କାହାଣୀକୁ ଗୁରୁତ୍ବ ଦିଆଯାଉ: ଶିବାନୀ ସଙ୍ଗୀତା

ଉଭୟ ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟରେ ସେ ନିପୁଣା। ସଙ୍ଗୀତର ରୁଚି ତାଙ୍କୁ କଣ୍ଠଶିଳ୍ପୀର ପରିଚୟ ବି ଦେଇଛି। ୬ ବର୍ଷ ବୟସରୁ ଶିଶୁ କଳାକାର ଭାବେ ଓଡ଼ିଆ ଧାରାବାହିକ ଓ ପରେ ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକାଦୃତି ଲାଭ କରିପାରିଛନ୍ତି। ୧୭ବର୍ଷ ବୟସରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରି ନିଜ ଅଭିନୟ ପରାକାଷ୍ଠା ଦେଖାଇଛନ୍ତି। ଆଗକୁ ପଥ ବହୁ ଲମ୍ବା। ଏବେ ସେ ସାମ୍ବାଦିକତା ଓ ଗଣ ଯୋଗାଯୋଗର ଛାତ୍ରୀ। ଆଗକୁ ବହୁ ଆଞ୍ଚଳିକ ଭାଷାରେ ଚଳଚ୍ଚିତ୍ର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ହେଲେ ପ୍ରାଥମିକତାରେ ଓଡ଼ିଆ ଚଳଚ୍ଚିତ୍ର ରହିବ ବୋଲି ଶପଥ ନେଇଛନ୍ତି। ଓଲିଉଡ୍‌ର ଏହି ଚକ୍‌ଲେଟି ନାୟିକା ଶିବାନୀ ସଂଗୀତାଙ୍କ ସହ ହିତେଶ ନାୟକଙ୍କ ସ୍ବତନ୍ତ୍ର ସାକ୍ଷାତକାର…

ଉତ୍ତରଦାୟୀରୁ ସିଷ୍ଟର ଶ୍ରୀଦେବୀ ପର୍ଯ୍ୟନ୍ତ ଯାତ୍ରା କିଭଳି ଥିଲା?
ପିଲା ବେଳୁ ଗୀତ ଓ ନୃତ୍ୟ ପ୍ରତି ବିଶେଷ ଆଗ୍ରହ ଥିଲା। ଏହା ଦେଖି ମୋ ଆଈ ତାଙ୍କ ଅଫିସ୍‌ରେ କାର୍ଯ୍ୟରତ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କ ସହ କଥା ହୋଇଥିଲେ। ୨୦୦୬ ମସିହାରେ ମୁଁ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଏକ ଧାରାବାହିକ ‘ଉତ୍ତରଦାୟୀ’ରେ ଶିଶୁ କଳାକାର ଭାବେ ସୁଯୋଗ ପାଇଥିଲି। ପରେ ‘ଦେବୀ’ ଓ ‘ବଧୂ’ରେ ଅଭିନୟ କରିବାର ସୁଯୋଗ ମିଳିଲା। ଏହାଛଡ଼ା ‘ମିତରେ ମିତ’, ‘ପହିଲି ରଜ’, ‘ଗୁଡ୍‌ ବୟ’, ‘ଲେଖୁ ଲେଖୁ ଲେଖିଦେଲି’ ଆଦି ଚଳଚ୍ଚିତ୍ରରେ ବି ମୁଁ ଶିଶୁ କଳାକାର ଭାବେ କାମ କଲି। ତେବେ ୨୦୧୭ରେ ଚଳଚ୍ଚିତ୍ର ‘ସିଷ୍ଟର ଶ୍ରୀଦେବୀ’ରେ ମୁଖ୍ୟ ଅଭିନେତ୍ରୀ ହେବାର ସୌଭାଗ୍ୟ ମିଳିଲା। ପରେ ‘ପ୍ରେମ୍‌ କୁମାର’, ‘ବାବୁ ଭାଇଜାନ୍‌’ ଚଳଚ୍ଚିତ୍ର କରିଛି। ଆଗକୁ ମୋର ନୂଆ ଚଳଚ୍ଚିତ୍ର ‘ଦିଲ୍‌ ମୋର ମାନେନା’ ଆସୁଛି।

ଅବସର ସମୟରେ କ’ଣ ପସନ୍ଦ?
ଗୀତ ଗାଇବା, ନାଚିବା ଓ ସନ୍ତରଣ ମୋର ଖୁବ୍‌ ପସନ୍ଦ। କିନ୍ତୁ ଗୀତ ଗାଇବା ମୋ ନିଶା। କିଛି ଦିନ ତଳେ ମୁଁ ଗାଇଥିବା‌ ‘ପ୍ରେମ ହେଇଗଲା ଜାଣିଲି’ ଗୀତ ୟୁଟ୍ୟୁବ୍‌ରେ ମୁକ୍ତିଲାଭ କରିଛି।
କରୋନା ପାଇଁ ଓଲିଉଡ୍‌ର ଡଙ୍ଗା ବୁଡ଼ିବାକୁ ବସିଛି। କେତେ ସହମତ?
କରୋନାକୁ ବାହାନା କରି ଜାଣିଶୁଣି ଚଳଚ୍ଚିତ୍ରର ମାନ ହ୍ରାସ କରି ଦିଆଯାଉଛି। ଟେକ୍ନିସିଆନ୍‌ଙ୍କଠାରୁ ଆରମ୍ଭ କରି କଳାକାର ସମସ୍ତେ କଷ୍ଟ ପାଉଛନ୍ତି। କରୋନା ନାଁରେ ବଜେଟ୍‌କୁ କମାଇ ଦିଆଯାଇଛି। ଚଳଚ୍ଚିତ୍ରର ଗୁଣବତ୍ତାରେ ସାଲିସ୍‌ କରାଯାଇଛି। ଫଳରେ ଅନେକ ଟେକ୍ନିସିଆନ୍‌ ସମାନ ଶ୍ରମ ପାଇଁ କମ୍‌ ପାରିଶ୍ରମିକ ପାଉଛନ୍ତି। କୁହାଯାଉଛି କରୋନା ପରେ ଚଳଚ୍ଚିତ୍ର ଜଗତ ଅଣ୍ଟା ଭାଙ୍ଗିଯାଇଛି। ଏହା କେବଳ ଏକ ବାହାନା।

ଓଲିଉଡ୍‌ର ଦୁର୍ଦ୍ଦଶା ପାଇଁ କାରଣ କ’ଣ?
ଆମେ ଓଲିଉଡ୍‌କୁ ବଲିଉଡ୍‌ ବା ଟଲିଉଡ୍‌ ସହ ତୁଳନା କରିବା ଉଚିତ ହେବ ନାହିଁ। କାରଣ ସେମାନେ ପ୍ରତିଥର ଯେଉଁଭଳି କ‌ନ୍‌ସେପ୍ଟ ଓ ଭିନ୍ନତା ନେଇ ଆସୁଛନ୍ତି, ତାହା ଦର୍ଶକଙ୍କୁ ଅଭିଭୂତ କରୁଛି। ଉତ୍ତମ ଗୁଣବତ୍ତାର ଚଳଚ୍ଚିତ୍ର ନ ଆଣିପାରିବା ହିଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଧୋଗତିର କାରଣ। ଆମେ ଲୋକଙ୍କ ଭିତରେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାର ଆଗ୍ରହ ସୃଷ୍ଟି କରିପାରୁ ନାହେଁ। ମୋ ମତରେ ଅଧିକ ବଜେଟ୍‌ ନୁହେଁ, ସୃଜନଶୀଳତା ହିଁ ଓଡ଼ିଆ ଚଳଚ୍ଚିତ୍ରକୁ ଏବେ ବଞ୍ଚାଇପାରିବ।

ସମାଧାନ କ’ଣ?
ଚଳଚ୍ଚିତ୍ରର ବଜେଟ୍‌ ଅପେକ୍ଷା କାହାଣୀକୁ ଗୁରୁତ୍ବ ଦିଆଯାଉ। ସେହିଭଳି କେଉଁ କାହାଣୀ କେଉଁ କଳାକାରଙ୍କୁ ଫିଟ୍‌ ହେବ, ତାହା ଉପରେ ବି ବିଶେଷ ତର୍ଜମା କରାଯିବା ଉଚିତ। ଏଇ ଛୋଟ ଛୋଟ କଥାଗୁଡ଼ିକ ପ୍ରତି ଧ୍ୟାନ ଦେଲେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ରୁଚି ବଢ଼ିବ।

ଆଗକୁ ଯୋଜନା କ’ଣ?
ମୁଁ ଜଣେ ସାମ୍ବାଦିକତା ଛାତ୍ରୀ। ତାକୁ ନେଇ ମୋତେ ଆଗକୁ ବଢ଼ିବାକୁ ଯୋଜନା କରିଛି। ଏଥିସହ ଭଲ କିଛି କନ୍‌ସେପ୍ଟ ବା କାହାଣୀ ଆସିଲେ ଚଳଚ୍ଚିତ୍ର ଯାତ୍ରା ବି ଜାରି ରହିବ। ଅଲଗା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଅଫର୍‌ ଆସିଲେ, ସେଠାରେ ବି ଅଭିନୟ କରିବି। କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ମୋ ପ୍ରାଥମିକତାରେ ରହିବ।

ସମ୍ବନ୍ଧିତ ଖବର