ବେସରକାରୀ ସ୍କୁଲରେ ଫି’ ନିୟନ୍ତ୍ରଣ ପାଇଁ ଓପାଫ୍‌ର ଚିଠା ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟରେ ବେସରକାରୀ ଶିକ୍ଷାନୁଷ୍ଠାନରେ ମନ ଇଚ୍ଛା ସ୍କୁଲ ଫି’ ଧାର୍ଯ୍ୟ କରିବା, ଅଭିଭାବକଙ୍କୁ ଶୋଷଣ ଓ ବେଆଇନ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଏକ ଚିଠା ବିଲ୍‌ ପ୍ରସ୍ତୁତ କରିଛି ଓଡ଼ିଶା ପ୍ୟାରେଣ୍ଟ୍‌ ଆସୋସିଏସନ୍‌ସ ଫୋରମ୍‌ ବା ଓପାଫ। ଆଜି ଓପାଫ୍‌ ପକ୍ଷରୁ ଏକ ମିଳିତ ପରାମର୍ଶ ବୈଠକରେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆଇନର ରୂପରେଖ ସଂପର୍କରେ ବିସ୍ତତ ଭାବେ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତାବିତ ବିଲ୍‌ରେ ବେସରକାରୀ ସ୍କୁଲରେ ନାମଲେଖା ଫି’, ଜିଲ୍ଲା ଓ ରାଜ୍ୟସ୍ତରରେ ଫି’ ନିର୍ଧାରଣ କମିଟି ଗଠନ ଓ ଏହାର କର୍ଯ୍ୟକାରିତା, ଅଭିଭାବକଙ୍କ ସହ ଭାଗୀଦାର କମିଟି ଗଠନ ସଂପର୍କରେ ଆଲୋଚନା ହୋଇଛି। ଫି’ ନିର୍ଧାଣରେ ସ୍ୱଚ୍ଛତା ଅବଲମ୍ବନ, ସ୍କୁଲର ଆୟ ବ୍ୟୟ ହିସାବରେ ସ୍ୱଚ୍ଛତା ଓ ସର୍ବସାଧାରଣରେ ପ୍ରକାଶ, ବେସରକାରୀ ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଶିକ୍ଷା ଓ ପିଲାଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ବେସରକାରୀ ଶିକ୍ଷାନୁଷ୍ଠାନ ବିରୋଧରେ ଆସୁଥିବା ବିଭିନ୍ନ ଅଭିଯୋଗର ଶୁଣାଣି ପାଇଁ ଏକ ଅଭିଯୋଗ ସମାଧାନ ବ୍ୟବସ୍ଥା, ଅମ୍ବୁଡ୍‌ସମ୍ୟାନ୍‌ ଓ ରେଗୁଲେଟାରି କମିସନ୍‌ ଗଠନ, ଆଇନର ଅବମାନନାରେ ଜେଲ ଓ ଜରିମାନା ବ୍ୟବସ୍ଥା ଏହି ପ୍ରସ୍ତାବିତ ବିଲ୍‌ରେ ରହିଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆଲୋଚନାଚକ୍ରରେ ପୂର୍ବତନ ଶିକ୍ଷା ନିର୍ଦେଶକ ପ୍ରଫୁଲ୍ଲ ରଥ, ଅମିୟ ମହାନ୍ତି, ସୁଧୀର ସାବତ, ବରିଷ୍ଠ ସାମ୍ବାଦିକ ରବି ଦାସ, ସଜ୍ଜନ ଶର୍ମା, ଏନ୍‌.ନାରାୟଣ ରେଡ୍ଡି, ସୁଧୀର ମହାନ୍ତି, ପ୍ରଦୀପ ପ୍ରଧାନ, ଜୟନ୍ତ ଦାସ, ସତୀଶ ମିଶ୍ର, ପ୍ରତାପ ସାହୁ ଓ ପ୍ରକାଶ ସାମନ୍ତସିଂହାର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର