ସାହିତ୍ୟିକମାନେ ରାଜନୀତିକୁ ନିୟନ୍ତ୍ରଣ କରନ୍ତୁ: ସୌମ୍ୟ

ସପ୍ତଦଶ ଶରତ ସ୍ମୃତି ସଂଧ୍ୟା

ଭୁବନେଶ୍ବର: ଜଣେ ସାହିତ୍ୟିକ ଭାବେ ଶରତ ମହାନ୍ତିଙ୍କ ପ୍ରବଳ ଆତ୍ମବିଶ୍ବାସ ଥିଲା। କିନ୍ତୁ ଏବେ ସାହିତ୍ୟିକମାନେ ଯେତିକି ଆତ୍ମବିଶ୍ବାସୀ ହେବା କଥା, ହୋଇପାରୁନାହାନ୍ତି। ଯେଉଁ ସାହିତ୍ୟିକମାନେ ରାଜନୀତିରୁ ଊର୍ଦ୍ଧ୍ବରେ ବା ଦୂ‌ରେଇ ରହିବାକୁ ଚାହୁଛନ୍ତି, ସେମାନେ ଶରତ ବାବୁଙ୍କୁ ସ୍ମରଣ କରି ରାଜନୀତିକୁ ପ୍ରଭାବିତ କରିବାକୁ ଆଗେଇ ଆସିବା ଦରକାର। ସାହିତ୍ୟିକମାନେ ଆଗକୁ ଆସି ରାଜନୀତିକୁ ନିୟନ୍ତ୍ରଣ କରନ୍ତୁ। ରାଜନୈତିକ ଲୋକଙ୍କୁ ବିଚାର ଦିଅନ୍ତୁ, ପ୍ରଭାବିତ କରନ୍ତୁ ଏବଂ ଗଣତନ୍ତ୍ରର ଅବକ୍ଷୟ ଉପରେ ରୋକ୍‌ ଲଗାନ୍ତୁ। ‘ସପ୍ତଦଶ ଶରତ ସ୍ମୃତି ସଂଧ୍ୟା’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ବାରମ୍ବାର ଅଯୋଗ୍ୟ ଲୋକଙ୍କୁ ଦେଉଛ; ପୁରସ୍କାର ପାଇଲେ ଲୋକେ ସନ୍ଦେହ କରୁଛନ୍ତି: ଶାନ୍ତନୁ

ଶରତ ବାବୁଙ୍କ ବ୍ୟକ୍ତିତ୍ବର ଅବତାରଣା କରି ସେ କହିଲେ ଯେ ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରିବାରେ ଶରତ ବାବୁଙ୍କ ଭୂମିକା ଅତୁଳନୀୟ। ଗଣିତର ଅଧ୍ୟାପକ ଭାବେ ସେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମୃଦ୍ଧ ଥିଲେ। ପାଶ୍ଚାତ୍ୟ ସଭ୍ୟତା ଓ ଦର୍ଶନକୁ ଓଡ଼ିଆ ଭାଷାରେ ଓଡ଼ିଆଙ୍କୁ ଜଣାଇଥିଲେ। ବିଭିନ୍ନ ସଭ୍ୟତା, ସଂସ୍କୃତି, ଅପସଂସ୍କୃତି ବିଷୟରେ ଲେଖନୀ ଚାଳନା କରିଥିଲେ। ସେ ଦାର୍ଶନିକ, ସାହିତ୍ୟିକ ଓ ସମାଲୋଚକ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପୁରସ୍କାରକୁ ନେଇ ସୃଷ୍ଟି ହେଉଥିବା କନ୍ଦଳ ଓ ଅସହ୍ୟ ମନୋଭାବଠାରୁ ଦୂରରେ ରହିବାକୁ ସେ ସାହିତ୍ୟ ଏକାଡେମି ଓ ସାରଳା ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ।

ପ୍ରଖ୍ୟାତ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି କହିଲେ, ପୁରସ୍କାର ସାହିତ୍ୟିକଙ୍କୁ ଚିହ୍ନିବା ପାଇଁ ଏକ ପ୍ରମାଣପତ୍ର। କିନ୍ତୁ ତାହା ଯୋଗ୍ୟ ଲୋକଙ୍କୁ ମିଳିବା ଦରକାର। ଅଧିକାଂଶ କ୍ଷେତ୍ରରେ ଅଯୋଗ୍ୟଲୋକଙ୍କୁ ବାରମ୍ବାର ପୁରସ୍କାର ମିଳିବା ଦ୍ବାରା ପୁରସ୍କାର ପାଉଥିବା ବ୍ୟକ୍ତିଙ୍କ ପ୍ରତି ଏକ ସନ୍ଦେହ ସୃଷ୍ଟି ହେଉଛି ଏବଂ ସେହି ପୁରସ୍କାର ଗ୍ରହଣ ନକଲେ ଚଳିବ ବୋଲି ମନେ ହେଉଛି। ଶରତ ମହାନ୍ତିଙ୍କ ଉଚ୍ଚାଙ୍ଗ ବ୍ୟକ୍ତିତ୍ବ ଥିଲା।
ମୁଖ୍ୟବକ୍ତା ସାହିତ୍ୟିକ ଜ୍ଞାନୀ ଦେବାଶିଷ ମିଶ୍ର କହିଲେ, ଶରତ ମହାନ୍ତି ବିଜ୍ଞାନ ଓ ସାହିତ୍ୟର ବିଭିନ୍ନ ଦିଗକୁ ସାମ୍ନାକୁ ଆଣିଥିଲେ। ସାଧାରଣ ଭାଷାରେ, ଅତ୍ୟନ୍ତ ସାହସର ସହ ଏକ ବିପ୍ଳବଧର୍ମୀ ଆଭିମୁଖ୍ୟ ନେଇ ସେ ଲେଖୁଥିଲେ।

ଏବେ ଆଙ୍ଗୁଳି ଟିପରେ ପୂରା ବିଶ୍ବକୁ ଦେଖି ହେଉଛି। ସେହି ଦୃଶ୍ୟଟି କଳ୍ପନାକୁ ମାରି ଦେଉଛି। କିନ୍ତୁ ଶରତ ମହାନ୍ତି ଦୃଶ୍ୟର ଅନ୍ତରାଳେ ଥିବା କଥାକୁ କଳ୍ପନାରେ ସାମ୍ନାକୁ ଆଣୁଥିଲେ। ଯେପର୍ଯ୍ୟନ୍ତ ବାହାରର ଦୃଶ୍ୟଟି ସାହିତ୍ୟିକର ଭିତରକୁ ଆସି ପୁଣି ବାହାରକୁ ବାହାରିନାହିଁ, ସେପର୍ଯ୍ୟନ୍ତ ସେ ଦୃଶ୍ୟ ଅନ୍ତରଙ୍ଗହୀନ ମନେ ହୁଏ ବୋଲି ସେ କହୁଥିଲେ। ତେବେ ଦିଅଁ ଓ ଦେବତା ଗଢ଼ିବା ପ୍ରକୃତ ସାହିତ୍ୟିକର ଲକ୍ଷ୍ୟ ନୁହେଁ, ମଣିଷକୁ ମଣିଷ ଭାବେ ରୂପାନ୍ତରିତ କରିବା ସାହିତ୍ୟର ଲକ୍ଷ୍ୟ ବୋଲି ସେ କହିଥିଲେ। ସ୍ମୃତି ସଂସଦର ସଂପାଦକ ତଥା ସାହିତ୍ୟିକ ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଦେଇଥିଲେ। ସଂସଦର ସଦସ୍ୟ ତଥା ଅଭିନେତ୍ରୀ ମଧୁମିତା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର