ସାହିତ୍ୟରେ ନାରୀର ଭୂମିକାକୁ ବର୍ଣ୍ଣନା କରି କହିଥିଲେ, ମହିଳା ମାନେ ଜନ୍ମରୁ ସଂପାଦନାର କଳାକୁ ନେଇ ଜନ୍ମ ନେଇଛନ୍ତି। ମାତୃଭାଷାକୁ ଛାଡ଼ି ଆମେ ଯଦି ଅନ୍ୟ ଭାଷା ପ୍ରତି ମୋହ ରଖିବା ତେବେ ଆମେ ଆମ ପରମ୍ପରା ଆଉ ଇତିହାସ ବିଷୟରେ ଜାଣିପାରିବା ନାହିଁ। ସମ୍ମାନିତ ଅତିଥିଭାବେ କର୍ଣ୍ଣେଲ୍ ଶିବପ୍ରସାଦ ରଥ ଯୋଗଦେଇ ସେନାବାହିନୀରେ ନାରୀ ମାନଙ୍କର ଭୂମିକା ଓ ସଫଳତା ବର୍ଣ୍ଣନା କରି କହିଥିଲେ ବହୁତ ଝିଅ ସେନା ବାହିନୀ ବିଷୟରେ ଜାଣିନାହାନ୍ତି। ଆଉ କିଛି ଜଣଙ୍କ ଘରେ ପ୍ରୋତ୍ସାହନ ମିଳୁନଥିବାରୁ ସେମାନେ ସେନା ବାହିନୀରେ ଯୋଗ ଦେଇପାରୁନାହାନ୍ତି। କିନ୍ତୁ ଆମେ ସଂକଳ୍ପ ନେଇ ଆମ ଝିଅଙ୍କୁ ସେନା ବାହିନୀରେ ଯୋଗ ଦେବା ପାଇଁ ପ୍ରୋତ୍ସାହିତ କରି ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିବା।

କାର୍ଯ୍ୟକ୍ରମରେ ଡ. ସଂଘମିତ୍ରା ମିଶ୍ରଙ୍କୁ ଶୈଳଜା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ପ୍ରଣବ ଛୋଟରାୟ, ମାଧୁରୀ ପଟ୍ଟନାୟକ, ଭଜକୃଷ୍ଣ ମହାନ୍ତି, ଦେବେନ୍ଦ୍ରନାଥ ଦାଶ, ବିରଜା ଦେବୀ, ଅଲେଖ ଚରଣ ରାଉତ, ମହମ୍ମଦ ଯାବର୍, ପ୍ରତିମାରାଣୀ ମିଶ୍ର, ସତ୍ୟବାଦୀ ବଳିଆରସିଂହ, ପୂର୍ଣ୍ଣାନନ୍ଦ ମହାନ୍ତିଙ୍କୁ ଶୈଳବାଳା ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଥିଲା। କବି ସମ୍ମିଳନୀରେ ଭାଗ ନେଇ ପୂର୍ଣ୍ଣାନନ୍ଦ ମହାନ୍ତି, ସ୍ମିତା ରଥ, ରଜନୀକାନ୍ତ ପଟ୍ଟନାୟକ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଶୈଳବାଳା ସଂସଦର ମୁଖପତ୍ର ‘ଶୈଳଜା’ ଲୋକାର୍ପିତ ହେବା ସହ ପ୍ରମୋଦ ମହାନ୍ତିଙ୍କ ସାଇକୃପା ଆଧ୍ୟାତ୍ମିକ ପତ୍ରିକା, ଇଂ ଗୌରଚନ୍ଦ୍ର ମହାପାତ୍ରଙ୍କ କବିତା ସଂକଳନ ‘ମନର ଫୁଲ ବଗିଚା’, ସଦାନନ୍ଦ ଗୁରୁଙ୍କ ‘ଜୀବନ ଗୀତିକା’, କବି ସତ୍ୟବାଦୀ ବଳିଆରସିଂହଙ୍କ ‘ଅର୍ପଣ ବରୁଣେଇ’, ମନୋଜ କୁମାର ଜେନାଙ୍କ ‘ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସଂସଦର ସଭାପତି ଇଂ ଗୌରଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିବା ବେଳେ ସଂପାଦକ ଦେବାଶିଷ ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ସଂସଦର ଉପସଭାପତି ଦେବାଶିଷ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ସହ ସଂପାଦକ ପୂର୍ଣ୍ଣାନନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର