ପୁରୁଣା ଭୁବନେଶ୍ୱର: ଆମ୍ବେଦକର ଲୋହିଆ ବିଚାର ମଞ୍ଚ ସହାୟତାରେ ନ୍ୟାସନାଲ ଦଳିତ ୱାଚ ଓ ଏନ୍ସିଡିଏଚ୍ଆର୍ (ନ୍ୟାସନାଲ କ୍ୟାମ୍ପେନ୍ ଅନ୍ ଦଳିତ ହ୍ୟୁମାନ୍ ରାଇଟ୍ସ୍) ପକ୍ଷରୁ ସ୍ଥାନୀୟ ପାନ୍ଥନିବାସରେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ନର୍ମସ ରିପୋର୍ଟ ଉନ୍ମୋଚିତ ହୋଇଛି। ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଦୁର୍ବଳ ଶ୍ରେଣୀ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନିଷ୍ପତ୍ତି ନେବା ଆବଶ୍ୟକ। ସରକାର କିପରି ବିପର୍ଯ୍ୟୟ ସହାୟତା ପାଣ୍ଠି ପରିଚାଳନା ଠିକଣା ଭାବେ କରିପାରିବେ ଓ ପୁରୁଣା ପଦ୍ଧତିର ପୁନର୍ବିଚାର କରିବେ, ସେନେଇ ବିଧାନସଭାରେ ଆଲୋଚନା କରିବେ ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ଗଣମାଧ୍ୟମ ଯେକୌଣସି ବିପର୍ଯ୍ୟୟ ସମୟରେ ଦୁର୍ନୀତିକୁ ମୂଳ ଆଧାର କରୁଥିଲା। କିନ୍ତୁ ଏବେ ଗଣମାଧ୍ୟମ ସାମାଜିକ ବିଷମତା ଓ ଭେଦଭାବ ଉପରେ ପର୍ଯ୍ୟବସିତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଭାବେ ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ବାତ୍ୟା ଆମ ରାଜ୍ୟକୁ ଅଧିକ କ୍ଷତିଗ୍ରସ୍ତ କରିଛି। କ୍ଷତିପୂରଣ ପ୍ରଦାନ ବେଳେ ସବୁ ବର୍ଗର ଲୋକ ଯେପରି ସହାୟତା ପାଇବେ, ସେନେଇ ପଦକ୍ଷେପ ନେବା ଉଚିତ। ତେବେ ଆଇନ ପରିଧି ଭିତରେ ରହି ସବୁ କରାଯିବା ଉଚିତ୍। ଆଇନ ବ୍ୟବସ୍ଥା ଠିକ୍ ରହିଲେ ସବୁ ବର୍ଗର ଲୋକ ସମାନ ଅଧିକାର ପାଇବେ।
ଅନ୍ୟମାନଙ୍କ ମଧ୍ୟରେ ନ୍ୟାସନାଲ ଦଳିତ ୱାଚ୍ର ପ୍ରୋଗ୍ରାମ୍ ମ୍ୟାନେଜର ଲି ମାଚକ୍ୟୁନ୍, ମାନସ ରଞ୍ଜନ, ଏନ୍ଏମ୍ ପୃଷ୍ଟି, ଆଭା ମିଶ୍ର, ଅବସରପ୍ରାପ୍ତ ଓଏଏସ୍ ସଞ୍ଜୟ ହାବଡ଼ା, ଆନି ହଂସ୍, ରମାକାନ୍ତ ମିଶ୍ର, ବାଘାମ୍ବର ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ରାଜସ୍ବ ବୋର୍ଡର ପୂର୍ବତନ ସଦସ୍ୟ ଅରବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ସିଡିଏଚ୍ଆର୍ ସାଧାରଣ ସମ୍ପାଦକ ବୀଣା ପାଲିକଲ ସ୍ବାଗତଭାଷଣ ଦେଇଥିଲେ। ସେହିପରି ଆମ୍ବେଦକର ଲୋହିଆ ବିଚାର ମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ ମଲିକ ଏହି ରିପୋର୍ଟର ଉଦ୍ଦେଶ୍ୟ ଓ ପୃଷ୍ଠଭୂମି ସମ୍ପର୍କରେ ଅବତାରଣା କରିଥିଲେ। ସଂଯୋଜକ ସଞ୍ଜୟ ମଲିକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସମତା ଓ ଅନ୍ତର୍ଭୁକ୍ତୀକରଣ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ନିୟମର ସମାଲୋଚନାତ୍ମକ ମୂଲ୍ୟାୟନ କରାଯାଇଥିଲା। ବିପର୍ଯ୍ୟୟ ସମୟରେ ଘରୋଇ କ୍ଷତି, ପଶୁ ସମ୍ପଦ ସୁରକ୍ଷା, ଫଳନ୍ତି ଗଛର ସୁରକ୍ଷା, କ୍ଷୁଦ୍ର ବ୍ୟବସାୟୀ, କାରିଗର, ମତ୍ସ୍ୟଜୀବୀମାନଙ୍କୁ ସହାୟତା, ଡଙ୍ଗା ମାଲିକଙ୍କୁ ସହାୟତା ତଥା ରାଜ୍ୟମାନଙ୍କ ଦ୍ବାରା ଦିଆଯାଉଥିବା ବିଶେଷ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।