ବିଦେଶିନୀଙ୍କ ଖବର କାହିଁକି ନଥିଲା? ପୁଲିସ ମୁଖ୍ୟାଳୟରୁ ଡିସିପିଙ୍କୁ କଡ଼ା ଚିଠି

ଏଚ୍‌ଟୁଓ ସ୍ପାରୁ ୮ ଥାଇଲାଣ୍ଡ ଯୁବତୀ ଉଦ୍ଧାର ଘଟଣା

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର ଏଚ୍‌ଟୁଓ ସ୍ପାରୁ ୮ ଜଣ ଥାଇଲାଣ୍ଡ ଯୁବତୀ ଉଦ୍ଧାର ହେବା ଘଟଣାକୁ ଗୁରୁତ୍ୱର ସହିତ ନେଇଛି ରାଜ୍ୟ ପୁଲିସ ମୁଖ୍ୟାଳୟ। ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଡିସିପିଙ୍କ କାର୍ଯ୍ୟାଳୟକୁ ଏକ ଚିଠି ଆସିଛି। ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି କି, କେଉଁ ପରିସ୍ଥିତିରେ ବିଦେଶିନୀମାନେ ଭୁବନେଶ୍ୱର ରହୁଥିଲେ। ଏ ନେଇ କମିସନରେଟ୍‌ ପୁଲିସ ନିକଟର ଖବର ଥିଲା ନା ନାହିଁ। ଏପରିକି ବିଦେଶିନୀଙ୍କୁ ଯିଏ ଆଶ୍ରୟ ଦେଇଥିଲା ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ବିଦେଶିନୀମାନଙ୍କୁ ଟ୍ରାକିଂ କରାଯାଉଛି ନା ନାହିଁ ? ଏ ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କରେ ପୁଲିସ ମୁଖ୍ୟାଳୟରୁ ରିପୋର୍ଟ ମଗାଯାଇଛି।

ସୂଚନା ଅନୁଯାୟୀ, ଯେଉଁ ୮ ଜଣ ବିଦେଶିନୀଙ୍କୁ ଉଦ୍ଧାର କରାଯାଇଥିଲା, ସେମାନେ କୋଲକାତାର ଏକ ସଂସ୍ଥା ମାଧ୍ୟମରେ ଭୁବନେଶ୍ୱରର ଏଚ୍‌ଟୁଓ ସ୍ପାରେ ନିଯୁକ୍ତି ପାଇଥିଲେ। ଏହି ୮ ଜଣ ଯୁବତୀଙ୍କ ମଧ୍ୟରୁ ୬ ଜଣ ବିଜିନେସ୍‌ ଭିସା ଓ ୨ ଜଣ ଟୁରିଷ୍ଟ ଭିସାରେ ଭାରତକୁ ଆସିଛନ୍ତି। ୮ ଜଣ ବେଆଇନ ଭାବେ ଭାରତରେ ଥିଲେ। ୬ ଜଣ ବିଜିନେସ୍‌ ଭିସାରେ ଆସିଥିଲେ ମଧ୍ୟ, ସେମାନେ ନିଜ ସମ୍ପର୍କରେ ପୁଲିସକୁ ଜଣାଇ ନ ଥିଲେ। ଆଇଭିଏଫ୍‌ଆର୍‌(ଇଣ୍ଡିଆନ୍‌ ଭିସା ଫରେନର୍‌ ରେଜିଷ୍ଟର୍‌) ଆକ୍ଟ ଅନୁଯାୟୀ ଓଡ଼ିଶାକୁ ଆସୁଥିବା ବିଦେଶୀମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସ ନିକଟରେ ରହିବା କଥା। କିନ୍ତୁ ଏଭଳି ନିୟମକୁ ସେମାନେ ବେଖାତିର କରିଥିଲେ। ସେହିପରି ଦୁଇ ଜଣ ଯୁବତୀ ଟୁରିଷ୍ଟ ଭିସାରେ ଆସି ସ୍ପାରେ ଅନୈତିକ କାର୍ଯର୍୍ୟରେ ଲିପ୍ତ ରହିବା ମଧ୍ୟ ଆଇନଗତ ଭାବେ ଅପରାଧ ଅଟେ। ଏହାକୁ ଛାଡ଼ି ଦେଲେ ବିଦେଶିନୀମାନେ ବାପୁଜୀନଗରର ଏକ ଘରେ ଭଡ଼ାରେ ଥିଲେ। କମିସନରେଟ୍‌ ପୁଲିସ ନିୟମ ଅନୁଯାୟୀ, ଘର ମାଲିକମାନେ ଭଡ଼ାଟିଆମାନଙ୍କ ସଂପୂର୍ଣ ତଥ୍ୟ ପୁଲିସକୁ ପ୍ରଦାନ କରିବା କଥା। ଏଠାରେ ମଧ୍ୟ ନିୟମର ଉଲଂଘନ ହୋଇଛି। ଏଭଳି ନିୟମ ପରେ ନିୟମ ଉଲଂଘନ ହୋଇ ଚାଲିଥିଲେ ମଧ୍ୟ କମିସନରେଟ୍‌ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ଇନଫୋସିଟି ଥାନା ଅଧୀନ ଏକ ଆପାର୍ଟମେଣ୍ଟରୁ ଜଣେ ଋଷୀୟ ଯୁବତୀ ସେକ୍ସ ର‍୍ୟାକେଟ୍‌ରୁ ଧରା ପଡ଼ିଥିଲେ। ସେହିପରି ଗତ ୨୦୧୭ ନଭେମ୍ବର ମାସରେ ଖାରବେଳନଗର ଥାନା ପୁଲିସ ସେକ୍ସର‍୍ୟାକେଟ୍‌ରେ ସମ୍ପୃକ୍ତି ଥିବା ଜଣେ ଉଜବେକିସ୍ତାନ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଠିକ୍‌ ଏହାର ୧୫ ଦିନ ମଧ୍ୟରେ ପୁଣି ଖାରବେଳନଗର ଥାନା ପୁଲିସ ୟୁନିଟ୍‌-୩ ଅଞ୍ଚଳରେ ଥିବା ଜଣେ ଶିଳ୍ପପତିଙ୍କ ଘରେ ଚାଲିଥିବା ହାଭେନ୍‌ ଥାଇ ସ୍ପାରୁ ଏକ ସେକ୍ସର‍୍ୟାକେଟ୍‌ ଠାବ କରି ୩ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିବା ପରେ ଓଡ଼ିଶାରେ ବିଦେଶୀ ଯୁବତୀଙ୍କ ଅନୈତିକ କାର୍ଯ୍ୟକଳାପ ଗୁମର ଖୋଲିଥିଲା। ଏତେ ସବୁ ଘଟଣା ଘଟିଥିଲେ ମଧ୍ୟ କମିସନରେଟ୍‌ ପୁଲିସ ଚେତି ନାହିଁ। ଯେଉଁ କାରଣରୁ ଏବେ ପୁଲିସ ମୁଖ୍ୟାଳୟରୁ ସିଧା ସଳଖ ଚିଠି ଡିସିପିଙ୍କ କାର୍ଯ୍ୟାଳୟକୁ ଆସିଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଉତ୍ତର ରଖ, କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛ ଜଣାଅ।

ପ୍ରକାଶଥାଉକି, ପ୍ରତ୍ୟେକ ବର୍ଷ ରାଜ୍ୟକୁ ୧୫ ହଜାରରୁ ଅଧିକ ବିଦେଶୀ ନାଗରିକ ପର୍ଯ୍ୟଟକ ଭାବେ ଓଡ଼ିଶା ଆସିଥାନ୍ତି। ଏହା ଛଡ଼ା ଅନେକ ବିଦେଶୀ କମ୍ପାନିର କାର୍ଯ୍ୟରତ କର୍ମଚାରୀମାନେ ଓଡ଼ିଶାରେ ବସବାସ କରି ଆସୁଛନ୍ତି। ଆଇଭିଏଫ୍‌ଆର୍‌(ଇଣ୍ଡିଆନ୍‌ ଭିସା ଫରେନର ରେଜିଷ୍ଟର) ଆକ୍ଟ ଅନୁଯାୟୀ ଓଡ଼ିଶାକୁ ଆସୁଥିବା ବିଦେଶୀମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସ ନିକଟରେ ରହିବା କଥା। କିନ୍ତୁ ଏଭଳି ନିୟମକୁ ଏବେ ବେଖାତିର କରି ଚାଲିଛନ୍ତି, କେତେକ ବିଦେଶୀ କମ୍ପାନି, ପ୍ରମୁଖ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ହୋଟେଲ ଓ ସ୍ପା କର୍ତୃପକ୍ଷ। ଆସୁଥିବା ବିଦେଶୀମାନଙ୍କ ସମ୍ପର୍କରେ ସେମାନେ କୌଣସି ବି ସୂଚନା ପୁଲିସକୁ ପ୍ରଦାନ କରୁନାହାନ୍ତି।

ସମ୍ବନ୍ଧିତ ଖବର