ଚନ୍ଦ୍ରଶେଖରପୁର: କମ୍‌ ଖର୍ଚ୍ଚରେ ସାଧାରଣ ଲୋକେ ବିବାହ, ବ୍ରତଘର ପରି କାର୍ଯ୍ୟକ୍ରମ କରିପାରିବେ। ଏଥିପାଇଁ ଭୁବନେଶ୍ବର ସହରରେ ସରକାରୀ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି। କେଉଁଠି ଶହେ ଲୋକଙ୍କ ପାଇଁ ତ ଆଉ କେଉଁଠି ହଜାରେ ଲୋକଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି। ସହରବାସୀଙ୍କ ନିକଟରେ ସୁବିଧା ସୁଯୋଗ ପହଞ୍ଚାଇବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଯାଉଛି। କଲ୍ୟାଣ ମଣ୍ଡପଗୁଡ଼ିକୁ ଅନଲାଇନ୍‌ରେ ବୁକିଙ୍ଗ୍‌ କରିବାକୁ ପଦକ୍ଷେପ ନିଆଯାଇଛି। ଏତେ ସବୁ ବ୍ୟବସ୍ଥା ଭିତରେ କଲ୍ୟାଣମଣ୍ଡପ କିଭଳି ଚାଲିଛି ତାହାର ବାସ୍ତବ ଚିତ୍ର ଚନ୍ଦ୍ରଶେଖରପୁରଠାରେ ଦେଖିବାକୁ ମିଳୁଛି। ୨୬ ବର୍ଷ ତଳେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। କ୍ୟାମ୍ପସରେ ସୌନ୍ଦର୍ଯ୍ୟକରଣ ନାହିଁ କି ମୌଳିକ ସୁବିଧା ଉପଲବ୍ଧ ହୋଇପାରୁ ନାହିଁ। ଯେଉଁଥିପାଇଁ ଲୋକେ ଏଠାରୁ ମୁହଁ ମୋଡ଼ୁଛନ୍ତି। ଅଧିକ ଦରରେ ଘରୋଇ ମଣ୍ଡପ ବୁକିଂ କରିବା ସହ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଲୋକେ ଆଗ୍ରହ ଦେଖାଉଥିବା‌ ବେଳେ ସରକାରୀ ସୁବିଧା ଗ୍ରହଣ କରିବାକୁ ନାକ ଟେକୁଛନ୍ତି। ଏହାଦ୍ବାରା ଲୋକଙ୍କର କୌଣସି କ୍ଷତି ହେଉ ନ ଥିବାରୁ ବିଏମ୍‌ସି ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛି।

Advertisment

୧୯୯୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲ୍ୟାଣ ମଣ୍ଡପର ଭିତ୍ତିଭୂମି ସୁଦୃଢ ନ ଥିବା ବେଳେ ସ୍ବଚ୍ଛତା ପ୍ରତି ଆଦୌ ଧ୍ୟାନ ଦିଆଯାଇ ନାହିଁ। କଲ୍ୟାଣ ମଣ୍ଡପ ଚାରିପଟେ ଆବର୍ଜନାର ପାହାଡ଼ ସୃଷ୍ଟି ହୋଇଛି। ଅନାବନା ଗଛରେ ପରିପୂର୍ଣ୍ଣ ହୋଇଛି ସମ୍ପୂର୍ଣ୍ଣ କ୍ୟାମ୍ପସ। ଛୋଟ ଛୋଟ ବୁଦା ଗଛଲତା ଉଠିଥିବାରୁ ଏବେ କ୍ୟାମ୍ପସ ଭିତରକୁ ପ୍ରବେଶ କରିବାକୁ ଭୟ ଲାଗୁଛି। ଆଗକୁ ବର୍ଷା ଆସିବାକୁ ଥିବାରୁ ଭୟଙ୍କର ସ୍ଥିତି ଉପୁଜିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ ଅବର୍ଜନା ପଡ଼ୁଥିବାରୁ ସାରା ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଟୁଛି। ମଣ୍ଡପର ଶୌଚାଳୟ ପରିଷ୍କାର ନ ଥିବାରୁ ଅଧିକାଂଶ ସମୟ ଲୋକେ ବାହାରେ ପରିସ୍ରା କରୁଛନ୍ତି। ଏହା ପରିସରରେ ଥିବା ୪ଟି ଶୌଚାଳୟ ମଧ୍ୟରୁ ଦୁଇଟିରେ ପାଣି ଆସୁ ନାହିଁ। ନିୟମିତ ‌ସଫେଇ ହେଉ ନ ଥିବାରୁ ଦୁର୍ଗନ୍ଧରେ ଭିତରକୁ ପଶି ହେଉ ନାହିଁ। ପାନୀୟ ଜଳ ପାଇଁ ଛାତ ଉପରେ ୪ଟି ପାଣି ଟାଙ୍କି ହୋଇଥିଲେ ମଧ୍ୟ ତାହାକୁ ନିୟମିତ ଭାବେ ସଫେଇ କରାଯାଉ ନ ଥିବାରୁ ନଷ୍ଟ ହେବାକୁ ବସିଲାଣି। ଠିକ୍‌ ଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ କଲ୍ୟାଣ ମଣ୍ଡପ କାନ୍ଥ ଅବସ୍ଥା ନକହିବା ଭଲ। କେଉଁଠି ସିଉଳି ଲାଗିଗଲାଣି ତ ଆଉ କେଉଁଠି ପ୍ଲାଷ୍ଟର ଖସି ଇଟା, ରଡ଼ ଦେଖାଯାଉଛି। କଲ୍ୟାଣ ମଣ୍ଡପ ପ୍ରବେଶ ପଥ ଆଗରେ ଲେଖାଯାଇଥିବା ନାମ ଫଳକ ଉପୁଡ଼ି ଗଲାଣି। ଇଂରାଜୀରେ ଲେଖାଯାଇଥିବା ‘ଚନ୍ଦ୍ରଶେଖରପୁର’ରୁ ସି, ଏଚ୍ ଅକ୍ଷର ଖସି ପଡ଼ିଲାଣି। ଭିତରେ ଓଡ଼ିଆରେ ଲେଖାଯାଇଥିବା ‘ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ’ ଠିକ୍‌ ଭାବେ ଦୃଶ୍ୟମାନ ହେଉ ନାହିଁ। ଆଲୋକୀକରଣ ବ୍ୟବସ୍ଥା ଠିକ୍‌ ନ ଥିବାରୁ ରାତିରେ ଅସାମାଜିକଙ୍କ ଆଡ୍ଡା ଜମୁଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏଠାକାର ଅବସ୍ଥା ଖରାପ ଥିବାରୁ ଲୋକେ ସେତେଟା ଆଗ୍ରହ ଦେଖାଉ ନାହାନ୍ତି। କାଁ ଭାଁ ସମୟରେ ଏଠାରେ ବାହାଘର, ବ୍ରତଘର ଅନୁଷ୍ଠିତ ହେଉଛି। ସରକାରୀ କାର୍ଯ୍ୟକ୍ରମ ଅଧିକ ସଂଖ୍ୟାରେ ହୋଇଥାଏ। ‌ଯେଉଁଦିନ କୌଣସି କାର୍ଯ୍ୟକ୍ରମ ହେଉଛି ସେଠା‌ରେ ବଳିପଡ଼ୁଥିବା ଖାଇବା ଜିନିଷକୁ କଲ୍ୟାଣ ମଣ୍ଡପ ପଛପଟେ ପକାଯାଉଛି, ଯାହାକି ଦୁର୍ଗନ୍ଧର କାରଣ ପାଲଟୁଛି। ସହରର ପ୍ରମୁଖ ଜାଗାରେ ଏହି କଲ୍ୟାଣ ମଣ୍ଡପ ଥିବାରୁ ବାହାଘର ଋତୁ ଆସିଲେ ଏଠାରେ ବହୁ ଜନଗହଳି ହୋଇଥାଏ। ତା’ସାଙ୍ଗକୁ ପାର୍କିଂ ବ୍ୟବସ୍ଥା ନଥିବାରୁ ଲୋକେ ରାସ୍ତାକଡ଼ରେ ଗାଡ଼ି ରଖି ଚାଲିଯାଆନ୍ତି। ଫଳରେ ବହୁ ସମୟରେ ଗହଳି ପରିଲକ୍ଷିତ ହୋଇଥାଏ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।