ଓଏସ୍‌ଏସ୍‌ସି ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ହେଉ: କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି କାୟା ବିସ୍ତାର କରିଛି। ରାଜ୍ୟ ସରକାରଙ୍କ ଷ୍ଟାଫ୍‌ ସିଲେକସନ୍‌ କମିସନର ସଚିବଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟିକୋଟି ଟଙ୍କା ସଂପତ୍ତି ବାହାରିବା ବିଜେଡି ସରକାରର ଶାସନ କେତେ ସ୍ବଚ୍ଛ, ତାହା ପଦାରେ ପକାଇଛି। ଦୁର୍ନୀତି ରୋକିବା ପାଇଁ ନବୀନ ବାବୁ ୫-ଟି ବିଭାଗ ସୃଷ୍ଟି କଲେ। ମାତ୍ର ବାସ୍ତବ ଚିତ୍ର ଅଲଗା। ଏହି ଦୁର୍ନୀତିର ଚେର ତୃତୀୟ ମହଲାକୁ ଲମ୍ବିଛି; ତେଣୁ ଏହାର ବିଚାର ବିଭାଗୀୟ ଯାଞ୍ଚ କରାଯାଉ। ଏହା ସହ କମିସନ ଅଧ୍ୟକ୍ଷ, ସଦସ୍ୟ ଓ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରି କାର୍ଯ୍ୟରୁ ଅନ୍ତର କରାଯାଉ ବୋଲି ଆଜି କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଲେ, ରାଜ୍ୟରେ ଯଦି ଶାସନ ବ୍ୟବସ୍ଥାରେ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଉଥା’ନ୍ତା, ତାହାଲେ ଓଏସ୍‌ଏସ୍‌ସିଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟି କୋଟି ଟଙ୍କାର ସଂପତ୍ତି କିଭଳି ବାହାରୁଛି? ରାଜ୍ୟର ଶିକ୍ଷିତ ଯୁବକ/ଯୁବତୀଙ୍କ ଭାଗ୍ୟ ସହ ୨୦ବର୍ଷ ଧରି ଖେଳ ଚାଲିଥିଲା। ଓଏସ୍‌ଏସ୍‌ସିରେ ଚାକିରି ବିକ୍ରି ‌ହେଉଥିବା ବେଳେ ଏହାର ଅର୍ଥକୁ କମିସନର ବଡ଼ ବଡ଼ ଅଧିକାରୀମାନଙ୍କ ମଧ୍ୟରେ ବଣ୍ଟା ଯାଉଥିଲା।

ପିସିସି ମୁଖପାତ୍ର ମନୋରଂଜନ ଦାଶ କହିଥିଲେ, ଗତ ୨୦ବର୍ଷ ଧରି କେଉଁ ପଦବି ପାଇଁ କେବେ ପରୀକ୍ଷା ହୋଇଥିଲା, କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, କେବେ ଫଳ ବାହାରିଥିଲା ଓ କେତେଜଣ ନିଯୁକ୍ତି ପାଇଛନ୍ତି, ତାହାର ସବିଶେଷ ତଥ୍ୟ ପ୍ରଦାନ କରାଯାଉ। ଓପିଏସ୍‌ସି ଓ ଷ୍ଟାଫ୍ ସିଲେକସନ୍ କମିସନଙ୍କୁ ଥଇଥାନ କେନ୍ଦ୍ର ନ କରନ୍ତୁ ବୋଲି ଶ୍ରୀ ଦାଶ କହିଛନ୍ତି। ଛାତ୍ର କଂଗ୍ରେସ ସଭାପତି ୟାସର ନୱାଜ କହିଥିଲେ, ଚାକିରି ଦେବା ବାହାନାରେ ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଲୁଟ୍‌କୁ ବରଦାସ୍ତ କରାଯିବ ନାହିଁ। ଏହା ବିରୋଧରେ ଆଗାମୀ ଦିନରେ ନବୀନ ନିବାସ ଘେରାଉ ସହ ବିଧାନସଭା ଆଗରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର