ଜଟଣୀ: ଜଟଣୀ ଥାନା ଅଞ୍ଚଳରେ ପ୍ରତିଦିନ ଲଘୁ ଖଣିଜ ଦ୍ରବ୍ୟ ଖୋଳା ସହ ଚୋରାଚାଲାଣ ହେଉଛି। ବର୍ଷ ବର୍ଷ ଧରି ବେଆଇନ ଭାବେ ଏଭଳି ଚାଲି ଆସୁଥିବା ବେଳେ ପରୋକ୍ଷ ଭାବେ କିଛି ପୁଲିସ ଓ ତହସିଲ କର୍ମଚାରୀ ମାଫିଆମାନଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଆସୁଛି। ଏ ନେଇ ‘ସମ୍ବାଦ’ରେ ପ୍ରକାଶ ପରେ ଗତକାଲି ବିଳମ୍ବିତ ରାତିରେ ପୁଲିସର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଘଟଣାସ୍ଥଳରୁ ବେଆଇନ ଖଣି ଖୋଳାରେ ନିୟୋଜିତ ଗୋଟିଏ ଜେସିବି ଓ ଗୋଟିଏ ହାଇୱାକୁ ଜବତ କରିଛି ପୁଲିସ।
ଗତକାଲି ବିଳମ୍ୱିତ ରାତିରେ ଖବର ପାଇ ପୁଲିସ ଟିମ୍ ନିରଞ୍ଜନପୁର ବୁଢ଼ାପଡ଼ା ଅଞ୍ଚଳରେ ଚଢ଼ଉ କରିଥିଲା। କିନ୍ତୁ ଟିମ୍ ପହଞ୍ଚିବା ପୂର୍ବରୁ ନିୟୋଜିତ ଶ୍ରମିକ ଓ ଗାଡ଼ି ଚାଳକମାନେ ଗାଡ଼ି ଛାଡ଼ି ଖସି ପଳାଇଥିଲେ। ପୁଲିସ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ଆଣିଥିଲା। ମାଲିକମାନେ ମୋଟା ଅଙ୍କର ଜରିମାନା ଦେଇ ଗାଡ଼ି ମୁକୁଳାଇବେ ବୋଲି ପୁଲିସ କହିଛି।