ଭୁବନେଶ୍ବର: ଓଡ଼ିଶାରେ ଥିବା ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମଲେଖା ଲାଗି ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଏସ୍ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର) ଜାରି କରିନାହାନ୍ତି। ତା’ପରେ ବି ଘରୋଇ ସ୍କୁଲଗୁଡ଼ିକ ନାମଲେଖା କରାଉଛନ୍ତି। ଏନେଇ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ମାସେ ତଳେ ରାଜ୍ୟ ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବାରୁ ଏହାର ସୁଯୋଗ ନେଇ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଅଭିଭାବକଙ୍କୁ ଶୋଷଣ କରି ଚାଲିଛନ୍ତି। ନାମଲେଖା ପ୍ରକ୍ରିୟା ଆରମ୍ଭ କରିବା ସହ ଅଭିଭାବକଙ୍କଠାରୁ ପ୍ରଚୁର ଡୋନେସନ୍ ନେଉଛନ୍ତି। କୋଭିଡ୍-୧୯ ସଂକ୍ରମଣ ସମୟରେ ସ୍କୁଲଗୁଡ଼ିକ ବର୍ଷକର ଫି’ ଆଗୁଆ ନେଉଛନ୍ତି। ସିବିଏସ୍ଇ ଓ ଆଇସିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା ହୋଇଥିବାରୁ ଯୁକ୍ତ୨ ନାମଲେଖା ସମ୍ପର୍କରେ ତୁରନ୍ତ ଏସ୍ଓପି ଜାରି କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି।
ମହାସଂଘ ଆହୁରି ଅଭିଯୋଗ କରିଛି ଯେ ଚନ୍ଦ୍ରଶେଖରପୁର, ୟୁନିଟ୍-୮, ପୋଖରୀପୁଟ ଓ ଖଣ୍ଡଗିରି ଅଞ୍ଚଳରେ ଥିବା ୪ଟି ସ୍କୁଲ ଜଷ୍ଟିସ୍ କେପି କମିଟି ରିପୋର୍ଟକୁ ଉଲ୍ଲଂଘନ କରିଛନ୍ତି। ଏହି ସ୍କୁଲର ଅଧିକାରୀମାନେ ରାଜ୍ୟ ସରକାରଙ୍କ ଫି’ ନିର୍ଧାରଣ କମିଟିରେ ରହିଥିଲେ ମଧ୍ୟ ନିୟମକୁ ଅନୁପାଳନ କରୁନାହାନ୍ତି। ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ଏକ ଘରୋଇ ସ୍କୁଲ ଯୁକ୍ତ୨ ବିଜ୍ଞାନ ପାଠ୍ୟକ୍ରମରେ ନାମଲେଖା ଲାଗି ଦୁଇ ବର୍ଷ ପାଇଁ ଜଣେ ପିଲା ପିଛା ୪ଲକ୍ଷ ଟଙ୍କା ଡୋନେସନ୍ ନେଇଥିବା ଦୃଷ୍ଟିକୁ ଆସିଛି। ଜଷ୍ଟିସ୍ କେପି କମିଟି ରିପୋର୍ଟ ଅନୁଯାୟୀ, ସ୍କୁଲଗୁଡ଼ିକ ଡୋନେସନ୍ ଆଦାୟ କରିପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଯେଉଁମାନେ ଗୋଟିଏ ସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ୁଥିବେ ସେମାନେ ସେଠାରେ ପଢ଼ିଲେ, ତାହାକୁ କ୍ଲାସ ପ୍ରମୋସନ ଭାବେ ଏକାଦଶ ଶ୍ରେଣୀକୁ ଉନ୍ନୀତ କରାଯିବ। ତେବେ ଉକ୍ତ ସ୍କୁଲ ସବୁ ନିୟମକୁ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ନାମଲେଖା କରାଉଛି। ଏହି ସ୍କୁଲଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।