ଭୁବନେଶ୍ୱର: ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ଏବଂ ୨୪ତମ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ପୁସ୍ତକମେଳା କମିଟିର ସଭାପତି ଡ. ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୃଷୀକେଶ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଏକାମ୍ର ପୁସ୍ତକମେଳାର ସଭାପତି ଡ. ପୀତବାସ ରାଉତରାୟ ଓ ସମ୍ପାଦକ ଭାସ୍କର ଜେନା ଯୋଗଦେଇଥିଲେ। ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ଓ ସଂପାଦକ ବିଧୁଭୂଷଣ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠକରିଥିଲେ। ମୁଖ୍ୟ ଅତିଥି ଡ. ମଲ୍ଲିକ ସାଂପ୍ରତିକ ପରିବର୍ତ୍ତିତ ପରିସ୍ଥିତିରେ ଲେଖକମାନେ ପାଠକଙ୍କ ରୁଚି ଅନୁଯାୟୀ ଲେଖନୀ ଚାଳନା କରିବାକୁ ପରାମର୍ଶ ଦେଇଥିଲେ। ଉତ୍ସବରେ ଓଡ଼ିଆ ସାହିତ୍ୟର ୧୧ଟି ବିଭାଗରେ ୧୪ଟି ପୁରସ୍କାର ପ୍ରଦାନ କରାଯାଇଥିଲା।

Advertisment

ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ଓ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ ଉତ୍ସବ

ପ୍ରବନ୍ଧ ପୁସ୍ତକ ‘ଓଡ଼ିଶାର ଧର୍ମ, ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ’ ପାଇଁ ରମେଶ ଚନ୍ଦ୍ର ସାହୁ, ଉପନ୍ୟାସ ‘ସଦାନନ୍ଦର ପୃଥ‌ିବୀ’ ପାଇଁ ଭାନୁମତୀ ସାହୁ ଓ ‘ଦେବହୂତି’ ପାଇଁ ଡ. ଅଭୟ କୁମାର ନାୟକ, କ୍ଷୁଦ୍ରଗଳ୍ପ ପୁସ୍ତକ ‘ବିଦୀର୍ଣ୍ଣ ବସୁଧା’ ପାଇଁ ଡ. ଉର୍ମିମାଳା ଆଚାର୍ଯ୍ୟ, କବିତା ପୁସ୍ତକ ‘ତମେ ଥିଲେ ସବୁ ଅଛି’ ପାଇଁ ଅଶ୍ବିନୀ ସୂତାର, ଧର୍ମ ସାହିତ୍ୟ ‘ମୃତ୍ୟୁପରେ ଜୀବାତ୍ମାର ଅସ୍ତିତ୍ବ’ ପାଇଁ ଡ. ନୃସିଂହାନନ୍ଦ ମହାପାତ୍ର, ଅନୁବାଦ ପୁସ୍ତକ ‘ବରଫର ଦେଶ’ ପାଇଁ ସୋମନାଥ ଓଝା, ନାଟକ ‘ଏବେବି ଧରମା ବଞ୍ଚୁଛି’ ପାଇଁ ଡ. ରମାକାନ୍ତ ନାୟକ, ଜୀବନୀ ପୁସ୍ତକ ‘ମୋ ପିଲାଦିନର ଆମ ଗାଁ’ ପାଇଁ ନଟବର ଖୁଣ୍ଟିଆ, ବିଜ୍ଞାନ ସାହିତ୍ୟ ପୁସ୍ତକ ‘ସୁଖନିଦ୍ରା’ ପାଇଁ ପ୍ରଫେସର ରବୀନ୍ଦ୍ରନାଥ ସାହୁ, ବ୍ୟଙ୍ଗ ପୁସ୍ତକ ‘ଭୁଲା ଅତୀତ’ ପାଇଁ ଗୋପୀନାଥ ମଲିକ, ଶିଶୁ କବିତା ପୁସ୍ତକ ‘ଗପର ମହକ ଗୀତର ମହୁ’ ପାଇଁ ହରିହର ଶୁକ୍ଳ, ଶିଶୁବିଜ୍ଞାନ ପୁସ୍ତକ ‘ମୁଁ ବୈଜ୍ଞାନିକ ହେବି’ ପାଇଁ ଡ. କୃତିବାସ ନାୟକ ଏବଂ ଗୀତି କବିତା ପୁସ୍ତକ ‘ପ୍ରୀତିନନ୍ଦା’ ପାଇଁ ଡ. ଚିତ୍ତରଂଜନ ମହାନ୍ତିଙ୍କୁ ସୁଧାଂଶୁ ମୋହନ ରାଉତରାୟ ସ୍ମୃତି ସମ୍ମାନି ସମେତ ୨୪ତମ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା।